ଆଧୁନିକ ତାଳଚେର

 

 

 

 

 

 

 

 

 

 

ଆଧୁନିକ ତାଳଚେର

ଶ୍ରୀ ଶଶିଭୂଷଣ ରାୟ

 

ଶରତକାଳ ସମାଗତ । ଧରାବକ୍ଷରୁ ବର୍ଷାର ତିମିର ଜାଲ ଅପଗତ ।ପ୍ରକୃତି ମାଧୁର୍ଯ୍ୟମୟୀ ହାସ୍ୟଛଟାରେ ସମୁଦ୍ଭାସିତ ଏବଂ ସ୍ନିଗ୍ଧ ଶାରଦ ଜ୍ୟୋତ୍ସ୍ନାରେ ବିଧୌତ । ବାୟୁ ଶାରଦ କୁସୁମ ସୌରଭରେ ଚତୁର୍ଦ୍ଦିଗରେ ଆନନ୍ଦ ବିତରଣ କରୁଅଛି । ଜଳସ୍ଥଳ କେଦାର କାନ୍ତାର ପ୍ରଭୃତି ହାସ୍ୟମୟ, ଯେପରି ନଜ ମନକୁ ହସୁଅଛନ୍ତି । ଭେକର କଠୋର କଣ୍ଠର ଧୈବତରାଗିଣୀ ନୀରବ ହୋଇଅଛି । ନାନାପକ୍ଷୀ କୂଳନ ପ୍ରଭାବରୁ ଦଶଦିଗ ଅପୂର୍ବ ସଙ୍ଗୀତ ପରିପୂର୍ଣ୍ଣ । ଚତୁର୍ଦ୍ଦିଗରେ ଆନନ୍ଦର ବିକାଶ ଚତୁର୍ଦ୍ଦିଗରେ ଯେପରି ପୂର୍ଣ୍ଣତା ବିଭାଜିତ । ନଦୀ ଜଳ ସମ୍ପଦରେ ପରିପୂର୍ଣ୍ଣା ସରସୀ ଜଳଜ ପୁଷ୍ପମାଳାରେ ମଣ୍ଡିତା ।

 

ପ୍ରଫୁଲ୍ଲ କୁସୁମରାଶିର ଅପୂର୍ବ ସୁଷମାରେ ବର୍ଷସଲିଳ ସ୍ନାତ ତରୁଲତାର ଶ୍ୟାମଳତାରେ, ଘନଶୂନ୍ୟ ଗଗନର ନୀଳମାରେ, ଶ୍ୟାମଳ ଶସ୍ୟ ସମ୍ପଦର ଅଭିନବ ଶୋଭାରେ, ଉଜ୍ଜ୍ୱଳ ତଟିନୀର ବିମଳ ପ୍ରବାହରେ-ଉଜ୍ଜ୍ୱଳ ଶାରଦ ପ୍ରଭାତରେ-ଯେଉଁ ଆଡକୁ ନୟନ ନିକ୍ଷେପ କଲେ ସେହି ଆଡେହିଁ ସୌନ୍ଦର୍ଯ୍ୟ ସମ୍ଭାରର ସମାବେଶ ।

 

ପ୍ରକୃତିଙ୍କର ଏ ମଧୁର ରୂପ କେଉଁ ଠାରୁ ଆସିଲା ? ନୟନ କାହିଁକି ଏହା ପ୍ରତି ଆକୃଷ୍ଟ ହୁଏ, ମନ କାହିଁକି ଆନନ୍ଦରେ ପୂର୍ଣ୍ଣ ହୋଇଯାଏ ? ଏହା କଅଣ ବ୍ରହ୍ମାନନ୍ଦ କଣିକା ନୁହେଁ ?

 

ସେହି ରଜତୋଜ୍ଜ୍ୱଳ ସୂର୍ଯ୍ୟ କିରଣାବଳୀ ବିଞ୍ଚି ଯାଉଅଛି, ଯାହାର ପ୍ପର୍ଶରେ ମୋହାଚ୍ଛନ୍ନ ମାନବ ମନ ଜାଗ୍ରତ ହୋଇ ଉଠୁଅଛି, ସେହି ଯେଉଁ ପ୍ରସନ୍ନ ନିର୍ମ୍ମତ ଦିକ୍‌ଚକ୍ରବାଳ ଆଜି ଭୁବନର ଆବରଣ ଫିଟାଇ ଦେଇ ହାସ୍ୟ ମୁଖରେ ଦଣ୍ଡାୟମାନ, ସେହି ଯେଉଁ ସ୍ନିଗ୍ଧ ଶାନ୍ତ ସମୀରଣ ମାନବ ପଶୁ ପକ୍ଷୀକୁ କୋମଳ ପ୍ପର୍ଶରେ ପୁଲକିତ କରି ଦେଉଅଛି-ବିଶ୍ୱରେ ଯେଉଁ ଆନନ୍ଦ ହିଲ୍ଲୋଳ ଧାଉଁଅଛି ଏହା କଅଣ କେବଳ ଜଡ ପ୍ରକୃତିର ପ୍ରେରଣାରେ ? କ୍ଷଣେ କ୍ଷଣେ ସର୍ବୋତୋ ବିସୃତ ମାଧୁର୍ଯ୍ୟରାଶି କ୍ଷରିତ ହେଉଅଛି, କାହାର ଇଙ୍ଗିତ, ଈକ୍ଷଣ ଓ ନିୟନ୍ତ୍ରଣରେ ?

 

ଶୂନ୍ୟ ପଥରେ ପରିଚାଳିତ ଅଗଣିତ ଗ୍ରହ ନକ୍ଷତ୍ରମଣ୍ଡଳୀ କି ଭଳି ନିୟମରେ ଆତ୍ମଘାତୀ ସଂଘର୍ଷ ବଞ୍ଚାଇ ଦିନ ଉତ୍ତାରୁ ଦିନ, ମାସ ଉତ୍ତାରୁ ମାସ, ଋତୁ ଉତ୍ତାରୁ ୠତୁ, ବର୍ଷ ଉତ୍ତାରୁ ବର୍ଷ, କି ଭଳି ସଙ୍ଗତି-ସାମଞ୍ଜସ୍ୟ ରକ୍ଷାକରି ଅତିବାହିତ ହେଉଅଛି, ବର୍ଷାର ଅତୀତ ଚିହ୍ନ ଆଜି ଶାରଦ ସୌନ୍ଦର୍ଯ୍ୟରେ ବିଲୀନ, ଏଭଳି କେତେ ବର୍ଷ ଉତ୍ତାରୁ କେତେ ଶରତ୍ ଅତୀତ ହୋଇଅଛି, ଏହା କିଏ କହିବେ, ମାତ୍ର ଏ ସମସ୍ତର ନିୟମ ଓ ଶୃଙ୍ଖଳା ଏବଂ ଏୌକ୍ୟ ସମ୍ପାଦନ କିଏ କରୁଅଛନ୍ତି ?

 

ପ୍ରକୃତିର ଦୋହାଇଦେଇ ନିଷ୍କୃତିଲାଭ ଅସମ୍ଭବ। ଜଡ ପ୍ରକୃତିର ସ୍କନ୍ଧରେ ଏହି ସମସ୍ତ ନିୟମ ଶୃଙ୍ଖଳା, ବିଚାର ବ୍ୟବସ୍ଥାର ଭାର ଅର୍ପଣକଲେ ଆମ୍ଭମାନଙ୍କର ଜଡତ୍ୱହିଁ ପ୍ରମାଣିତ ହେବସିନା ? ସୁତରାଂ ପ୍ରକୃତିଙ୍କୁ ଜ୍ଞାନମୟୀ, ଶକ୍ତିମୟୀ, ସୌନ୍ଦର୍ଯ୍ୟମୟୀ ଏବଂ ଅପୂର୍ବ ମହିମାମୟୀ ବୋଲି ସ୍ୱୀକାର କରିବାକୁ ସମସ୍ତେ ବାଧ୍ୟ ।

 

ଏହି ଶାରଦୀୟ ସୌନ୍ଦର୍ଯ୍ୟ ଲୀଳା ଜଡିତ କୌଣସି ପ୍ରଭାତରେ ଲେଖକର ବାଲ୍ୟ ସୁହୁତ୍ ଓ ସଦାହିତୈଷୀ ବନ୍ଧୁ ତାଳଚେରାଧୀଶ ରାଜା କିଶୋରଚନ୍ଦ୍ର ବୀରବର ହରିଚନ୍ଦନଙ୍କର ଖଣ୍ଡିଏ ସାନୁଗ୍ରହ ନିମନ୍ତ୍ରଣ ଲେଖକକୁ ପରମାପ୍ୟାୟିତ କଲା (ରାଜା ମହୋଦୟ ତାହାଙ୍କର ରାଜଧାନୀର ଦଶହରା ଉତ୍ସବରେ ଯୋଗଦେବା ସକାଶେ ସାଦର ଆହ୍ଵାନ କରି ଲେଖକକୁ କୃତାର୍ଥ କରିଅଛନ୍ତି)

 

ତୁଷାର ଧବଳ ଗିରିରାଜର ଦେବଦାରୁ-ବନରାନି ନିତମ୍ବ ପ୍ରଦେଶରୁ ନିମାଳ-ତାଳୀ-କେତକୀ-ବିମଣ୍ଡିତ ସମୁଦ୍ର ନୀଳତିରଙ୍ଗଧୌତ ବେଳାଭୂମି ପର୍ଯ୍ୟନ୍ତ ଏହି ବିଶାଳ ଭାରତରେ ଶରତର ଶାନ୍ତିସ୍ନିଗ୍ଧ କୋମଳ ସୌନ୍ଦର୍ଯ୍ୟର ଆନନ୍ଦମୟ ଲହରୀରେ ଆନନ୍ଦମୟୀ ଜଗତ୍ଜନନୀର ମହାପୂଜା ମହୋତ୍ସବ ହିନ୍ଦୁର ହୃଦୟ ସମୁଦ୍ରରେ ଯେଉଁ ଭାବ କଲ୍ଲୋଳର ଆବେଗ ସୃଷ୍ଟିକରେ- ଭାଷାର ସାହାଯ୍ୟରେ ତାହା ବୁଝାଇବା ବିଡମ୍ବନା । ଶରତର ଛିନ୍ନ ଭିନ୍ନ ପାଣ୍ଡୁର ମେଘମାଳ ନୀଳ ଆକାଶର ନୀଳିମାରେ ଯେତେବେଳେ ଆହୁରି ବ୍ୟକ୍ତ କରିଦିଏ, ହାସ୍ୟପୂର୍ଣ୍ଣା ଶେଫାଳିକା, ମାଳତୀ, କାମିନୀ ଓ ଯୂଈ ଫୁଲର ସୌରଭ ଯେତେ ବେଳେ ମୃଦୁବହୀ ଅମଳର ମୃଦୁ ପ୍ରେରଣାରେ ନାସାବିବର ପରି ପୂରିତ କରି ଅନ୍ତଃକରଣର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ପୂରଭିତ କରିଦିଏ ସେତେବେଳେ ଆନନ୍ଦମୟୀଙ୍କର ଶୁଭ ବୋଧନର ମଧୁର ବଂଶୀଧ୍ୱନିରେ ଭାବୁକର ହୃଦୟରେ ଯେଉଁ ଅନାବିଳ ଆନନ୍ଦଧାରା ପ୍ରବାହିତ ହୁଏ, ତାହାର ତୁଳନା ତହିଁରେହିଁ ସମ୍ଭବ। ଶରତର ସ୍ୱପ୍ନମୟ ରାଜ୍ୟରେ ଏହି ମନୋମୋହନ ଦୁର୍ଗୋତ୍ସବର ଅନାଦିକାଳର ସ୍ମୃତିଜହିତ ଚୀର ପୁରାତନ ଚିତ୍ରାବଳୀ ହିନ୍ଦୁ ପକ୍ଷରେ ବହ ସୁନ୍ଦର, ମଧୁର ଓ ପବିତ୍ର ।

 

ଶିଶିରରେ ସଙ୍କୁଚିତ ହେବା ପୂର୍ବରୁ ପ୍ରକୃତି ଶରତକାଳରେ ପୂର୍ଣ୍ଣବଳରେ ଆତ୍ମବିକାଶ କରୁଅଛି । ଏହି ହେତୁରୁ ହିନ୍ଦୁ ଏହି ସମୟରେ ଶକ୍ତି-ସାଧନା କରିଥାଏ । ଏହି ଶକ୍ତି ସାଧନାର ଆଉ ଗୋଟିଏ ଅନୁକୂଳ ଋତୁ ରହିଅଛି। ସେହି ସମୟରେ ଶୀତର ଧ୍ୱଂସିନୀ ଶକ୍ତିକୁ ପରାଜିତ କରି ପ୍ରକୃତି ପୁଣି ତାହାର ଅନ୍ତର୍ନିହିତ ହ୍ଳାଦିନୀ ଶକ୍ତି ବିକାଶ କରୁଥାଏ । ଏହି ହେତୁରୁ ଶରତ୍ ଓ ବସନ୍ତ ଶକ୍ତି ପୂଜାର ଅନୁକୂଳ ସମୟ । ଏହି ସକାଶେ ତ୍ରିକାଳଦର୍ଶୀବର୍ଗ ଶରତରେ ଶାରଦୀୟା ଓ ବସନ୍ତରେ ଚାସନ୍ତୀ ଶକ୍ତି ପୂଜାର ବ୍ୟବସ୍ଥା କରି ଯାଇଅଛନ୍ତି ।

 

କେବଳ ଉତ୍କଳ ଅଥବା ବଙ୍ଗଦେଶରେ ନୁହେ, ସମଗ୍ର ଭାରତରେ ଦୂର୍ଗାପୂଜାହିଁ ସବୁ ପୂଜାଠାରୁ ବଡପୂଜା । ନାନା ଦେଶର ଲୋକେ ଏହି ପୂଜାକୁ ନାନା ପ୍ରକାର ଆଖ୍ୟା ଦେଇଥାଆନ୍ତି । ଉତ୍ତର ପଶ୍ଚିମ ଭାରତରେ ଏହାର ନାମ ନବରାତ୍ର, କାଶ୍ମୀରରେ ଅମ୍ବା, ଗୁଜରାଟରେ ରୁଦ୍ରାଣୀ, କାନ୍ୟକୁବ୍ଳରେ କଲ୍ୟାଣୀ, ଦାକ୍ଷିଣାତ୍ୟରେ ଅମ୍ବିକା, ମିଥିଳାରେ ଉମା, ଏଭଳି ବିଭିନ୍ନ ନାମରେ ହିମାଚଳରୁ କୁମାରୀକା ପର୍ଯ୍ୟନ୍ତ ସମସ୍ତ ଦେଶରେ ଏହି ମହାଦେବୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ ।

 

ସୃଷ୍ଟିର ଆଦିରେ ଯେ ଆଦିସତ୍ତ୍ୱ ବ୍ରହ୍ମବୋଲି ପରିଜ୍ଞାତ ଥିଲେ, ଯହିଁରୁ ଆଦ୍ୟଶକ୍ତି ଆବିର୍ଭୃତା ହୋଇ ଏହି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିଅଛନ୍ତି, ଏହି ଉଭୟକୁ ଏକ ଏବଂ ଅଖଣ୍ଡ ଭାବରେ ହିନ୍ଦୁମାନେ ପୂଜା କରିଥାଆନ୍ତି । ଏହି ହେତୁରୁ ଶାସ୍ତ୍ର କହୁଅଛନ୍ତି:-

 

‘‘ଉମା ସହାୟଂ ପରମେଶ୍ୱରଂ ବିଭୁଂ

ତ୍ରିଲୋଚନଂ ଲୋକ ସାକ୍ଷୀଂ ପରସ୍ତାତ

ଧ୍ୟାତ୍ୱା ମନୁର୍ଗଚ୍ଛିତି ଭୂତ ଯୋନିଂ

ଯଦ୍ବ୍ୟୟଂ ତତ୍‌ପରିପଶ୍ୟନ୍ତି ଧୀରାଃ ।’’

 

ଅର୍ଥାତ୍ ମୁନିମାନେ ସେହି ସମସ୍ତପ୍ରାଣୀର ଜନକ ଜନନୀଙ୍କର ଅର୍ଦ୍ଧନାରୀଶ୍ୱରରୂପ ସର୍ବଲୋକ ସାକ୍ଷୀ ବିଭୁ ପରମେଶ୍ୱରଙ୍କୁ ସର୍ବଦା ଧ୍ୟାନଦ୍ୱାରା ଲାଭ କରିପାରନ୍ତି । ଧୀରଗଣ ତାହାଙ୍କୁ ସମଗ୍ର ଜଗତର ଉପରିତନ ଅବ୍ୟୟବସ୍ତୁ ବୋଲି ଦେଖିଥାନ୍ତି ।

 

ଏ କ୍ଷେତ୍ରରେ ଦେଖାଯାଏ ଯେ ପରଂବ୍ରହ୍ମ ଏବଂ ଆଦ୍ୟାଶକ୍ତିକୁ ଏକୀଭୂତ କରି ହିନ୍ଦୁମାନେ ମହାଶକ୍ତିର ଧ୍ୟାନ କରିଥାଆନ୍ତି କାରଣ ପରଂବ୍ରହ୍ମ ନିର୍ଗୁଣ, ସୁତରାଂ ସଗୁଣ ମାନବର ବାକ୍ୟ ଓ ମନର ଆଗୋଚର । ସାର୍ଥକ ବର୍ଗ ନିଜ ନିଜ ଅଧିକାର ଅନୁସାରେ କେହି ତାହାଙ୍କୁ ପୁରୁଷ କେହି ଅବା ନାରୀମୂର୍ତ୍ତି କଳ୍ପନା କରି ପୂଜା କରିଥାଆନ୍ତି ।

 

ଏହି ମହାପୂଜାର ତିନିଦିନ ଆଗତ ହେବା ଉତ୍ତାରୁ ଚତୁର୍ଥ ଦିନରେ ଅର୍ଥାତ୍ ଦଶହରା ପ୍ରବେଶର ଶୁଭାହ ପ୍ରତ୍ୟୁଷରୁ ଲେଖକ କଟକ ଷ୍ଟେସନରୁ ରେଲଗାଡ଼ି ଆରୋହଣ କଲା । ୧୮୯୧ ସାଲରେ ଯେତେବେଳେ ଅନୁଗୋଲର ପୁରାତନ ରାଜଧାନୀ ପୁରୁଣାଗଡରୁ ନବରାଜଧାନୀ ହୁଲୁରସିଙ୍ଗାକୁ କଚେରୀ ପ୍ରଭୃତି ଉଠି ଆସିବାର ବନ୍ଦୋବସ୍ତ ହୋଇ ଗୃହାଦି ନିର୍ମ୍ମିତ ହେଉଥିଲା, ସେତେବଳେ ଲେଖକକୁ କଟକ ସମ୍ବଲପୁରର ପୁରାତନ ମାର୍ଗ ହିନ୍ଦୋଳସ୍ଥ ରାସୋଳ ଏବଂ ମହୀଧରପୁରବାଟେ ଅନୁଗୋଳ ତଥା ତାଳଚେର ଯିବାକୁ ବଳଦଗାଡ଼ିରେ ଦଶଦିନ ଲାଗିଥିଲା । (ଆଧୁନିକ ଯୁଗରେ ରେଲମାର୍ଗରେ କଟକଠାରୁ ତାଳଚେର ଚାରି ଘଣ୍ଟାର ବାଟ ।)

 

ବାଷ୍ପଯାନ ପ୍ରଚୁର ଧୂମୋଦ୍ଗୀରଣ ସହିତ ଉଚ୍ଚ ଚିତ୍କାର କରୁଁ କରୁଁ ଦୂରରୁ ଦୂରାନ୍ତରକୁ ଚାଲିଲା । ଦୁଇ ପାର୍ଶ୍ୱରେ ନାଳନଦୀ, ଦେବାଳୟ, ଗ୍ରାମ ଏବଂ ସୁବସ୍ତୀର୍ଣ୍ଣ ପ୍ରାନ୍ତର ବାୟସ୍କୋପର ବିଚିତ୍ର ଚିତ୍ର ଭଳି ଗୋଟିକ ଉତ୍ତାରୁ ଗୋଟିଏ ଦେଖାଦେଇ ପୁଣି ଅଦୃଶ୍ୟ ହୋଇ ଯାଉଅଛି । କେତେ ପୁରାତନ ସ୍ମୃତି, କେତେ ନୂତନ ଅଧ୍ୟବସାୟ, କେତେ ସୁଖ ଦୁଃଖ, ହାସ୍ୟକ୍ରନ୍ଦନର ସମ୍ମିଳିତ ରୂପ ଏ ଗୁଡିକ ମଧ୍ୟରେ ମିଶ୍ରିତ, କେତେ ଦିନର କେତେ କଥା ଏ ଗୁଡିକ ବିଜଡିତ ହୋଇ ରହିଅଛି ତାହାର ଇୟତ୍ତା ନାହିଁ । ଚଳନ୍ତା ଗାଡି ସହିତ ସମସ୍ତ ଦୃଶ୍ୟ ମଧ୍ୟ ଧାର ଚାଲିଅଛି ।

 

(ମହାନଦୀ, ବିରୁପା ନଦୀ ଉତ୍ତୀର୍ଣ୍ଣ ହୋଇ ରେଲଗାଡି ସ୍ଥଳବିଶେଷରେ ଭଦ୍ରକ ହାଇ ଲେଭଲ କେନାଲ ପାରିହେଲା । ଏହି ହାଇ ଲେଭଲ କେନାଲ ସ୍ଥାପିତ ବିଦ୍ୟାର ଗୋଟିଏ ଅଦ୍ଭୁତ କୀର୍ତ୍ତି । ପୂର୍ବେ ଏହି କେନାଲରେ ଲେଖକକୁ ଅନେକଥର ଷ୍ଟିମରରେ ଭଦ୍ରକ ଯିବାକୁ ହୋଇଅଛି । ଏହି କେନାଲରେ ଅନେକ ଗୁଡିଏ ବିଚିତ୍ର ଗଠନ ପୋଲ ରହିଅଛି ଯାହା ଉଚ୍ଛଳର ଅନ୍ୟ କୌଣସି କେନାଲରେ ନାହିଁ । ସେ ଗୁଡିକର ଇଂରାଜୀ ନାମ Viaduct । ଏହି ପୋଲ ଗୁଡିକର ବିଶେଷତ୍ୱ ଏହି ଯେ ନିମ୍ନରେ ଗିରିନଦୀ ଏହା ଉପରେ କେନାଲ, ଅଥଚ କେନାଲରୁ ଟୋପାଏ ପାଣି ସୁଦ୍ଧା ଗିରି ନଦୀରେ ପଡୁନାହିଁ । ଏ ଗୁଡିକର ନିର୍ମାଣରେ ପ୍ରଭୃତ ଅର୍ଥବ୍ୟୟ ହୋଇଅଛି । ଏହି କେନାଲର Viaduct ଗୁଡ଼ିକ ମଧ୍ୟରେ ଭଦ୍ରକ ସବ୍‌ଡିଭିଜନସ୍ଥ ବେତଡ଼ା ନାମକ Viaduct ପୋଲ ସବୁଠାରୁ ବୃହତ୍ ଓ ଦର୍ଶନୀୟ । ସ୍ଥାପତି ବିଦ୍ୟାର ଚରମ ସାର୍ଥକତା ଏଠାରେ ସୁପରିସ୍ଫୁଟ ।)

 

ଗାଡି କ୍ରମଶଃ ଡାଳିଯୋଡା ଜିମଦାରୀ ମଧ୍ୟ ଦେଇ ଆଠଗଡର ଘନ ଅରଣ୍ୟରାଶି ଓ ଶଙ୍ଖପୋଇ ପାହାଡ ତଳଦେଶ ଅତିକ୍ରମ କରି ଢ଼େଙ୍କାନାଳ ରାଜ୍ୟସ୍ଥିତ ନିବିଡ ବନଭୂମି ମଧ୍ୟରେ ପ୍ରଧାବିତ ହେଲା । ରେଲମାର୍ଗର ଦକ୍ଷିଣ ପାର୍ଶ୍ୱରେ ଢ଼େଙ୍କାନାଳ ରାଜ୍ୟର ବିଶାଳ କପିଳାସ ଗିରି ଶୃଙ୍ଗର ଗାଢ଼ ନୀଳିମା ଏବଂ ବାମ ପାର୍ଶ୍ୱରେ ଢ଼େଙ୍କାନାଳର ସପ୍ତଶଯ୍ୟା ପର୍ବତର ସୁବିସ୍ତୃତି ନୀଳ କଳେଚର ଚକ୍ଷୁ ଶୀତଳ କରିଦିଏ । କ୍ରମଶଃ ଢ଼େଙ୍କାନାଳର ପାଣିଓହଳା, ତିଗିରିଆ, ମେଘା, କୁଟୁଣିଆ, କୋଦିଆ ଓ ନିବିବନ୍ଧା ପର୍ବତମାନ ଅତିକ୍ରମ କରିବା ସମୟରେ ବେଲମାର୍ଗର ବାମପାର୍ଶ୍ୱରେ ହିନ୍ଦୋଳ ରାଜ୍ୟର ବୁଢ଼ୀ ପର୍ବ୍ବତର ବିରାଟ ଦେହ ଆକାଶ ଆଡ଼କୁ ଉତ୍ତୋଳିତ । ଏହାର ପଶ୍ଚାତରେ ହିନ୍ଦୋଳ ରାଜ୍ୟର ନନ୍ଦନିଆ ପର୍ବତ ସହିତ ଅନୁଗୋଳର କନ୍ଧରାସ୍ଥିତ ଅସଂଖ୍ୟ ଗିରି ଶ୍ରେଣୀରେ ଦୃଷ୍ଟି ପ୍ରତିହତ, ତଥା ରେଲ ବର୍ମାର ଦକ୍ଷିଣ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀର ବାଲୁକା ରାଶି ଉପରକୁ ଢ଼େଙ୍କାନାଳ ରାଜ୍ୟର ଉଦୟଗିରି, ଓ ମଢ଼ି ସବ୍‌ଡିଭିଜନ ଅନ୍ତର୍ଗତ ଗିରିଶ୍ରେଣୀର ବିସ୍ତୀର୍ଣ୍ଣ ଶୋଭାରେ ଦିଗନ୍ତ ସମୁଦ୍ଭାସିତ ହୋଇଥିଲା ।

 

ଶରତ୍‌କାଳର ପାର୍ବତ୍ୟ ଶୋଭାର ତୁଳନା ନାହିଁ । ଚତୁର୍ଦ୍ଦିଗରେ ନାନାରୂପ ଗଛ, ନାନାଜାତୀୟ ଗୁଳ୍ମରୁ ଅସଂଖ୍ୟ ପ୍ରକାର ଫୁଲଫୁଟି ରହିଅଛି । ପର୍ବତ ଉପରର ପ୍ରକାଣ୍ଡ କାଣ୍ଡ ବିଶିଷ୍ଟ ବୃହତ୍‌ବୃହତ୍ ବୃକ୍ଷ ସମୂହ ସାନସାନ ହୋଇ ଦିଶୁଥିଲେହେଁ ତାହାର ଡ଼ାଳ ପତ୍ର ଗୁଡିକର ସାମଞ୍ଜସ୍ୟ ଅତିସୁନ୍ଦର । ପର୍ବ୍ବତ ସମୂହର ରଙ୍ଗ କେଉଁଠାରେ କଳା, କେଉଁଠାରେ ଈଷତ୍ ଧୂସର ବର୍ଣ୍ଣ । କେଉଁଠାରେ ସ୍ତର ଉପରେ ସ୍ତରରୂପେ ପ୍ରସ୍ତର ଶେଣୀ ସଜ୍ଜିତ, ବିଶ୍ୱକର୍ମ୍ମା ସେ ଗୁଡିକ ଖଣ୍ଡ ଖଣ୍ଡ କରି ସଜାଇ ରଖି ଅଛନ୍ତି, କେବଳ ସ୍ତର ବିଚ୍ଛେଦ ମଧ୍ୟରୁ ଗୋଟିଏ ଗୋଟିଏ ଗରୁ ବାହାରିଅଛି। କୌଣସି ଗଛ ସଳଖ ହୋଇ ବାହାରିଅଛି, କୌଣସି ଗଛ ପାର୍ଶ୍ୱରୁ ବାହାରିଅଛି, ଅପର ଛେର ମୁଣ୍ଡ ଟିକିଏ ତଳ ଆଡ଼କୁ । ଗୋଟିଏ ଆଡ଼କୁ ପରସ୍ପର ସଂଲଗ୍ନ ଦିଓଟି ବୃକ୍ଷକୁ ଗୋଟିଏ ଲତା ଏପରି ଭାବରେ ଆଲିଙ୍ଗନ କରିଅଛି ଯେପରି ଗୋଟିଏ ପ୍ରକାଣ୍ଡ ମାଳ ଉଭୟ ଗଛ ମଧ୍ୟରେ ଝୁଲୁଅଛି । ଦୂରକୁ ଗୋଟିଏ ଗୋଟିଏ ପର୍ବ୍ବତ ଶିଖର ଉପରେ ମେଘ ଓହ୍ଲାଉଅଛି ଏବଂ ପଛକୁ ଗୋଟିଏ ଗୋଟିଏ ପର୍ବ୍ବତ ଶିଖର ଉପରେ ସୂର୍ଯ୍ୟ କିରଣ ଝଟକୁ ଅଛି । ମାତ୍ର ସମସ୍ତଙ୍କ ଉପରେ ଅଖଣ୍ଡ ନୀରବାତ ବିଦ୍ୟମାନ ।

 

(ମାର୍ଗରେ ଅନୁଗୋଳର ଲିଙ୍ଗରା ନାମକ ଗିରିନଦୀ ଅତିକ୍ରମ (ଏହି ନଦୀ ବ୍ରାହ୍ମଣୀ ନଦୀର ଉପନଦୀ ହେଲେହେଁ ଲମ୍ବରେ ୧୧୦ ମାଇଲ) କରିବାକୁ ହେଲା । ଲେଖକ ଏହି ଗିରିନଦୀ କେତେଥର ବଳଦ ଗାଡି ଏବଂ ହସ୍ତୀ ପୃଷ୍ଠରେପାରି ହୋଇଅଛି । ସେତେବେଳେ ଏହା ଉପରେ ସେତୁ ନିର୍ମିତ ହୋଇନଥିଲା । ୧୮୯୨ ସାଲରେ କଟକର ଚହଟା ଘାଟଠାରୁ ଢେଙ୍କାନାଳ ଗଡଦେଇ ଅନୁଗୋଳକୁ ଯେଉଁ ମାର୍ଗ ନବପ୍ରସ୍ତୁତ ହେଲା ତହିଁ ମଧ୍ୟରେ ଏହି ନଦୀ ବିଦ୍ୟମାନ ।

 

ଏହି ଗିରିନଦୀର ଅଳ୍ପଜଳ ଗୈରିକ ବାଲି ଉପରେ ବୋହିଯାଇ ସଂସାର ତ୍ୟାଗୀ ହୃଦୟରେ ପ୍ରେମ ଭଳି ଅନେକ ଯୁଦ୍ଧ କରି ବଞ୍ଚି ରହିଲା ପ୍ରାୟ ବୋଧ ହେଉଥିଲା । ନଦୀ କ୍ଷୀଣ କଳେବରା ହେଲେହେଁ ସ୍ୱଚ୍ଛ ସଲିଳା । ବାୟୁବେଗରେ ଅସଂଖ୍ୟା କ୍ଷୁଦ୍ର ତରଙ୍ଗ ଉଚ୍ଛ୍ୱସିତ ହେଉଅଛି, ମଧୁର ତରଳ ଶବ୍ଦରେ କୂଳେ କୂଳେ ଆହତ ହେଉଅଛି । ଗୋଟିଏ ପାଖରେ କ୍ଷୁଦ୍ର ପଠା ଏବଂ ତହିଁରେ କେତେଗୁଡିଏ ଅରଖ ଗଛ । ନଦୀ ସୈକତରେ ଯେଉଁ ଜଳଚର ପକ୍ଷୀ ଗୁଡିକ ବସିଅଛନ୍ତି ସେମାନଙ୍କର ଥଣ୍ଟ ଗୁଡିକ ପାଣି କୂଳରୁ କଅଣ ଆହରଣ ସକାଶେ ବ୍ୟସ୍ତ ।

 

ଏଠାରୁ ସୁଦୀର୍ଘ ଓ ସୁବିସ୍ତୃତ ପ୍ରାନ୍ତର ମଧ୍ୟରେ ଗାଡି ପ୍ରଧାବିତ ହେଲା । ସମଗ୍ର ଉତ୍କଳରେ ଏଡେବଡ଼ ମୁକ୍ତ ପ୍ରାନ୍ତର ଦ୍ୱିତୀୟ ନାହିଁ । ଏହି ପ୍ରାନ୍ତର ମଧ୍ୟରେ ଅନେକ ଗ୍ରାମ, ଟଙ୍କଭୂମି, ଧାନ୍ୟକ୍ଷେତ୍ର, କ୍ଷୁଦ୍ର କ୍ଷୁଦ୍ର ଗୁଳ୍ମ ଶୋଭିତ ଭୁଖଣ୍ଡମାନ ରହିଅଛି । ପ୍ରାନ୍ତରର ଅଧିକାଂଶହିଁ ବୃକ୍ଷଶୂନ୍ୟ । ଏହାର ଅଧିକାଂଶହିଁ ଅନୁଗୋଳରେ ଅବସ୍ଥିତ । (ଅନୁଗୋଳର ଅଂଶ ପରିତ୍ୟାଗ କରି ରେଲଗାଡ଼ି ତାଳଚେର ରାଜ୍ୟରେ ପ୍ରବିଷ୍ଟ ହେବା ସମୟରେ ଅସଂଖ୍ୟ ତାଳବୃକ୍ଷ ଶୋଭିତ ମୁକ୍ତ ପ୍ରାନ୍ତର ତାଳଚେର ନାମର ସାର୍ଥକତା ପ୍ରଦର୍ଶନରେ ଆଗ୍ରହାନ୍ୱିତ ବୋଧ ହେଉଥିଲା ।)

 

ତାଳଚେର ଷ୍ଟେସନରୁ ତାଳଚେର ଗଡ ଦୁଇକ୍ରୋଶ ବ୍ୟବଧାନରେ ଅବସ୍ଥିତ । ଷ୍ଟେସନରେ ଗାଡିରୁ ଅବତରଣ କରି ପୂର୍ବରୁ ନିର୍ଦ୍ଦିଷ୍ଟ ‘ପର୍ଣ୍ଣକୁଟୀର’ ନାମକ କ୍ଷୁଦ୍ର ବଙ୍ଗଳାକୁ ଲେଖକ ମୋଟର ଗାଡିରେ ଆନୀତ ହେଲା ।

 

ପ୍ରାୟ ଅର୍ଦ୍ଧଘଣ୍ଟା ଉତ୍ତାରୁ ବନ୍ଧୁବତ୍ସଳ ତାଳଚେରାଧୀଶ ରାଜା କିଶୋରଚନ୍ଦ୍ର ଲେଖକକୁ ସଙ୍ଖୋଳିବା ପାଇଁ ଲେଖକର ଆବାସକୁ ବିଜେହେଲେ । ଲେଖକକୁ ଦେଖିଲାମାତ୍ରେ ଶେଫାଳିକା ବୃକ୍ଷରୁ ଉଷାପବନ ଲାଗି ଯେପରି କୁସୁମସ୍ତବକର ହାସ୍ୟ ଝଡିପଡ଼େ ଅଥବା ଅଗ୍ନିର ଚୁମ୍ବକ ପାଇ ଯେପରି କୁମ୍ପିବାଣରୁ ହାସ୍ୟ ଝଡଥାଏ, ସେହିପରି ସେ ଟହ ଟହ ହୋଇ ହସି ଉଠିଲେ ।

 

ଏହା ଉତ୍ତାରୁ ପ୍ରାୟ ଏକଘଣ୍ଟା ବ୍ୟାପୀ ନାନା ପ୍ରକାର ବିଶ୍ରମାଳାପ ଚାଲିଥିଲା । ରାଜା କିଶୋରଚନ୍ଦ୍ରଙ୍କର ସ୍ନେହ ପ୍ରବଣ ହୃଦୟର କଳନା କରିବାହିଁ ଲେଖକ ପକ୍ଷରେ ଅସମ୍ଭବ । ତାହାଙ୍କର କଥୋପକଥନ ସମୟରେ ଏତିକି ମାତ୍ର ବୋଧ ହେଉଥିଲା ଯେ ତାହାଙ୍କର ଶାସନ-ଶକ୍ତି ଅପେକ୍ଷା ସ୍ନେହର ଦାବୀ ଅତ୍ୟନ୍ତ ଅଧିକ । ତାହାଙ୍କର ମୁଖରେ ଶାରଦାକାଶର ନିର୍ବିକାର ନିର୍ମ୍ମଳତା, ତହିଁରେ କୁ ଅଭିସନ୍ଧିର ସାମାନ୍ୟ ଛାୟା ମଧ୍ୟ ନାହିଁ ।

 

ଅପରାହ୍ନରେ ଦଶହରା ପର୍ବର ସମସ୍ତ ରାଜବିଧି ପ୍ରତିପାଳିତ ହେଲା । ଦଶହରା ପଡିଆରେ ପ୍ରଥମ ପାଟପୂଜା ସମୟରେ ତାଳଚେର ରାଜ୍ୟର ସସ୍ଥାପକ ରାଜା ପଦ୍ମନାଭ ବୀରବର ହରିଚନ୍ଦନଙ୍କ ସମୟରୁ ଯେଉଁ ବିଧି ପ୍ରଚଳିତ ଅଛି ସେ ଗୁଡ଼ିକ ଯଥାଯଥ ଭାବରେ ଅନୁଷ୍ଠିତ ହେଲା-। ଏ ରାଜ୍ୟ ପୂର୍ବେ ଖଣ୍ଡୁଆଳ ଜମିଦାରଙ୍କର ଥିଲା, ରାଜା ପଦ୍ମନାଭ ହରିଚନ୍ଦନ ତାହାଙ୍କୁ ନିହତ କରି ବ୍ରାହ୍ମଣୀ ନଦୀର ତାଳତୁଠ ନିକଟରେ ତାଳେଶ୍ୱରୀଙ୍କୁ ପୂଜାକରି ରାଜତ୍ୱର ‘‘ଚେର’’ ଲଗାଇଲେ ବୋଲି ଏହାର ନାମ ତାଳଚେର ହୋଇଅଛି । ଏହି ବାର୍ଷିକ ପାଟପୂଜା ସମୟରେ ଖଣ୍ଡୁଆଳଙ୍କର ଦଶହରା ପଡିଆକୁ ଆଗମନ ସସମ୍ଭ୍ରମରେ ହୋଇଥାଏ । ଏ ସମ୍ବନ୍ଧରେ ଗୋଟିଏ କିମ୍ବଦନ୍ତୀ ତାଳଚେର ଇତିହାସରେ ଦ୍ରଷ୍ଟବ୍ୟ । ରାଜବାଟିରେ ଲକ୍ଷ୍ୟଭେଦ ପ୍ରଭୃତି ହେଲା ଏବଂ ରାଜା ମହୋଦୟ ପୂଜାମଣ୍ଡପରେ ଆସନ ଗ୍ରହଣ କରି ନିମ୍ନାଙ୍କିତ ସ୍ତବ ଆବୃତ୍ତ କଲେ ।

 

ଦୁର୍ଗାଂ ଶିବାଂ ଶାନ୍ତିକରୀଂ ବ୍ରହ୍ମଣୀଂ ବ୍ରହ୍ମଣଃ ପ୍ରିୟା

ସର୍ବଲୋକ ପ୍ରଣେତ୍ରୀଞ୍ଚ ପ୍ରଣମାସି ସଦା ଶିବା;

ମଙ୍ଗଳାଂ ଶୋଭନାଂ ଶୁଦ୍ଧାଂ ନିଷ୍କଳାଂ ପରମାଂ କଳାଂ

ବିଶ୍ୱେଶ୍ୱରୀଂ ବିଶ୍ୱମାଞ୍ଚ ଚଣ୍ଡୀକାଂ ପ୍ରଣମାମ୍ୟହଂ ।

 

ଏହା ଉତ୍ତାରୁ ବିସର୍ଜ୍ଜନ ସମୟରେ ‘‘ପୁନରାଗମନାୟଚ’’ ଶ୍ଲୋକର ଆବୃତ୍ତ ସମୟରେ ଯୁବରାଜ ସାହେବ ଓ ପଟ୍ଟାୟତ ସାହେବ ରାଜ-ପୌତ୍ର ଓ ପୌତ୍ରୀ ବର୍ଗଙ୍କର ଏକତ୍ର ସଂସ୍ଥିତ ବଡ ସୁନ୍ଦର ଓ ନିଷ୍ଠାପର ବୋଧ ହେଉଥିଲା ।

 

ସନ୍ଧ୍ୟା ଉତ୍ତାରୁ ରାଜବାଟିର ଦରବାର ଗୃହରେ ତାଳଚେର ରାଜ୍ୟସ୍ଥିତ ସମସ୍ତ ସରବରାକାର ଏବଂ ପ୍ରଧାନମାନଙ୍କୁ ଘେନି ରାଜା ମହୋଦୟ ଗୋଟିଏ ଦରବାର କରିଥିଲେ । ଏ ଦରବାରରେ ରାଜ ଉପଢ଼ୌକନ ଗ୍ରହଣ ଉତ୍ତାରୁ ଉପାଧି ମଧ୍ୟ ପ୍ରଦତ୍ତ ହେଲା । ଦରବାରସ୍ଥ ସମସ୍ତ ପ୍ରଧାନବର୍ଗଙ୍କର ମହାପ୍ରସାଦ ସେବା ମଧ୍ୟ ଅନୁଷ୍ଠିତ ହେଲା । ସମଗ୍ର ବର୍ଷ ସକାଶେ ଏହି ମହାପ୍ରସାଦ ସେବା କରି ସମସ୍ତେ ରାଜ୍ୟର ମଙ୍ଗଳ-ଚିନ୍ତା ତଥା ରାଜଅନୁଗତ୍ୟ ସ୍ୱୀକାରରେ ପ୍ରତିଜ୍ଞାବଦ୍ଧ ହେବା ଏବଂ ଶପଥ ଗ୍ରହଣ କରିବା ଦୃଶ୍ୟ ଅତି ମର୍ମ୍ମସ୍ପର୍ଶୀ ହୋଇଥିଲା ।

 

ରାତ୍ରି ଏକପ୍ରହରସମୟରେ ତାଳଚେରର ଦିଓଟି କୋଇଲା ଖଣିର ବଙ୍ଗୀୟ କର୍ମ୍ମଚାରୀ ବୃନ୍ଦଙ୍କର ଅନୁଷ୍ଠିତ ଦୁର୍ଗାପୂଜାର ଦୁଇ ଦେବୀ ପ୍ରତିମା ବିବିଧ ବାଦ୍ୟ ନିନାଦ ଏବଂ ଆଡମ୍ବର ସହକାରେ ରାଜବାଟିରେ ଉପସ୍ଥିତ ହେଲେ । ଏହି ମୃଣ୍ମୟୀ ପ୍ରତିମା ଦୁର୍ଗାପୂଜା ସମୟରେ କଟକ, ବାଲେଶ୍ୱର, ଯାଜପୁର କେନ୍ଦ୍ରାପଡା ପ୍ରଭୃତି ସ୍ଥଳରେ ନିର୍ମିତ ହୋଇଥାଏ । କୋଇଲା ଖଣିର ବଙ୍ଗୀୟ କର୍ମ୍ମଚାରୀବୃନ୍ଦଙ୍କର ବିଜୟୀ-ଗୀତି କରୁଣ ଓ ମଧୁର ବୋଧ ହେଉଥିଲା । ଏମାନେ ରାଜବାଟିରୁ ପ୍ରତିମାନଙ୍କୁ ଘେନି ବ୍ରାହ୍ମଣୀ ନଦୀରେ ବିସର୍ଜ୍ଜନ କଲେ ।

 

ଏହି ସମସ୍ତ ଦର୍ଶନ ଉତ୍ତାରୁ ଶକ୍ତିପୂଜା ଓ ଦେବୀଙ୍କର ପୂଜା ସମ୍ବନ୍ଧରେ ରାଜା ମହୋଦୟଙ୍କ ସହିତ ଅନେକକ୍ଷଣ କଥୋପକଥନ ହୋଇଥିଲା । କେବଳ ପୂଷ୍ପ ନୈବେତ୍ୟ ପ୍ରଭୃତି ବାହ୍ୟ ପୂଜାର ଆଡମ୍ବରରେ କଅଣ ପ୍ରଥାନୁସାରେ ଦୁର୍ଗା ଦେବୀଙ୍କର ଉଦ୍ଦୋଧନ ପୂଜା ଓ ବିସର୍ଜ୍ଜନ ହେଉଥିବ ? ‘ପୁନରାଗମନାୟତ’ କହି ଶକ୍ତିମୟୀଙ୍କୁ ଆହ୍ୱାନ କରି ସମଗ୍ର ବର୍ଷଟି କଅଣ ସମସ୍ତେ ଶୋଇ ରହିଥିବେ ? ଯେଉଁ ପୂଜାରେ ଆତ୍ମନିବେଦନ ନାହିଁ; ସେ ପୂଜା କଅଣ ଶକ୍ତିମୟୀ ଗ୍ରହଣ କରିଥାଆନ୍ତି ? ‘‘ଜନନୀ ଜାଗୃହ’’ ବୋଲି ଆମ୍ଭେମାନେ ଉଚ୍ଚରବରେ ଡାକିଥାଉଁ, କିନ୍ତୁ ଆମ୍ଭେମାନେ ସ୍ୱୟଂ କେଉଁ ଜାଗରଣର ପରିଚୟ ଦେଉଅଛୁଁ ?

 

ସମ୍ମୁଖରେ କଠୋର କର୍ତ୍ତବ୍ୟ ପଥ ଦୀର୍ଘ ଓ ଅନାବିଷ୍କୃତ ଅବସ୍ଥାରେ ପଡି ରହିଅଛି । ସେହି ମାର୍ଗରେ ଅଗ୍ରସର ହେବା ସକାଶେ ଯେଉଁ ଆତ୍ମନିୟୋଗର ଶକ୍ତି ପ୍ରୟୋଜନ, ସେହି ଶକ୍ତିରେ ଅନୁପ୍ରାଣିତ ହେବା ଭଳି କେଉଁ ଉଦ୍ୟୋ୍‌ଗ ଅଥବା ଆୟୋଜନ ଆମ୍ଭେମାନେ କରୁଅଛୁଁ ? ଆତ୍ମବଳି ପୂଜାର ପ୍ରଧାନ ଉପକରଣ ନୁହେ କି ? ଏବଂ ଶୌର୍ଯ୍ୟରୂପୀ କାର୍ତ୍ତିକେୟଙ୍କର ପ୍ରତୀକ ବିଦ୍ୟମାନ । ଆମ୍ଭମାନଙ୍କର ଗଣଶକ୍ତିର ଏଡେ ଅଭାବ ଯେ, ବଙ୍ଗଦେଶୀୟ ମୃଣ୍ମୟୀ ଦୁର୍ଗା ପ୍ରତିମାର ଚିତ୍ର ସମସ୍ତଙ୍କର ଆକର୍ଷଣର ବସ୍ତୁ । ଆମ୍ଭମାନଙ୍କର ପୂର୍ବ ପୁରୁଷମାନେ ଶକ୍ତିସାଧନ କାଳରେ ଗଣଶକ୍ତି, ଜ୍ଞାନଶକ୍ତି, ଧନଶକ୍ତି ଓ ଶୌର୍ଯ୍ୟର ସାଧନ କରୁଥିଲେ । ଏହି ହେତୁରୁ ଦୁର୍ଗାପ୍ରତିମା ସହିତ ଗଣପତି ଗଣେଶଙ୍କର, ଜ୍ଞାନଦାୟିନୀ ସରସ୍ୱତୀଙ୍କର, ଧନଦାଲକ୍ଷ୍ମୀଙ୍କର ସମସ୍ତେ ସମବେତ ହୋଇ ମହାଶକ୍ତିର ସାଧନା କରିବା ଦୂରକୁ ଥାଉ, ଦୁଇଜଣ ସୁଦ୍ଧା ଏମନ୍ତ କଅଣ ସ୍ତ୍ରୀ ପୁରୁଷ ଏକତ୍ର ହୋଇ କୌଣସି କାର୍ଯ୍ୟ କରି ପାରୁନାହିଁ । ଗୃହବିବାଦ, ଭ୍ରାତୃବିବାଦ, ସାମ୍ପ୍ରଦାୟିକ ବିବାଦ, ଦଳଗତ ବିବାଦ ପ୍ରଭୃତିରେ ଆମ୍ଭମାନଙ୍କର ଶକ୍ତିପୂଜାର ମଙ୍ଗଳଘଟ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଉଅଛି କିଏ ଆମ୍ଭମାନଙ୍କୁ ଏହି ମହାମଙ୍ଗଳ ସାଧନ ସକାଶେ ମହାଶକ୍ତି ସାଧନାରେ ସିଦ୍ଧି ପ୍ରଦାନ କରିବେ ? ଏହି ଶକ୍ତି ସାଧନାରେ ସର୍ବାଗ୍ରରେ ଗଣପତିଙ୍କର ପୂଜା କରିବାକୁ ହୁଏ । କିନ୍ତୁ ଆମ୍ଭମାନଙ୍କର ଏଭଳି ଦୁର୍ଭାଗ୍ୟ ଯେ ଆମ୍ଭେମାନେ ବର୍ଣ୍ଣ ଧର୍ମ୍ମନିର୍ବିଶେଷରେ ସମସ୍ତେହିଁ ବିଘ୍ନବିନାଶନ ଗଣପତିଙ୍କର ପୂଜା ପରିତ୍ୟାଗକରି ବିରୋଧ ନାମକ ରାକ୍ଷସର ପୂଜା କରିବାକୁ ବସିଅଛୁଁ । ଏହି ହେତୁରୁ ବିରୋଧ ଏବଂ ତାହାର ସହଚର ଅନୈକ୍ୟ ନାମକ ଦାନବ ଆସି ଆମ୍ଭମାନଙ୍କର ପୂଜାର ଉପକରଣ ଗ୍ରାସକରି ପକାଉଅଛି । ଆମ୍ଭମାନଙ୍କର ସିଦ୍ଧିଲାଭର ପଥ କଣ୍ଟକାକୀର୍ଣ୍ଣ କରୁଅଛି । ଆମ୍ଭମାନଙ୍କର ଶକ୍ତି ପୂଜାର ପ୍ରାଥମିକ କାର୍ଯ୍ୟ ସାଧନରେ ଅଯୋଗ୍ୟତା ପ୍ରକଟିତ । ଆମ୍ଭେମାନେ ମହାଶକ୍ତିସାଧନ ଦ୍ୱାରା ପରମମଙ୍ଗଳଲାଭ କରିବାକୁ ସମର୍ଥ ହେବୁଁ କିପରି ?

 

ଆମ୍ଭମାନଙ୍କର ଅବିଦ୍ୟା କିମ୍ବା ଅଜ୍ଞାନକୁ ଆଶ୍ରୟ କରି ଏହି ବିରୋଧ ନାମକ ମହାରାକ୍ଷସ ଆମ୍ଭମାନଙ୍କର ପୂଜାମଣ୍ଡପରେ ପ୍ରବେଶ କରିଅଛି । ଅଜ୍ଞାନ ମୋହରେ, ସତ୍‌ଶିକ୍ଷାର ଅଭାବରେ, ଚିତ୍ତଶୁଦ୍ଧିର ଅପ୍ରାଚୁର୍ଯ୍ୟ ହେତୁ ଆମ୍ଭମାନଙ୍କର ପ୍ରକୃତ କଲ୍ୟାଣ ବୁଝି ପାରୁନାହିଁ । କୁଶିକ୍ଷା ଆମ୍ଭମାନଙ୍କର କଲ୍ୟାଣକୁ ଗ୍ରାସ କରି ନୀଚ ଏବଂ ଜଘନ୍ୟ ସ୍ୱାର୍ଥବୁଦ୍ଧିକୁ ତାହାର ସ୍ଥାନରେ ବସାଇ ଦେଇଅଛି । ଆମ୍ଭେମାନେ ପରମ କଲ୍ୟାଣ ବର୍ଜ୍ଜନକରି କୁସ୍ୱାର୍ଥର ସାଧନାରେ ରତ ହୋଇଅଛୁଁ । ଅଜ୍ଞତାର ଅନ୍ଧକାରରେ ଆମ୍ଭେମାନେ ତାହାର ବିକଟ ବିଭତ୍ସ ମୂର୍ତ୍ତି ଦେଖିବାକୁ ଅସମର୍ଥ । ବିଦ୍ୟାରୁପିଣୀ ସରସ୍ୱତୀଙ୍କର କୃପା ବ୍ୟତୀତ ଆମ୍ଭମାନଙ୍କର ଅନ୍ତରର ଆବିଳତା ଦୂରହେବନାହିଁ । ଜ୍ଞାନଦାୟିନୀ ଦେବୀ ସରସ୍ୱତୀଙ୍କର ଶୁଭ୍ର-ସ୍ୱଚ୍ଛରୂପ ବର୍ତ୍ତମାନ ଆମ୍ଭମାନଙ୍କର ଅନ୍ତର ମଧ୍ୟରେ ନିଦ୍ରାରେ ଆଚ୍ଛନ୍ନ । ଆମ୍ଭେମାନେ ଶୌର୍ଯ୍ୟ ସ୍ଥାନରେ କାପୁରୁଷତାର ପୂଜାକରୁଅଛୁଁ, ଘୋର ଖଳତା ଓ କ୍ରୂରତାର ଆଶ୍ରୟ ଗ୍ରହଣ କରିଅଛୁଁ । ଶୌର୍ଯ୍ୟରେ ଯେଉଁ କାର୍ଯ୍ୟ ସିଦ୍ଧହୁଏ ଖଳତାରେ ତାହା ସିଦ୍ଧ ହେବନାହିଁ । ଶୌର୍ଯ୍ୟର ଅଧିଷ୍ଠାତୃଦେବ କାର୍ତ୍ତିକେୟ ଶିଖିବାହନ । ଶିଖୀ ସର୍ପଭୋଜୀ, ସର୍ପ କ୍ରୂରତାର ମୂର୍ତ୍ତି । ଶୌର୍ଯ୍ୟର ସେବା କରିବାକୁ ହେଲେ ଅନ୍ତରରୁ ସର୍ବବିଧ ଖଳତା ଏବଂ କୂରତା ନିର୍ବାସିତ କରିବାକୁ ହେବ। ମନଃ ପ୍ରାଣରେ ଯାହାକୁ ପ୍ରକୃତ ଧର୍ମ୍ମବୋଲି ଜାଣୁଁ, ତାହାର ସାଧନ କଳ୍ପରେ ଜୀବନ ଉତ୍ସର୍ଗ କରିବାହିଁ ଶୌର୍ଯ୍ୟ । ଶୌର୍ଯ୍ୟ କେବେହେଁ ସମ୍ପ୍ରଦାୟବିଶେଷକୁ ଖଳତା ସହିତ ଦମନ କରି ନିଜର ନୀଚ ସ୍ୱାର୍ଥସାଧନରେ ରତିହୋଇନଥାଏ ।

 

ଶକ୍ତିଲାଭ କରିବାକୁ ହେଲେ ସମୃଦ୍ଧି ଦେବୀଙ୍କର ପ୍ରସାଦଲାଭ ସକାଶେ ତାହାଙ୍କର ସାଧନା କରିବା କର୍ତ୍ତବ୍ୟ । ଲକ୍ଷ୍ମୀ ସେହି ସମୃଦ୍ଧିର ଅଧିଷ୍ଠାତ୍ରୀ ଦେବୀ । ମାତ୍ର ଶିଳ୍ପ ଓ ବାଣିଜ୍ୟରେହିଁ ଲକ୍ଷ୍ମୀଙ୍କର ନିବାସ । ମାତ୍ର ଆତ୍ମକଳହରେ ଯେଉଁ ଦେଶରେ ଉଚ୍ଛନ୍ନର ପ୍ରସାର ବୃଦ୍ଧି ହେଉଅଛି, ସେ ଦେଶ ଶିଳ୍ପ ବାଣିଜ୍ୟରେ ମୁଣ୍ଡ ଟେକିବ କିପରି ? ତାମସିକତାର ଅନ୍ଧ ତମିସ୍ରାରେ ସୌଭାଗ୍ୟ ଦେବୀଙ୍କର ହୈମମୂର୍ତ୍ତି ପ୍ରକାଶିତ ହେଉନାହିଁ ।

 

ଦଶହରାଠାରୁ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ତାଳଚେର ରାଜ୍ୟସ୍ଥିତ ପରିଣତ ବୟସ୍କ ମଧ୍ୟମ ବୟସ୍କ ଓ କ୍ଷୁଦ୍ର ବୟସ୍କ ପ୍ରଜାମାନଙ୍କ ମଧ୍ୟରେ ଯେଉଁ କ୍ରୀଡା କୌତୁକ ଓ ପ୍ରଦର୍ଶନୀ ପ୍ରଭୃତିର ଉତ୍ସବମୟ ପ୍ରତିଯୋଗୀତାର ସୁବନ୍ଦୋବସ୍ତ ୧୯୨୩ ସାଲରୁ ଆରମ୍ଭ ହୋଇଅଛି, ତାହା ଦେଶୀୟ ଓ ବିଦେଶୀୟ ସମସ୍ତଙ୍କର ଅତ୍ୟନ୍ତ ଉପଭୋଗ୍ୟ ଏବଂ ଆଗ୍ରହର ବସ୍ତୁ । ଏଗୁଡିକ ରାଜକୀୟ ସାହାଯ୍ୟରେ ପଟ୍ଟାୟତ ଶ୍ରୀ ପ୍ରମୋଦଚନ୍ଦ୍ର ଦେବଙ୍କର ଉର୍ବ୍ବର ମସ୍ତିସ୍କ ପ୍ରସ୍ତୁତ । ଉତ୍କଳର ଭିନ୍ନ ଭିନ୍ନ ଅଂଶରେ ଯେଉଁ କ୍ରୀଡ଼ା କୌତୁକର ନାନାପ୍ରକାର ବ୍ୟବସ୍ଥା ରହିଅଛି, ସମସ୍ତ ପ୍ରକାର ଆୟୋଜନ ଏଠାରେ ରହିଅଛି ସତ୍ୟ, ଅଧିକନ୍ତୁ ନୂତନ ନୂତନ କ୍ରୀଡାର ଉଦ୍ଭାବନ ହେତୁ ତାଳଚେରର ବିଶେଷତ୍ୱ ଅକ୍ଷୁର୍ଣ୍ଣ ରହିଅଛି । ଏହି ଉତ୍ସବରେ ସମଗ୍ର ତାଳଚେର ରାଜ୍ୟର ଅଧିକାଂଶ ଗ୍ରାମର ପ୍ରଜାବର୍ଗ ଯୋଗ ଦେଇଥାଆନ୍ତି, ପ୍ରତିଯୋଗୀତାରେ ପ୍ରତ୍ୟେକ ଦିନ ଯେଉଁମାନେ ଶୀର୍ଷସ୍ଥାନ ଅଧିକାର କରନ୍ତି ଯେମାନଙ୍କ ସକାଶେ ଏହି ଚାରିଦିନ ରାଜସରକାରରୁ ଖାଦ୍ୟପାନର ବ୍ୟବସ୍ଥା ହୋଇଥାଏ । ଶେଷଦିନ ସମସ୍ତଙ୍କ ମଧ୍ୟରେ ଯଥାଯୋଗ୍ୟ ପୁରସ୍କାର ବିତରିତ ହୁଏ । ପ୍ରତ୍ୟହ ପୂର୍ବାହ୍ନ ୬ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏବଂଅପହରାହ୍ନ ୩ଟା ଠାରୁ ୬ଟା ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ସମଭାବରେ ଚାଲିଥାଏ, ରାତ୍ରିରେ ମଧ୍ୟ କୌଣସି କୌଣସି ବିଷୟର ପ୍ରତିଯୋଗୀତା ରାଜବାଟିରେ ଅନୁଷ୍ଠିତ ହୁଏ । ସମସ୍ତ ପ୍ରତିଯୋଗୀତା ତାଳଚେର ଗଡର ଏକ ପ୍ରାନ୍ତସ୍ଥିତ ଚାଉଳିଆ କୁତା ପ୍ରମୋଦ ପ୍ରାନ୍ତର (ଖେଳପଡିଆ) ଠାରେ ଅନୁଷ୍ଠିତ ହୋଇଥାଏ । ଏଠାରେ ଭଦ୍ର ଓ ସାଧାରଣ ବ୍ୟକ୍ତିବର୍ଗ ତଥା ମହିଳା ବର୍ଗଙ୍କ ସକାଶେ ଆସନ ଓ ଛାୟାମଣ୍ଡପ ପ୍ରଭୃତି ପ୍ରସ୍ତୁତ ହୋଇଥାଏ, ଏବଂ ପାନୀୟ ପ୍ରଭୃତିର ମଧ୍ୟ ବିଶେଷ ବନ୍ଦୋବସ୍ତ ଥାଏ । ସାଧାରଣ ମଧ୍ୟ ବୟସ୍କ ଏବଂ କ୍ଷୁଦ୍ର କ୍ଷୁଦ୍ର ବାଳକ ବାଳିକାମାନଙ୍କ ସକାଶେ ପ୍ରତ୍ୟହ ବିଶେଷ ବିଶେଷ ପ୍ରକାର କ୍ରୀଡାର ବ୍ୟବସ୍ଥା ରହିଅଛି, ସମସ୍ତ କ୍ଷେତ୍ରରେ ପ୍ରତିଯୋଗୀତା ସୁପରିସ୍ଫୁଟ । ଅନ୍ୟାନ୍ୟ ସ୍ଥାନର ବିଭିନ୍ନ କ୍ରୀଡା କୌତୁକ ବ୍ୟତୀତ ଏଠାର ବିଶେଷତ୍ୱ ନିମ୍ନାଙ୍କିତ କ୍ରୀଡା କୌତୁକରେ ଆତ୍ମପ୍ରକାଶ କରୁଅଛି ।

 

ଲକ୍ଷଭେଦ

 

(କ)

ରାଇଫଲ (Rifle)

ବେଙ୍ଗୁଲିଚାଲି ।

(ଖ)

କାଣ୍ଡ ।

ଲଙ୍ଗଳ ଚାଲି

(ଗ)

ପୂର୍ବକାଳର ବନ୍ଧୁକ ।

ହାତଚାଲି ।

(ଘ)

ବାଟୁଳି ।

ରଣପା ।

 

ବର୍ଚ୍ଛାବାନ ।

କାତିଖେଳ ।

 

ଘୋଡାର ବୁଲୁକି ଦୁଉଡ ।

ଦୋଅଣି ଖୋଜା ।

 

ମାଣ୍ଡିଯୁଦ୍ଧ ।

ମୁଆଁ ଖିଆ ।

 

ଫଡ଼ିଖେଳ ।

ହସ୍ତୀ ଦଉଡ ।

 

ଅଙ୍ଗକଷା ଦଉଡ଼ ।

ହସ୍ତୀ ସନ୍ତରଣ

 

କୁମ୍ଭୀର ଚାଲି ।

ଘୋଡାଡିଆଁ

 

ଯୁଦ୍ଧ କ୍ଷେତ୍ରରେ ଅଶୋପରି ଶବସଂଗ୍ରହର ଅନୁକରଣ ଗୋଟିଏ ଛାନ୍ଦର ବିଭିନ୍ନ ରାଗିଣୀ ଆବୃତ୍ତ ।

 

ଗୀତାନ୍ତ । (ଅନ୍ତାକ୍ଷରୀ)

ପାଦପୂରଣ ।

 

ଏହି କ୍ରୀଡା କୌତୁକାଦିରେ ଯେଉଁ ଐକାନ୍ତିକତା, କ୍ଷିପ୍ରକାରିତା, ଓ ସାହସିକତା ପ୍ରଦର୍ଶିତ ହୋଇଥିଲା ତାହା ଲେକକ ପକ୍ଷରେ ଅସାଧାରଣ ବୋଲି ବିବେଚିତ ହେବା ସ୍ୱାଭାବିକ । ଲେଖକ ତିନିଦିନ ଦୁଇଓଳି ସମସ୍ତ ପ୍ରକାର କ୍ରୀହାଦେଖି ବିସ୍ମିତ ଓ ଚମତ୍କୃତ ହୋଇଥିଲା । ରାତ୍ରିରେ ରାଜବାଟିରେ ଗୀତାନ୍ତର ଅଭିନୟ ଓ ଛନ୍ଦ ସମୂହର ବିଭିନ୍ନ ରାଗିଣୀରେ ଗାଇବା ଦେଖି ମୁଗ୍ଧ ହୋଇଥିଲା । ଗୀତାନ୍ତର ଅଭିନୟ ବଡ଼ ସହଜ ବସ୍ତୁନୁହେଁ, କିମ୍ବା ଗୋଟିଏ ଛନ୍ଦକୁ ବିଭିନ୍ନ ପ୍ରକାର ରାଗିଣିରେ ଗାଇବା ଅତି କଠିଣ ବ୍ୟାପାର ଜଣେ ବ୍ୟକ୍ତି ଗୋଟିଏ ଗୀତ ଅଥବା କବିତା ଆବୃତ୍ତି କରି ଯେଉଁ ପଦରେ ଶେଷ କରିବେ ସେହି ଶେଷ ପଦର ଅକ୍ଷରରୁ ଅନ୍ୟ କେହି ଆବୃତ୍ତି କରିବେ, ପୁଣି ତାହାଙ୍କର ଶେଷ ପଦର ଅକ୍ଷରରୁ ଅପର ବ୍ୟକ୍ତି ଆରମ୍ଭ କରିବେ, ଏହିପରି ଚାଲିଥିଲା । ଛାନ୍ଦର ବିଭିନ୍ନ ରାଗିଣୀରେ ଆବୃତ୍ତି ମଧ୍ୟରେ ଏତିକିରୁ ଜଣାଯିବ ଯେ ଚୋଖୀ ରାଗିଣୀର ଛାନ୍ଦକୁ ୧୮ ପ୍ରକାର, ତଥା କାମୋଦୀ ରାଗିଣୀକୁ ୯ ପ୍ରକାର ରାଗିଣୀରେ ପକାଇ ଆବୃତ୍ତି କରିବାର ଦୃଶ୍ୟ ଯେପରି କୌତୁହଳୋଦ୍ଦୀପକ, ସେହିପରି ବିସ୍ମୟାବହ । ଗୋଟିଏ, ଓଡିଆ ପଦ୍ୟର ଗୋଟିଏ ଧାଡି ପାଦପୂରଣ ସକାଶେ ପ୍ରଦତ୍ତ ହୋଇଥିଲା, ସେଥିରେ ପ୍ରାୟ ୨୫ ଜଣ ପ୍ରତିଯୋଗୀ ହୋଇଥିଲେ । ତହିଁ ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ପଦ୍ୟରେ ଛନ୍ଦ, ଯତି ଓ ଭାବ ଅକ୍ଷୁନ୍ତ ରହିଥିବାରୁ ସେ ପୁରସ୍କାର ପ୍ରାପ୍ତିର ଯୋଗ୍ୟବୋଲି ବିବେଚିତ ହୋଇଥିଲେ । କ୍ରୀଡା କୌତୁକର ସମସ୍ତପ୍ରକାର ଆୟୋଜନ ମଧ୍ୟରେ ସାହିତ୍ୟ ରାଜ୍ୟର ଏଭଳି ବିଶେଷତ୍ୱ ସ୍ଥାନ ପ୍ରାପ୍ତିର ଅଧିକାର ଲାଭକରିଥିବାରୁ ତାଳଚେରର ସାହିତ୍ୟିକ ରାଜବଂଶ ଅଜସ୍ର ସାଧୁବାଦ ଗ୍ରହଣ ଅଧିକାରୀ । ଏଭଳି ସାହିତ୍ୟିକ ପ୍ରତିଯୋଗୀତା ଦେଶରୁ କ୍ରମେ କ୍ରମେ ନଷ୍ଟ ହେଉଥିବା ସ୍ଥଳରେ ତାଳଚେରର କର୍ତ୍ତୃପକ୍ଷଙ୍କ ପ୍ରତିବର୍ଷ ଏ ବିଷୟରେ ସମଧିକ ଉତ୍ସାହ ପ୍ରଦାନ ସମଗ୍ର ଦେଶ ପକ୍ଷରେ ଗୌରବାବହ ଏଥିରେ ସନ୍ଦେହ ନାହିଁ । ଏହା ଉତ୍ତାରୁ ତୃତୀୟ ଦିବସର ସାହାହ୍ନରେ ରାଜବାଟିସ୍ଥିତ ସୁବୃହତ୍ ପ୍ରାଙ୍ଗଣରେ ପୁରସ୍କାର ବିତରଣର ସୁବୃହତ୍‌ଅନୁଷ୍ଠାନ ସୁସଂପନ୍ନ ହେଲା । ରାଜା ମହୋଦୟ ଶ୍ରୀହସ୍ତରେ ସମସ୍ତ ପୁରସ୍କାର (ପ୍ରାୟ ତିନିଶତ) ବଣ୍ଟନ କରିଥିଲେ । ତିନି ଦିବସ ବ୍ୟାପୀ ଫଡ ଖେଳର ପ୍ରତିଯୋଗିତା ମଧ୍ୟରୁ ଜଣେ ବ୍ୟକ୍ତିଙ୍କ (ଶ୍ରୀ ପାର୍ଥ ଗଡ଼ନାୟକ) ମସ୍ତକରେ ଶାଢ଼ୀ ବନ୍ଧାହେଲା ଏବଂ ରାଜା ମହୋଦୟ ଆଧୁନିକ ଯୁଗୋପଯୋଗୀ ଗୋଟିଏ ଢ଼ାଲ (Sheild) ତାହାଙ୍କ ଅର୍ପଣକଲେ । ଏହି ଢ଼ାଲରେ ପ୍ରତିବର୍ଷ ଜେତାମାନଙ୍କ ନାମ ରୌପ୍ୟାକ୍ଷରରେ ଖୋଦିତ ରହିଥିବାର ଦୃଷ୍ଟହେଲା । ଯୁବରାଜଙ୍କର କନ୍ୟା ସୁରୁଚିମାଳୀଦେବୀ ସାଇକେଲ ଦଉଡ ଏବଂ ପଟ୍ଟାୟତସାହେବଙ୍କର ୫ମ ବର୍ଷୀୟା ଶିଶୁକନ୍ୟା ସାଇକେଲ ଦଉଡ଼ିରେ, ଯୁବରାଜଙ୍କର ଜ୍ୟେଷ୍ଠତ୍ମକ ଟିକାୟତ ସାହେବ ଶ୍ରୀ ସୌଭାଗ୍ୟଚନ୍ଦ୍ର ତଥା ଅପର ଆତ୍ମନବର୍ଗ, ପଟ୍ଟାୟତ ସାହେବଙ୍କର ଆତ୍ମକ ଶ୍ରୀ ପ୍ରବୋଧଚନ୍ଦ୍ର ଦେବ ବିଭିନ୍ତ୍ର ବିଷୟରେ କେତେଗୋଟି ପୁରସ୍କାର ଗ୍ରହଣ କରିଥିଲେ । ତାଳଚେର ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ ଜଗନ୍ମୋହନ ଦାସ ଭିବିନ୍ନ ଦଶ ପ୍ରକାର କ୍ରୀଡାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଦଶଗୋଟି ପୁରସ୍କାର ଗ୍ରହଣ କରି ସମସ୍ତଙ୍କର ଚିତ୍ତାକର୍ଷଣ କରିଥିଲା । ରାଜା ମହୋଦୟ ରାଜବଂଶୀୟଙ୍କ ସହିତ ପ୍ରଜାସାଧାରଣଙ୍କର ସମାନ ଭାବରେ ପ୍ରତିଯୋଗୀତାର ସ୍ଥାନ ନିର୍ଦ୍ଦେଶ କରିଦେବାର ଦୃଶ୍ୟ ତାଳଚେରର ଅନ୍ୟତମ ବିଶେଷତ୍ୱ ଏଥିରେ ମତଦ୍ୱୈଧର କାରଣ ନାହିଁ ।

 

କୁମାର ପୂର୍ଣ୍ଣିମାର ଅପରାହ୍ନରେ ତାଳଚେର ରାଜ୍ୟ ସମସ୍ତ ଅଂଶରୁ କୃଷି ଓ ଶିଳ୍ପ ସମ୍ଭାରର ପ୍ରଦର୍ଶନୀ ରାଜବାଟୀସ୍ଥ ଦରବାର ଗୃହରେ ସାଧାରଣଙ୍କ ସକାଶେ ଉନ୍ମୁକ୍ତ ହେଲା । କୃଷି ସମ୍ଭାରରେ କେତେ ଗୁଡିଏ ଆୟକର ଉଦ୍ଭିଦର ଚରମତ୍କର୍ଷ ପ୍ରଦର୍ଶିତ ହୋଇଥିଲା ଏବଂ ଶିଳ୍ପ ସମ୍ଭାର ମଧ୍ୟରେ ତାଳଚେର ବାସୀଙ୍କର ପ୍ରସ୍ତୁତ ନିମ୍ନ ଦ୍ରବ୍ୟାଦି ଉତ୍କଷ୍ଟ ବିବେଚିତ ହୋଇଥିଲା ।

 

 

 

(୧) କେଶ କର୍ତ୍ତନ ଯନ୍ତ୍ର ।

 

(୨) ବେହେଲା ।

 

(୩) ଆଠ ଫାଳିଆ ଛୁରୀ । (ଚାକୁ)

 

(୪) ମେଣ୍ଢାଲୋମର ହାତକଟା ସୂତାରେ ପ୍ରସ୍ତୁତ ମସ୍ତକାଚ୍ଛାଦନୀ ।

 

(୫) ସଠିକ ଭାର କେନ୍ଦ୍ରର ନମୁନା ।

 

(୬) ଆଲପକା ସୂତାଦ୍ୱାରା ହାତରେ ପ୍ରସ୍ତୁତ ଶାଢ଼ୀ ।

 

(୭) ଗୋଟିଏ କ୍ଷୁଦ୍ର Steam Engine (ବାଷ୍ପ ପରିଚାଳିତ ଯନ୍ତ୍ର)

 

ସନ୍ଧ୍ୟାରେ ପ୍ରକାଶ୍ୟ ଦରବାରରେ ରାଜା ମହୋଦୟ ଶ୍ରୀମାନ୍ ହୃଦୟଚନ୍ଦ୍ର ଦେବ ଯୁବରାଜ ମହୋଦୟଙ୍କୁ ମହାମହିମା ଭାରତ ସମ୍ରାଟ ଷଷ୍ଠ ଜର୍ଜ୍ଜଙ୍କର ରାଜ୍ୟଭିଷେକ ପଦକ (Coronationmedal) ପ୍ରଦାନ କରିଥିଲେ ଏବଂ ପ୍ରଦର୍ଶନୀ ସମ୍ଭାରର ପ୍ରଦର୍ଶକ ବର୍ଗଙ୍କୁ ଯଥାଯୋଗ୍ୟ ପୁରସ୍କାର ବିତରଣ କରିଥିଲେ ।

 

ରାଜବାଟୀଠାରୁ କୁମାର ପୂର୍ଣ୍ଣିମାର ଶରତ୍‌ପ୍ରସନ୍ନ ଆକାଶର ସୌନ୍ଦର୍ଯ୍ୟ ମହିମା ଉପଭୋଗ କରିବାକୁ ଲେଖକ ବ୍ରହ୍ମୀନଦୀର ତଟଦେଶରେ ପ୍ରାୟ ଏକଘଣ୍ଟା ଭ୍ରମଣ କଲା । ମୁକ୍ତ ପ୍ରକୃତି ଜ୍ୟୋତ୍ସ୍ନା ପ୍ଳାବନରେ ଭାସି ଯାଉଥିଲା । ଆକାଶର ନୀଳିମା ନଦୀ ତୀରସ୍ଥ ତରୁଦଳର ଶ୍ୟାମଳତା ସମସ୍ତ ଘୁଞ୍ଚିଯାଇ କେବଳ ମାତ୍ର ଶୁଭ୍ରତାରେ ଚତୁର୍ଦ୍ଦିଗ ଭରି ରହିଥିଲା । କର୍ମ୍ମଶ୍ରାନ୍ତ ଦିନାଚର ପ୍ରାଣୀ ସମୂହ ନିଜର କ୍ଳାନ୍ତ ଶରୀର ବିଶ୍ରାମ ଶଯ୍ୟାରେ ପକାଇ ଦେଇଥିଲେ । ବ୍ରାହ୍ମଣୀର ବାଲୁକାରାଶି ଉପରେ ଆକାଶର ଅସଂଖ୍ୟ ନକ୍ଷତ୍ର ଭଳି ଅଭ୍ରଗୁଣ୍ଡ ଝକ୍‌ଝକ୍ ହେଉଥିଲା । ଆକାଶ, ପବନ, ଜଳ, ସ୍ଥଳରେ ଉତ୍ସବର ଗୀତ ଅବ୍ୟକ୍ତ ସ୍ୱରରେ ଧ୍ୱନିତ ହେଉଥିଲା । ବିଶ୍ୱଯନ୍ତ୍ରର କେଉଁ ଅଦୃଶ୍ୟ ଯନ୍ତ୍ରୀ ତାହାଙ୍କର ଅଜ୍ଞାତ ଦେଉଳରେ ବସି ସପ୍ତସ୍ୱରାର ସ୍ୱରସପ୍ତକ ଉପରେ ଅଙ୍ଗୁଳିଚାଳନା କରି ସେହି ଆନନ୍ଦ ରାଗିଣୀର ଗୀତର ପ୍ରକୃତ ସ୍ୱର ଠିକକରି ଦେଉଥିଲେ, କିଏଜାଣେ ? ଏକାନ୍ତ ନିଭୃତ ନୀରବରେ ଲୋକଚକ୍ଷୁର ନିତାନ୍ତ ଅଗୋଚରରେ କେଉଁଠାରେ ସେହି ଅଦୃଶ୍ୟ ମନ୍ଦିର ରହିଅଛି ? ତାହାର ଅପରିଚିତ ବେଦନା କାହାନ୍ତି ? ପ୍ରତ୍ୟହ ଯାହାଙ୍କର ଆରତିବ ବାଦ୍ୟ ଦ୍ୟୁଲୋକ ଭୁଲୋକ ବ୍ୟାପୀ ଧ୍ୱନିତ ହେଉଅଛି ଏବଂ ଅର୍ଘ୍ୟଥାଳି ପ୍ରଭାତ ଓ ସନ୍ଧ୍ୟାରେ ସଜ୍ଜିତ ହେଉଅଛି ।

 

ବ୍ରାହ୍ମଣୀର ପାଣି ସେହି ନିଃଶବ୍ଦ ନିର୍ଜ୍ଜକ ତଟଭୂମିରେ ନିଜର ଅବ୍ୟକ୍ତ ମନୋବେଦତା ଅନ୍ୟତ ଅବୋଧ୍ୟ କରୁଣ ମୂର୍ଚ୍ଛନାର ଅର୍ଦ୍ଧସ୍ଫୁଟ କଲତାନରେ ବ୍ୟକ୍ତ କରୁଥିଲା ସିନା ? ଚନ୍ଦ୍ରରେ କଳଙ୍କ ରହିଅଛି, ମାତ୍ର ତାହାକୁ ଲୋକେ ଏତେ ଭଲ ପାଆନ୍ତି କାହିଁକି ? ଚନ୍ଦ୍ରର ଚତୁର୍ଦ୍ଦିଗରେ ଲକ୍ଷ ନକ୍ଷତ୍ର ରହିଅଛନ୍ତି, ସମସ୍ତେହିଁ କଳଙ୍କଶୂନ୍ୟ, ବହୁଗୁଣ ବୃହତ୍ତର, ସେମାନଙ୍କୁ ଛାଡ଼ି ଲୋକେ ଚନ୍ଦ୍ରକୁ ଏଡେ ଭଲ ପାଆନ୍ତି କାହିଁକି ? ଏହି ଅନନ୍ତ ଆକାଶ କେବଳ ମହାଶୂନ୍ୟ ବ୍ୟତୀତ ଆଉ କିଛିହିଁ ନୁହେ । କିନ୍ତୁ ଏହି ଚନ୍ଦ୍ରାଲୋକୋଭାସିତ ନୀଳ ଆକାଶ ଆଡ଼କୁ ଚାହିଁ ଦେଖିଲେ ମନେହୁଏ, ଏହି ଯେ ବିଶ୍ୱବ୍ରହ୍ମାଣ୍ଡ, ଏହାର ଆଦି ଓ ଅନ୍ତନାହିଁ, ଏହା ଗୋଟିଏ ମହାଶୂନ୍ୟ, ମାତ୍ର ମହାପୂର୍ଣ୍ଣରୁପେ ପ୍ରତୀୟମାନ । ଯେପରି ଅବୋଧ୍ୟ ଶୂନ୍ୟତା ଏଥିରେ ବିରାଜମାନ, ସେହିପରି ଅବୋଧ୍ୟ ପୂର୍ଣ୍ଣତାର ଏଥିରେ ଅଧିଷ୍ଠାନ ସିନା ? ଆକାଶ ଉପରେ ଆକାଶ, ଏହା ଉପରେ ଆକାଶ, ଯାହା କେବଳ ପବନ ବ୍ୟତୀତ ଆଉ କିଛିନୁହେ । ପୁଣି ତହିଁରେ କେତେଗ୍ରହ, ଉପଗ୍ରହ, କେତେ ସୂର୍ଯ୍ୟ, କେତେ ଚନ୍ଦ୍ର । ସମସ୍ତେହିଁ ପରସ୍ପରର ଆକର୍ଷଣରେ ଯଥା ସ୍ଥାନରେ ରହିଅଛନ୍ତି, ପ୍ରତ୍ୟେକ ପ୍ରତ୍ୟେକକୁ କେତେ ଭଲପାଆନ୍ତି - ତୃପ୍ତି ବିହୀନ ନେତ୍ରରେ ପରସ୍ପର ଆଡ଼କୁ କେବଳ ଅନାଇ ତୃପ୍ତସିନା ? ସେମାନଙ୍କ ହୃଦୟରେ ଏତେ ସ୍ନେହ, ଏତେ ପ୍ରେମ ! କିନ୍ତୁ ଆମ୍ଭମାନଙ୍କ ହୃଦୟରେ ପ୍ରକୃତ ପ୍ରେମ, ପ୍ରକୃତ ସ୍ନେହକାହିଁ ? ଆମ୍ଭେମାନେ କେବଳ ହିଂସା, ଦ୍ୱେଷ ପ୍ରତିହିଂସା ପ୍ରଭୁତିକୁ ବରଣକରି ଅଜସ୍ର ଭାବରେ ବ୍ୟସ୍ତ ରହିଅଛୁଁ, ଆମ୍ଭମାନଙ୍କ ହୃଦୟ କେବଳ ସ୍ୱାର୍ଥ ଜଡିତ ପ୍ରେମରେ ପୂର୍ଣ୍ଣ, ପ୍ରକୃତ ପ୍ରେମ ତହିଁରେ ଖୋଜି ପାଇବା କଠିଣ ।

 

କୁମାର ପୂର୍ଣ୍ଣିମାର ଶୁଭାହଠାରୁ ହିନ୍ଦୁମାନଙ୍କ ଗୃହରେ ଗୋଟିଏ ବାଉଁଶ ପୋତି ଆକାଶ-ପ୍ରଦୀପ ଜଳାଇବାର ବ୍ୟବସ୍ଥା ରହିଅଛି । ଏହିଠାରୁ କାର୍ତ୍ତିକମାସର ଆରମ୍ଭ । ଏହି କାର୍ତ୍ତିକମାସରେ ଆକାଶ ପ୍ରଦୀପ ପ୍ରଜ୍ଜ୍ୱଳିତ କରିବାବେଳେ ‘‘ ନମୋ ଅନନ୍ତାୟନୋଧ ସ ’’ ଏହି ମନ୍ତ୍ର ଉଚ୍ଚାରଣ କରିବାକୁ ହୋଇଥାଏ । ଯେଉଁ ପ୍ରଦୀପ ପ୍ରତିହିନ୍ଦୁ ଗୃହସ୍ଥ ତୁଳସୀମୂଳରେ ପ୍ରଜ୍ଜ୍ୱଳିତକରି ରଜନୀର ତିମିରାବରଣକୁ ଅଭିନନ୍ଦନକରି ଥାଆନ୍ତି, ଏହା ସେହି ସନ୍ଧ୍ୟା ପ୍ରଦୀପ ନୁହେ, କିମ୍ବା ଯେଉଁ ଦୀପମାଳା ଉଦ୍ଭାସିତ କରି ସମସ୍ତେ ପ୍ରମୋଦ-ରଜନୀକୁ ଅଭ୍ୟର୍ଥନା କରନ୍ତି, ଏହି ଆଲୋକ ରେଖା ତାହାନୁହେ । ଏହି ଆକାଶ-ପ୍ରଦୀପ ଅନନ୍ଦର ଆରତି ମାତ୍ର ।

 

ଆର୍ଯ୍ୟଜାତି ଅନନ୍ତର ଆରାଧନପରାୟଣ । ଏହି ହେତ୍ତୁରୁ ତାହାଙ୍କ ମୁଖରୁ ଯେଉଁ ପ୍ରାର୍ଥନା ମନ୍ତ୍ର ଉଦ୍‌ଘୋଷିତ ହୋଇଥିଲା ତାହା ଏହି :-

 

 

 

‘‘ ତମସୋ ମା ଜ୍ୟୋତିର୍ଗମୟ ’’

ଅନ୍ଧକାରରୁ ଜ୍ୟୋତି ଲୋକକୁ ଘେନିଯାଅ ।

 

ମୃତ୍ତିକା ବକ୍ଷରେ ଗୋଟିଏ ମୃତ୍ତ ପ୍ରଦୀପ ତୈଳାଭିଷିକ୍ତ ହୋଇ ଏହି ସ୍ୱଳ୍ପ ଜୀବନର ଅନ୍ଧକାରକ୍ଷଣକୁ ଆଲୋକିତ କରିବାକୁ ବ୍ୟଗ୍ର ହୋଇଥାଏ । ଏଥିରେ ଅନ୍ଧକାରକୁ ଆହୁରି ଘନୀଭୂତ କରି ଦିଆଯାଏ । ଏହି ଆଲୋକ ରେଖା ଯେପରି ଅନ୍ଧକାରରହିଁ ଅନୁଯାତ୍ରୀ । ଏହି ହେତୁରୁ ଊର୍ଦ୍ଧ୍ୱାଲୋକର ଅଭିମୁଖୀନତା । ଏହି ହେତୁରୁ ଆଜି କାର୍ତ୍ତିକମାସର ସନ୍ଧ୍ୟାରେ ଜୀବନ ପ୍ରଦୀପରେ ଶ୍ରଦ୍ଧାର ତୈଳଧାରା ଢ଼ାଳି ତାହାକୁ ଅନନ୍ତ ଅଭିମୁଖରେ ଆରତିର ଆଲୋକଧାରା ଭଳି ପ୍ରଜ୍ଜ୍ୱଳିତ କରି ଧରିଅଛୁଁ ! ଆକାଶ-ପ୍ରଦୀପହିଁ ତାହାର ପ୍ରତୀକ ମାତ୍ର । ଏହି ଧରିତ୍ରୀର ଜଡ ଆକର୍ଷଣରୁ ନିଜକୁ ପ୍ରତ୍ୟାହାର କରି ନେଇ ତାହାକୁ ଅନନ୍ତ ଜ୍ୟୋତିର ଉନ୍ମୁଖୀ କରିବାକୁ ହୁଏ । ଏହି ହେତୁରୁ ଏହି ଆକାଶ ପ୍ରଦୀପର ଅନୁକଳ୍ପ ବ୍ୟବସ୍ଥା ।

 

ଆକାଶରେ ଆକାଶବ୍ୟାପୀ ଅସଂଖ୍ୟ ନକ୍ଷତ୍ର ଏବଂ ଆଲୋକୋଭାସିତ ପୂର୍ଣ୍ଣଚନ୍ଦ୍ର ଦେଖି ଶୋଇପଡ଼ିଲି, ନିଦ୍ରା ଅର୍ଦ୍ଧରାତ୍ରି ଉତ୍ତାରୁ ଭାଙ୍ଗିଗଲାରୁ ଦେଖିଲି ଚନ୍ଦ୍ର ଓ ତାରା କାହିଁ ? ଅଶନିପୂର୍ଣ୍ଣ କଳାମେଘର ଛାତିକୁ ତୀକ୍ଷ୍ଣ ବିଦ୍ୟୁତ୍ତର ଛୁରୀ କାଟିକାଟି ଖଣ୍ଡଖଣ୍ଡ କରି ଦେଉଅଛି । ଯାହା ସଠିକଭାବରେ କଳ୍ପନାରେ ଆସିଯାଏ, ତାହାକୁ ବ୍ୟତିକ୍ରମ କରିଦେବା ବୋଧହୁଏ ବିଧାତାଙ୍କର ଧର୍ମ୍ମ-। ଏହାଦେଖଇ ସ୍ୱତଃ ମନେ ହେଲା ଚନ୍ଦ୍ରରେ କଳଙ୍କ, କୁସୁମରେ କୀଟ, ପଣସରେ ଅଠା, ମହୁଫେଣାରେ ମହୁମାଛିର ନାହୁଡି, ଦୁଗ୍ଧଫେନନିଭ ସୁକୋମଳ ଶଯ୍ୟାରେ ଛାରପୋକର ଉପଦ୍ରବ- ଏଗୁଡିକରେ ବିଧାତାଙ୍କର କେଉଁ ବିବେଚନା ନିହତି ?

 

ମାତ୍ର ପରଦିନ ପ୍ରାତଃକାଳରୁ ପ୍ରକୃତିଙ୍କର ରୁପାନ୍ତର ଦୃଷ୍ଟହେଲା । ଆକାଶର ପୂର୍ବଲଲାଟ ସ୍ୱର୍ଣ୍ଣଚ୍ଛଟାରେ ପ୍ରଦୀପ ହୋଇ ଉଠିଲା, କିରଣ କେଶରାଶି ମୁକ୍ତ କରିଦେଇ ଶରତର ଶିଶିରାଦ୍ର ପ୍ରକୃତି ବନ ଉପବନରେ ଶ୍ୟାମାଞ୍ଚଳ ପାରିଦେଇ ତାହା ଶତ ବିଚିତ୍ର ବର୍ଣ୍ଣର ପୁଷ୍ପରେ ଖଚିତକରି ଦେଇଥିଲେ । ବୃକ୍ଷ ଉପରୁ ଝଡି ପଡୁଥିବା ଗୋଟିଖଡିକା ଫୁଲ ପବନ ସଂସ୍ପର୍ଶରେ ସୁବହା ନାମ ସର୍ଥକ କରିଥିବାର ଅନୁଭବ କଲି । ନିର୍ମ୍ମଳ ନୀଳାକାଶରେ ଗୋଟିଏ ପ୍ରଶାନ୍ତ ରାଗିଣୀର ଅବିଚ୍ଛିନ୍ତ ସ୍ୱର ନୀରବ ଶବ୍ଦହୀନ ଭାଷାରେ ସ୍ପନ୍ଦିତି ହେଉଥିଲା । ତାହା ବୋଧହୁଏ ଏହି କିରଣ-କୁନ୍ତଳା ଗନ୍ଧନନ୍ଦିତା ମହାପ୍ରକୃତିଙ୍କର ବୀଣାର ବିଚିତ୍ର ଛନ୍ଦର ସ୍ୱର ।

 

ତାଳଚେରରେ ସପ୍ତାହରୁ ଅଧିକକାଳ ଅବସ୍ଥାନ ଲେଖକ ପକ୍ଷରେ ପରମ ଉତ୍ସବମୟ ହୋଇଥିଲା । ପ୍ରତ୍ୟହ ଦୁଇଓଳି ମୋଟରରେ ରାଜକୀୟ ସୁମଧୁର ସାହଚର୍ଯ୍ୟ ଲାଭକରି ରାଜ୍ୟର ବିଭିନ୍ନ ଅଂଶ ପରିଦର୍ଶନରେ ଲେଖକ ଅସୀମ ଆନନ୍ଦ ଉପଭୋଗ କଲା । ପ୍ରକୃତିଙ୍କର ସୌନ୍ଦର୍ଯ୍ୟ ଭଣ୍ଡାରର ଦ୍ୱାର ଖୋଳା ପାଇଲେ ଆମ୍ଭେମାନେ ଦେଖୁଁ ରୂପ ଓ ଆନନ୍ଦର ମିଳନରେ ଏହି ସୌନ୍ଦର୍ଯ୍ୟ ଗଠିତ । ସୂର୍ଯ୍ୟୋଦୟର ଉଜ୍ଜ୍ୱଳ ଆନନ୍ଦଲୀଳା ଏବଂ ସୂର୍ଯ୍ୟାସ୍ତର ବିରାଟ ମହିମା ଏହି ଦିଓଟି ପ୍ରତ୍ୟହ ରୀତିମତ ଦେଖି ମନ ଅଯାର୍ଥିବ ଆନନ୍ଦରେ ବୁଡି ଯାଉଥିଲା ।

 

ମୋଟରରେ ଯାଉଁଯାଉଁ ମଧ୍ୟେମଧ୍ୟେ ଟଙ୍କଭୂମି ଉପରେ ଯେଉଁ ରଙ୍ଗ ଗ୍ରାମ୍ୟପଥଟି ଯାଇଅଛି, କେତେ ସାନବଡ ଗ୍ରାମ ସମ୍ମୁଖରେ ବଟ ଓ ଅଶ୍ୱତ୍ଧ ଛାୟାରେ ରଙ୍ଗଧୂଳି ଉପରେ ନିଜର ଚିତ୍ର ଅଙ୍କନକରି କେଉଁଠାରେ ଶେଷ ହୋଇଅଛି ତାହାର ସଂବାଦ କିଏ ରଖିଅଛି ? ହାଟବାଟରେ ଲୋକମାନଙ୍କ ପଦ-ଶବ୍ଦରେ ଏବଂ ବଳଦଗାଡିରେ ବିଚିତ୍ର ରାଗିଣୀର ଏହା ମୁଖର ହୋଇ ଉଠିଥାଏ, ଅନ୍ୟ ସମୟରେ ଏହା ଖାଲି ପଡିଥାଏ, କେତେବେଳେ ଅବା ଶବର-ସୁନ୍ଦରୀ ସ୍ୱୀୟ ଜୁଡାରେ ଫୁଲହାର ବେଷ୍ଟନ କରିଦେଇ ଗୀତ ଗାଇଗାଇ ଯାଆନ୍ତି, କେତେବେଳେ ଅବା ଏକପଲ ଗାଈ ପଛରେ ଗଉଡ଼ ଏହା ଉପରଦେଇ ନିଜଗ୍ରାମ ଆଡକୁ ଧୀର ମନ୍ଥର ଗତିରେ ଚାଲୁଥାଏ । କିନ୍ତୁ ଅଧିକାଂଶ ସମୟରେ ଏହା କୋଳରେ ଝଡି ପଡିଥିବା ପତର ଗୁଡିକର ନିଶ୍ଚିନ୍ତ ନିଦ୍ରାର ବ୍ୟାଘାତ କରିବାକୁ ପବନ ବ୍ୟତୀତ ଆଉ କେହି ରହି ନ ଥାଆନ୍ତି ସିନା ?

 

ପ୍ରେମମୟ ଭଗବାନଙ୍କର ହସ୍ର-ପ୍ରସୂତି ରୂପ-ରସ ଗନ୍ଧ ସ୍ପର୍ଶ ଶବ୍ଦମୟୀ ପ୍ରକୃତିରାଣୀଙ୍କର ସୌନ୍ଦର୍ଯ୍ୟ କଳନା କରିବା ଅସମ୍ଭବ ।

 

ତାଳଚେରର ରାଜ୍ୟର ସର୍ବ୍ବାଂଶରେ ପ୍ରକୃତିଙ୍କର ସର୍ବପ୍ରକାର ସୌନ୍ଦର୍ଯ୍ୟର ପୂର୍ଣ୍ଣ ବିକାଶ ଅନୁଭୁତ ହୋଇଥାଏ । ଳେଖକ ୧୮୯୧ ସାଲଠାରୁ ଅନେକଥର ଏହି ରାଜ୍ୟର ନାନା ଅଂଶ ନାନାସମୟରେ ଦେଖି ଏହି ସୌନ୍ଦର୍ଯ୍ୟ ଯଥେଷ୍ଟ ରୂପରେ ଉପଲବ୍ଧି କରିଅଛି ।

 

କୈଶୋର ଓ ଯୌବନର ସନ୍ଧି ସ୍ଥଳରେ ଲେଖକ ଯେତେବେଳେ ସର୍ବ୍ବ ପ୍ରଥମରେ ତାଳଚେର ଆସିଥିଲା ସେତେବେଳେ ୰ ରାଜା ରାମଚନ୍ଦ୍ର ବୀରବରହରିଚନ୍ଦନ ତାଳଚେର ରାଜ୍ୟର ଭାଗ୍ୟବିଧାତା । ତାହଙ୍କର ଶାସନ ସମୟରୁହିଁ ତାଳଚେର ରାଜ୍ୟର ସର୍ବବିଧ ଉନ୍ନତିର ସୂଚନା ଓ ସୂତ୍ରପାତ । (ତାଳଚେର ରାଜ୍ୟର ଶାସନ ବିଭାଗର ସର୍ବପ୍ରକାର ବନ୍ଦୋବସ୍ତ ଏହି ରାଜାଙ୍କର ସୁବିବେଚନା ଓ କର୍ମକୁଶଳତାର ସାକ୍ଷ ଦେଉଥିଲା । ଶିକ୍ଷା ବିଭାଗ, ଦେବୋତ୍ତର ବିଭାଗ, ପୂର୍ତ୍ତବିଭାଗ, ସ୍ୱାସ୍ଥ୍ୟବିଭାଗ, ଶାସନ ଓ ବିଚାରବିଭାଗ ସର୍ବପ୍ରକାର ମୂଳପତ୍ତନହିଁ ତାହାଙ୍କ ସମୟରୁ ଆରମ୍ଭ ହୋଇଥିଲା ।) ସଂସ୍କୃତ ଏବଂ ଓଡ଼ିଆଭାଷା ପ୍ରତି ଏହାଙ୍କର ପୂର୍ଣ୍ଣ ଅନୁରାଗ ଓ ସୁଦୃଷ୍ଟି ସର୍ବଦା ରହିଥିଲା । ଏହି ହେତୁରୁ ଏହାଙ୍କର ରାଜସଭା ପଣ୍ଡିତମାନଙ୍କ ଦ୍ୱାରା ଅଳଂକୃତ ରହିଥିଲା । ପଣ୍ଡିତମାନଙ୍କୁ ବାଣୀଭୂଷଣ, ତର୍କଭୂଷଣ, ପଞ୍ଚାନନ, ଦୀକ୍ଷିତ, ପରମଗୁରୁ, ବାଚସ୍ପତୀ, ପଟ୍ଟଯୋଷୀ, ସଦସ୍ୟ ପ୍ରଭୃତି ଉପାଧିରେ ଭୂଷିତକରି ମନୁସଂହିତା, ପରାଶରସଂହିତା ଭାଗବତ, ଆତ୍ମବୋଧ ପ୍ରଭୃତି ସଂସ୍କୃତ ପୁସ୍ତକର ଉତ୍କଲାନୁବାଦ କରାଇ ସମଗ୍ର ଉତ୍କଳରେ ବିବରଣ କରିଥିଲେ ।

 

ଇତିହାସ ଓ ଭୂଗୋଳରେ ସମଧିକ ଶ୍ରଦ୍ଧା ଓ ଜ୍ଞାନ ଥିବାରୁ ତାହାଙ୍କର ସଂକଳିତ ‘‘ସଂକ୍ଷିପ୍ତ ଭାରତ ଇତିହାସ’’ ସମଗ୍ର ଓଡିଶାର ମାଇନର, ଭର୍ଣ୍ଣାକ୍ୟୁଲାର ସ୍କୁଲ ସମୂହର ଇତିହାସ ସମ୍ବନ୍ଧୀୟ ଏକମାତ୍ର ପାଠ୍ୟ ପୁସ୍ତକରୂପେ ବହୁଦିନ ଚଳିଥିଲା । ତାଳଚେରଗଡର ଦୁଇମାଇଲ ଉତ୍ତରକୁ ଅନେକଗୁଡିଏ ଶୈଳମାଳର ଏକତ୍ରାବସ୍ଥାନ ଭୂଖଣ୍ଡକୁ ସ୍ପଟଲ୍ୟାଣ୍ଡପୁର ନାମକରଣ ତାହାଙ୍କ ଦ୍ୱାରାହିଁ ହୋଇଥିଲା । ଆଜିକାଲି ସେହି ଭୁଖଣ୍ଡର କେତେକାଂଶରେ ଅଜସ୍ର ଅର୍ଥବ୍ୟୟକରି ତାଳଚେରର ବର୍ତ୍ତମାନ କନିଷ୍ଠକୁମାର ଅସାଧାରଣ କର୍ମ୍ମକୁଶଳ ପଟ୍ଟାୟତ ଶ୍ରୀ ପ୍ରମୋଦଚନ୍ଦ୍ର ଦେବ ମହୋଦୟ ଯେଉଁ କୃଷିକ୍ଷେତ୍ର ଏବଂ ସୁରମ୍ୟ ପ୍ରାସାଦ ନିର୍ମ୍ମାଣ କରିଅଛନ୍ତି ତାହାର ତୁଳନା ଉତ୍କଳରେ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ତାଳଚେର ରାଜଧାନୀରେ ୰ ରାଜା ରାମଚନ୍ଦ୍ର ହରିଚନ୍ଦନଙ୍କର ପ୍ରଧାନ କୀର୍ତ୍ତିରୂପେ ବିଶାଳ ସିଂହଦ୍ୱାରା ପ୍ରତିଷ୍ଠିତ। ଏଭଳି ଅତ୍ୟୁଚ୍ଚ ବିରାଟ ଖିଲାଣ ସମଗ୍ର ଉତ୍କଳରେ ନାହିଁ । ଏହା ସ୍ଥପତି ବିଦ୍ୟାର ଅତ୍ୟିକୃଷ୍ଟ ନିଦର୍ଶନ । ତାଳଚେର ବର୍ତ୍ତମାନ ରାଜବାଟୀର ମୂଳପତ୍ତନ ତଥା ଏକ ତଳର କେତେକ କାର୍ଯ୍ୟ ଏହାଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ଏହାଙ୍କର ଅଶେଷ ଗୁଣରେ ମୁଗ୍ଧହୋଇ କବିବର ରାଧାନାଥ ‘ଉଷା’ କାବ୍ୟର ଉତ୍ସର୍ଗ ପତ୍ରରେ ତାହଙ୍କୁ ଲେଖିଥିଲେ :-

 

‘‘ ତ୍ୱୟିତୁ ପରିସମାପ୍ତଂ ବନ୍ଧୁକୃତ୍ୟ ପ୍ରଜାନାଂ ।

 

ଅନ୍ଧ, ଖଞ୍ଜ, ଦୁଃଖୀ, ଦରିଦ୍ର, ବିଧବା ଓ ବୃଦ୍ଧ ଅନେକ ଗୁଡିଏ ରାଜା ୰ ରାମଚନ୍ଦ୍ରଙ୍କ ଦ୍ୱାରା ନିୟମିତରୂପେ ପାଳିତ ହେଉଥିଲେ ।

 

ବାମଣ୍ଡା ରାଜ୍ୟର ସମସ୍ତ ପ୍ରତିଷ୍ଠାର ମୂଳଭିତ୍ତି ଯେପରି ମହାଯଶା ରାଜା ୰ ବାସୁଦେବ ସୁଢଳଦେବଙ୍କ କର୍ତ୍ତୃକ ଆରମ୍ଭ ହୋଇଥିଲା, ତାଳଚେର ରାଜ୍ୟର ସର୍ବପ୍ରକାର ଉନ୍ନତି ମୂଳଭିତ୍ତି ୰ ରାଜା ରାମଚନ୍ଦ୍ରଙ୍କ ସମୟରୁହିଁ ଆରମ୍ଭ ହୋଇଅଛି । (ଲେଖକ ତାହାର ବାଲ୍ୟ କାଳରେ କଟକ ନଗରରେ ଏହାଙ୍କୁ ଦେଖି କୃତାର୍ଥ ହୋଇଥିଲା, ଲେଖକର ପିତୃଦେବଙ୍କର ଆବାସରେ ଏ ମହାତ୍ମା ଅନେକ ଥର ଶୁଭ ପଦାର୍ପଣ କରି ଅନେକଥର ସଂସ୍କୃତ ସାହିତ୍ୟାଲୋଚନା ତଥା ବିବିଧ ବିଷୟରେ ପରାମର୍ଶ କରୁଥିବାର ଲେଖକ ସ୍ଵଚକ୍ଷୁରେ ଦେଖିଥିଲା ।) ତାଳଚେର ରାଜ୍ୟର ବର୍ତ୍ତମାନ ଭାଗ୍ୟବିଧାତା ରାଜା କିଶୋରଚନ୍ଦ୍ରଙ୍କ ସହିତ ଲେଖକଙ୍କର ଘନିଷ୍ଠତା ୧୮୯୩ ସାଲଠାରୁ ତାହାଙ୍କର କଟକରେ ପଠଦ୍ଦଶା ସମୟରୁ ହୋଇଥିଲା । ଏହାଙ୍କ ସମ୍ବନ୍ଧୀୟ ପୁରାତନ ସ୍କୃତି ସମୂହ ଲେଖକ ମନରେ ଅପୂର୍ବ ଉଲ୍ଲାସ ସମୟ ସମୟରେ ଜାଗରୁକ କରାଇ ଦେଇଥାଏ ।

 

ଦିନେ ରଜା କିଶୋରଚନ୍ଦ୍ରଙ୍କର ଗହଣରେ ମୋଟରରେ କହ୍ନେଇଜେନା ପର୍ବତର କେତେଗୁଡିଏ ଅଂଶ ଦର୍ଶନର ସୁଯୋଗ ଲେଖକକୁ ମିଳିଥିଲା । ତାଳଚେର ରାଜ୍ୟରେ କହ୍ନେଇଜେନା ଓ ବାରୁଆଁ ପର୍ବତହିଁ ପ୍ରକୃତିର ସର୍ବପ୍ରକାର ସୁଷମାରେ ପରିପୂର୍ଣ୍ଣ । ମଧ୍ୟରେ ବ୍ରାହ୍ମଣୀ ନଦୀ ପ୍ରବାହିତା, ଏହି ବାରୁଆଁ ପର୍ବତ ମେଖଳାରେ ବୁଲାଝର ନାମକ ଗୋଟିଏ ନିର୍ଝର ରହିଅଛି । ଏଠାରେ ରାଜା କିଶୋରଚନ୍ଦ୍ରଙ୍କ କର୍ତ୍ତୃକ ଗୋଟିଏ ମଠ ଓ ଶିବାଳୟ ସ୍ଥାପିତ । ଏହି ସ୍ଥାନଟି ଗ୍ରୀଷ୍ମକାଳରେ ସୁଦ୍ଧା ଅତ୍ୟନ୍ତ ଶୀତଳ । ତାଳଚେରର ତାଳଚେର ସମ୍ପ୍ରଦାୟଙ୍କ ଗୀତ ଏହି ସ୍ଥାନ ସମ୍ବନ୍ଧରେ ନିମ୍ନରୂପେ ଆତ୍ମ ପ୍ରକାଶ କରୁଅଛି :-

 

‘‘ ଯହିଁ କହ୍ନୈଜେନା ଗିରି            ଚିତ୍ରାକାର ଶିଳାଧରି

ହରେମନ ଶିକାରୀଙ୍କ ମେଣ୍ଟାଇ ତୃଷା

ଯେ ରାଇଜେ ବୁଲାଝର            ବୈଶାଖେ ଶୀତ ପ୍ରବଳ

ଶରତେ ପକ୍ୱ ରସାଳ ଯାହାର ଭୂଷା

ଜଳବାୟୁ ଏଡେ - ଶୀତଳ,

ବିହରନ୍ତି ସୁଖେ ଯହିଁ ମାତଙ୍ଗ ଦଳ ’’ ।

 

କହ୍ନେଇଜେନା ପର୍ବତର କନ୍ଦରସମୂହ ଲଳିତ-ଭାଷଣ ଦୃଶ୍ୟ ଚକ୍ଷୁକୁ ସବୁବେଳେ ଉପହାର ଦେବାକୁ କ୍ଷମା ଏହାର ବନଭୂମି ନିରନ୍ତର ପକ୍ଷୀ କଣ୍ଠ ଧ୍ୱନିତ ଅପୂର୍ବ ହରୀତିମାର ପ୍ରଦର୍ଶପୀ ବିଶେଷ । ଏହାର ଗୋଟିଏ ଉପତ୍ୟକାରେ ଚକ୍ରଶୈଳ ନାମକ ପ୍ରାୟ ସହସ୍ର ହସ୍ତ ଦୀର୍ଘ ଓ ଅର୍ଦ୍ଧ ସହସ୍ର ହସ୍ତ ବିସ୍ତୃତ ପ୍ରକାଶ ପ୍ରସ୍ତର ଖଣ୍ଡ ଶୋଭା ବିକୀର୍ଣ୍ଣ କରୁଅଛି । ଏହା ଉପରେ ରାଜା କିଶୋରଚନ୍ଦ୍ର ଏକସମୟରେ ଗୋଟିଏ ବଙ୍ଗଳା ନିର୍ସ୍ପାଣ କରିଥିଲେ । ସେ ବଙ୍ଗଳାରେ କେତେକ ବର୍ଷପୂର୍ବେ ଏହି ଲେଖକ ଅବସ୍ଥାନର ସୁଯୋଗ ପାଇ ଯେପରି କୃତାର୍ଥ ହୋଇଥିଲା ସେତେବେଳେ ଦିବା ଦ୍ୱିପ୍ରହରରେ ବଙ୍ଗଳାର ଚତୁପାର୍ଶ୍ୱରେ ଅନବରତ ବ୍ୟାଘ୍ର ଗର୍ଜ୍ଜନ ଶୁଣି ଭୀତ ଓ ତ୍ରସ୍ତ ହେଲେହେଁ ପ୍ରକୃତିର ଏହି ଭୀଷଣ ଭାବ ଉପଲବ୍ଧ କରିବା ସକାଶେ ସଂପୂର୍ଣ୍ଣ ସୁଯୋଗ ପ୍ରାପ୍ତ ହୋଇଥିଲା । ଏହି ବଙ୍ଗଳା ନିରନ୍ତର ଭୀଷଣ ସର୍ପସଙ୍କୁଳ ହେବାରୁ ରାଜା କିଶୋରଚନ୍ଦ୍ରଙ୍କ ଦ୍ୱାରା ବର୍ତ୍ତମାନ ବିଲୁପ୍ତ ହୋଇଅଛି ।

 

କହ୍ନେଇଜେନା ପର୍ବତର ପାଦଦେଶରେ ଅବସ୍ଥିତ ଗୋଟିଏ କ୍ଷୁଦ୍ର ଗିରିନଦୀର ଫେନିଳ ସଲିଳଧାରା ମାର୍ଗରୁ ନୟନଗୋଚର ହେଉଥିଲା ଏବଂ ଯେଉଁଠାରେ ନଦୀ ଅଦୃଶ୍ୟ ହୋଇଅଛି ସେଠାରେ ତାହାର କଳୋଚ୍ଛାସ ତାହାର ଅସ୍ଫୁଟ ମର୍ମଗାଥାଭଳି ଶ୍ରୁତିଗୋଚର ହେଉଥିଲା । ନଦୀ ଗର୍ଭସ୍ଥିତ ଦୃଶ୍ୟ ଏବଂ ଅଦୃଶ୍ୟ ପ୍ରସ୍ତରରେ ଆହତ ହୋଇ ଜଳ ପ୍ରବାହରେ ଯେଉଁ ଫେଣରେ ସୃଷ୍ଟି ହେଉଥିଲା ତାହା ବାୟୁଦ୍ୱାରା ଉତ୍ସାରିତ ହୋଇ ନଦୀ ତଟକୁ ସଂପୂର୍ଣ୍ଣ ଶୀତଳ କରି ରଖିଥିଲା । କେବଳ ନଦୀତଟ କାହିଁକି ସେଠାରୁ ବହୁଦୂରସ୍ଥିତ ପଥ ପର୍ଯ୍ୟନ୍ତ ଶୀକର ସଂପୃକ୍ତ ବାୟୁଦ୍ୱାରା ଶୀତଳବୋଧ ହେଉଥିଲା ।

 

ପର୍ବତରୁ ଦୁଇମାଇଲ ଦୂରବର୍ତ୍ତୀ ସମଲ ଗ୍ରାମ ନିକଟସ୍ଥ ମାର୍ଗର ଉଭୟ ପାର୍ଶ୍ୱସ୍ଥିତ ଶ୍ୟାମତରଙ୍ଗାୟିତ ପ୍ରଶସ୍ତ ପ୍ରାନ୍ତରରରୂପ ଅତ୍ୟନ୍ତ ମନୋମୋହକର । ଶରଦୀୟ ପ୍ରକୃତିଙ୍କର ସମସ୍ତ ଅଙ୍ଗରେ ଗୋଟିଏ ମାଧୁର୍ଯ୍ୟମୟୀ ଲାବଣ୍ୟଚ୍ଛଟା ବିକଶିତ ହୋଇ ଉଠୁଥିଲା । ବହୁଦୂର ବିସ୍ମୁତ ଶ୍ୟାମଳ ପ୍ରାନ୍ତର ପାର୍ଶ୍ୱରେ ଏକଘରିଆ, ବିକ୍‌ସର ଏବଂ ବିଲିଣ୍ଡା ନାମକ କ୍ଷୁଦ୍ର କ୍ଷୁଦ୍ର ଗ୍ରାମର ଛାୟା ଶୀତଳ ଉଟଜାଙ୍ଗନ ସମୁହ ସୁସ୍ଥ, ସବଳ କୃଷକ ବାଳକ ବାଳିକାଙ୍କର କ୍ରୀଡା କୌତୁକରେ ପୂର୍ଣ୍ଣ ଏବଂ ସରଳ ଓ ଉନ୍ମୁକ୍ତ-ହୃଦୟ-ନିଃସତ କଳହାସ୍ୟରେ ମୁଖରିତ । ଉଭିନ୍ନ - ଯୌବନା ପଲ୍ଲୀ ବଧୁଗଣ ଲଜ୍ଜା-ରକ୍ତିମ-ମୁଖରେ ଏବଂ ବିକ୍ଷେପ ଓ ଚାଞ୍ଚଲ୍ୟପୂର୍ଣ୍ଣ ନୟନରେ ମୋଟର କାଡିୟିତ ଆମ୍ଭମାନଙ୍କୁ ଦେଖିବାକୁ ଧାଇଁ ଆସିଲେ ଏବଂ ରାଜା ଏବଂ ଅପରିଚିତ ଲୋକଙ୍କୁ ଦେଖି ଆନନ୍ଦ ଓ ବିସ୍ମୟ ପୂର୍ଣ୍ଣ ନେତ୍ରରେ ନିର୍ନିମେଷ ଦୃଷ୍ଟି ନିକ୍ଷେପ କରୁଥିଲେ । ଏହି କହ୍ନେଇଜେନା ପର୍ବତର ପ୍ରତ୍ୟନ୍ତ ପ୍ରଦେଶରେ ହଳଦିଆକଟା ଗ୍ରାମର ସନ୍ନିକଟସ୍ଥ ବନଭୂମିରେ ଗୋଟିଏ ଶିକାରର ବ୍ୟବସ୍ଥା ପୂର୍ବରୁ ହୋଇଥିବାରୁ ରାଜା କିଶୋରଚନ୍ଦ୍ର ତଦୀୟ ସୁଯୋଗ୍ୟ ଯୁବରାଜ ହୃଦୟଚନ୍ଦ୍ର ଏବଂ କର୍ମ୍ମଠ କନିଷ୍ଠ କୁମାର ପଟ୍ଟାୟତ ପୟମୋଦଚନ୍ଦ୍ରଙ୍କୁ ଘେନି ଅରଣ୍ୟର ନିଭୃତତମ ପ୍ରଦେଶକୁ ଯାତ୍ରା କଲେ, ମାତ୍ର ଏହି ନିରସ୍ତ ଓ ଅକ୍ଷମ ଲେଖକ ଅରଣ୍ୟ ପାର୍ଶ୍ୱସ୍ଥିତ ଗୋଟିଏ ମୋଟରରେ ବସି ରହିଥିଲା । ଅର୍ଦ୍ଧଘଣ୍ଟା ଉତ୍ତାରୁ ଦୁଇଥର ବନ୍ଧୁକ ନିନାଦ ଏବଂ ଯୋଡିଏ ଭଲ୍ଲୁକର ମରଣ ସମୟର ଆର୍ତ୍ତନାଦ ଲେଖକର କର୍ଣ୍ଣକୁହରରେ ପ୍ରବିଷ୍ଟ ହେଲା ସମୟରେ ଲେଖକ ଅବଶ୍ୟ ଭୟତ୍ରସ୍ତ ହୋଇଥିଲା, ତତ୍ର ସନ୍ଦେହୋନାସ୍ତି ।

 

ପ୍ରତ୍ୟାବର୍ତ୍ତନ ସମୟରେ ମାର୍ଗରେ ବ୍ରାହ୍ମଣ ବସତି ପୂର୍ଣ୍ଣ ଦୁମଦୁମା ଗ୍ରାମ ପଡିଲା । ଏହାର କିଛି ଦୂରରେ ସୁନାଖଣି ଗ୍ରାମ ମଧ୍ୟ ଲେଖକ ଦେଖିଲା । ଏହି ସୁନାଖଣି ଗ୍ରାମରେ ବଚ୍ଚା କିଶୋରଚନ୍ଦ୍ରଙ୍କର ଅପୂର୍ବ ବ୍ୟବସ୍ଥାରୁ ଆଜୀବନ ଜେଲଦଣ୍ଡ ପ୍ରାପ୍ତ ଅପରାଧୀ ବର୍ଗରୁ (Life-Convient) ପ୍ରାୟ ୨୦ ଜଣଙ୍କୁ ରୀତିମତ ବିବାହ ଦେଇ ସେମାନଙ୍କର ଗୃହ ଓ ଚାଷୋପଯୋଗୀ ଭୂମି ପ୍ରଦାନ କରି ରଖିଅଛନ୍ତି । ଦଣ୍ଡିତ ଅପରାଧୀବର୍ଗଙ୍କର ବାଳକ କାଳିକା ଓ ଶିଶୁମାନଙ୍କର କଳରୋଳରେ ଗ୍ରାମଖଣ୍ଡିକ ପୂର୍ଣ୍ଣ । ଅପରାଧୀଙ୍କର ଦଣ୍ଡକାଳର ଏକଚତୁର୍ଥାଂଶ କିମ୍ବା ଅର୍ଦ୍ଧାଂଶ ଅତୀତ ହେବାମାତ୍ରେ ରାଜା କିଶୋରଚନ୍ଦ୍ରଙ୍କର ସେମାନଙ୍କୁ ବିବାହ ଦେବାର ବ୍ୟବସ୍ଥାରେ ସେମାନେ ଆଜୀବନ ଶୃଙ୍ଖଳିତ ହୋଇ ରହିଥାଆନ୍ତି । ଏ ବ୍ୟବସ୍ଥା ଅତି ସୁନ୍ଦର ଓ ହୃଦୟସ୍ପର୍ଶୀ । ଦ୍ୱୀପାନ୍ତରିତ କୟେଦିମାନଙ୍କୁ ଜେଲଖାନାର ବାହାରେ ବିବାହ ଦେଇ ସପରିବାରରେ ରଖାଇ ସେମାନଙ୍କର ଚରିତ୍ର ସଂଶୋଧନ ନିମିତ୍ତ ଯେଉଁ ଅଭିନବ ପନ୍ଥା ରାଜା କିଶୋରଚନ୍ଦ୍ର ଦେଖାଇ ଅଛନ୍ତି ସେଥିରେ ସୁଫଳ ଫଳୁଅଛି । ବିଂଶବର୍ଷବ୍ୟାପୀ ଏହି ଅଭିଜ୍ଞତାରେ ରାଜା କିଶୋରଚନ୍ଦ୍ର ବର୍ତ୍ତମାନ ସିଦ୍ଧକାମ ହୋଇଅଛନ୍ତି ।

 

ରାଜା କିଶୋରଚନ୍ଦ୍ର ତାହାଙ୍କର ଶାସନ ସମୟରେ ତାଳଚେର ରାଜ୍ୟରେ କେବଳ ଅନେକ ନୂତନ ଗ୍ରାମର ପ୍ରତିଷ୍ଠା କରି କ୍ଷାନ୍ତ ହୋଇନାହାନ୍ତି, ଉପନିବେଶ ସ୍ୱରୂପ ଅନେକ ଗ୍ରାମ ମଧ୍ୟ ବସାଇ ଅଛନ୍ତି । ଭିନ୍ନ ଭିନ୍ନ ଦେଶ ଓ ରାଜ୍ୟ ସମୁହର ଲୋକମାନଙ୍କର ସର୍ବପ୍ରକାର ସୁବିଧା କରିଦେଇ ସେ ରୀତିମତ କ୍ଷୁଦ୍ର କ୍ଷୁଦ୍ର ଉପନିବେଶ ସ୍ଥାପନ କରିଅଛନ୍ତି । ସମସ୍ତଙ୍କୁ ହଳଲଙ୍ଗଳ ଠାରୁ ଢ଼େଁକି ପର୍ଯ୍ୟନ୍ତ ପ୍ରଦତ୍ତ ହୋଇଅଛି । ଲେଖକ ଥରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ଯେ ରାଜାଙ୍କ ତତ୍ତ୍ୱାବଧାରଣରେ କେତେଗୁଡିଏ ଢ଼େଁକି ବଢ଼ାଇମାନେ ପ୍ରସ୍ତୁତ କରୁଥିଲେ-। କାରଣ ଅନୁସନ୍ଧାନ କରି ଲେଖକ ଅବଗତ ହେଲା ଯେ ଗୋଟିଏ ଗ୍ରାମର ପ୍ରଜାମାନଙ୍କ ମଧ୍ୟରେ ସେଗୁଡିକ ବିତରିତ ହେବ । ଘର, ଜମି, ଚାଷୋପଯୋଗୀ ଯନ୍ତ୍ରସମୂହ, ହଳ, ଢ଼େଁକି ପ୍ରଭୃତିର ଲୋକମାନେ କେଉଁ ଲୋଭରେ ନିଜର ଦେଶ ଛାଡ଼ି ତାଳଚେର ରାଜ୍ୟର ଅଧିବାସୀ ହୋଇ ରହିବେ ?

 

ଲେଖକ ଯେତେବେଳେ ଗ୍ରାମସାଗର (ଅର୍ଜ୍ଜୁନକଟା) ତୀରସ୍ଥ ଆବାସ ‘‘ ପୂର୍ଣ୍ଣକୁଟୀର ’’କୁ ପ୍ରତ୍ୟାବର୍ତ୍ତନ କଲା, ସେତେବେଳେ ପ୍ରାୟ ଦ୍ୱିପହର । ଏହି ରାମସାଗର ନାମକ ପ୍ରକାଣ୍ଡ ପୂଷ୍କରିଣୀ ତାଳଚେରର ରାଜର୍ଷି ୰ ରାଜା ଦ୍ରାନିଧି ହରିଚନ୍ଦନଙ୍କ ଦ୍ୱାରା ୧୮୬୬ ଠାରୁ ୧୮୭୨ ସାଲ ପର୍ଯ୍ୟନ୍ତ ଛଅବର୍ଷରେ ଖୋଲା ହୋଇଥିଲା । ଏହି ପୂଷ୍କରିଣୀର ତଟଦେଶରେ ବର୍ତ୍ତମାନ ରାଜା କିଶୋରଚନ୍ଦ୍ର ନାନା ପ୍ରକାର ବୃକ୍ଷ ରୋପଣ କରି ଚତୁସ୍ପାର୍ଶ୍ୱରେ ଭଲ ସଡକ ପ୍ରସ୍ତୁତ କରି ସର୍ବୋପରି ବହୁବ୍ୟୟରେ ଏହାର ପଙ୍କୋଦ୍ଧାର କରି ଏହାର ମହିମା ବଚାଇ ଦେଇଅଛନ୍ତି । ଏହାର ପାଣ୍ଠି ଅତ୍ୟନ୍ତ ସ୍ୱଚ୍ଛ, ଅଦୂରରେ ବ୍ରାହ୍ମଣୀ ନଦୀ ନିଜର ମହିମା ଗୌରବରେ ପ୍ରବାହିତା, ମାତ୍ର ଶରତକାଳରେ ବ୍ରାହ୍ମଣୀ ନଈର ପାଣିରୁ ଆବିଳତା ଦୂର ହୋଇନଥିଲା ।

 

ଏହି ପୋଖରୀ ହୁଡାରେ ଅନେକ ବାଛୁରୀ ଓ ଛେଳି ଚରୁଥିଲେ । ଜଳ ଉପରେ ପାଣି କୁଅ, ଗାଙ୍ଗୋଇ ଓ ଡାହୁକ କ୍ରୀଡା କରୁଥିଲେ । ମୃଦୁ ପବନର ମୃଦୁମୃଦୁ ତରଙ୍ଗ ହିଲ୍ଲୋଳରେ ଜଳସ୍ଫଟିକ ଭଙ୍ଗ ହେଉଥିଲା, କ୍ଷୁଦ୍ରୋର୍ମ୍ମ ପ୍ରତିଘାତରେ କଦାଚିତ୍ ଜଳଜପୁଷ୍ପ ଏବଂ ଶୈବାଳ ଦୋହଲୁଥିଲା । ଶରତ୍ ପ୍ରଫୁଲ୍ଲ ନଭୋମଣ୍ଡଳରେ ସବିତାଦେବତା ତାହାଙ୍କର ଅୠଣ ରାଗରେ ଆଶୀର୍ବ୍ବାଦ ବର୍ଷଣ କରୁଥିଲେ । ଆକାଶରେ ସୁନ୍ଦର ନୀଳିମା ଏବଂ ପୁଷ୍ପରିଣୀ ଜଳର ଗାଢ଼ନୀଳିମା ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲୁଥିବାର ବୋଧ ହେଉଥିଲା । ଆକାଶରେ ସୁନ୍ଦର ଶ୍ୱେତମେଘର ସ୍ତରବିନ୍ୟସ୍ତ ମୂର୍ତ୍ତି ବୈରିତ୍ର୍ୟ ଏବଂ ଉଡ଼୍ଡୀନ କ୍ଷୁଦ୍ର ପକ୍ଷୀ ସକଳର ନୀଳିମା ମଧ୍ୟରେ ବିକୀର୍ଣ୍ଣ କୃଷ୍ଣ ନିଚରୟ ଶୋଭା, ପୁଣି ପୁଷ୍ପରିଣୀରେ ପାଣି ଶିଉଳି ପତ୍ର ସମୂହର ହରିଡା ଶୋଭା ସହିତ ପାଣି ଶିଉଳୀ ପୁଷ୍ପ ସମୂହର ଅଜସ୍ର ଶ୍ୱେତ ବିନ୍ଦୁର ଶୋଭା ଉଭୟହିଁ ଲେକକୁ ମୁଗ୍ଧ ଓ ଆତ୍ମବିସ୍ମୃତ କରି ଦେଇଥିଲା । ସୌନ୍ଦର୍ଯ୍ୟର ଉପାସକ ରାଜା କିଶୋରଚନ୍ଦ୍ରଙ୍କୁ ଏଠାରେ ‘ ପର୍ଣ୍ଣକୁଟୀର ନାମକ କ୍ଷୁଦ୍ର ବଙ୍ଗଳା ରଚନା ସକାଶେ ଅଜସ୍ର ଧନ୍ୟବାଦ ହୃଦୟରୁ ସ୍ୱତଃ ଉତ୍ସାରିତ ହେବାହିଁ ସ୍ୱାଭାବିକ ସନା ? ଏଥିମଧ୍ୟରୁ ଦିନେ ତାଳଚେରର ପ୍ରସିଦ୍ଧ କୋଇଲା ଖଣିର କାର୍ଯ୍ୟ ଦେଖିବାକୁ ଲେଖକ ଯାଇଥିଲା । ତାଳଚେରର ୰ ରାଜା ଭାଗୀରଥୀ ବୀରବର ହରିଚନ୍ଦନଙ୍କର ଶାସନ ସମୟରେ ଏହି କୋଇଲାଖଣି ଆବିଷ୍କୃତ ହୁଏ ବୋଲି ବୈଦେଶିକ ଐତିହାସିକ ଷ୍ଟାଲିଙ୍ଗ ସାହେବ ଲେଖିଥିଲେ । ଏହି ରାଜାଙ୍କ ସମୟେ କାପ୍ଟେନ୍‌କିଟି ଏବଂ ମିଷ୍ଟର ବିଟ୍‌ସନ୍ ଏହି ପଥରକୋଇଲା ପରୀକ୍ଷା କରି କୋଇଲା ଖଣିର ଆୟତନ ୩୦ ମାଇଲ ବୋଲି କହିଥିଲେ । ମାତ୍ର ବର୍ତ୍ତମାନ ରାଜା କିଶୋରଚନ୍ଦ୍ର ୧୯୦୩ ସାଲ ଠାରୁ ୧୯୨୧ ପର୍ଯ୍ୟନ୍ତ ୧୮ ବର୍ଷ କାଳ ନିଜର ଅପୂର୍ବ ଉଦ୍ୟମ, ପ୍ରଗାଢ଼ ପରିଶ୍ରମ ଏବଂ ବିରାଟ ଅଧ୍ୟବସାୟ ଫଳରୁ ଏହି କୋଇଲାଖଣିକୁ କାର୍ଯ୍ୟକ୍ଷମ କରାଇ ଗଡଜାତ ମଧ୍ୟ ଦେଇ ରେଳମାର୍ଗ ବିସ୍ତୁତିର ବ୍ୟବସ୍ଥା କରି ‘‘ ତାଳଚେର ରେଳଓୟେ ’’ ନାମକ ବେଙ୍ଗଲ ନାଗପୁର ରେଳମାର୍ଗର ସୁପ୍ରସିଦ୍ଧ ଶାଖାବର୍ତ୍ତ ପ୍ରତିଷ୍ଠାର ସର୍ବପ୍ରଧାନ ଉଦ୍‌ଯୋକ୍ତା ହୋଇ ତାଳଚେରକୁ ଭାରତ ପ୍ରସିଦ୍ଧ କରି ଦେଇଅଛନ୍ତି ।

 

ଏହି ୧୮ ବର୍ଷ କାଳ ରାଜା କିଶୋରଚନ୍ଦ୍ରଙ୍କୁ ଖଣି ବିଷୟକ କେତେ ପୁସ୍ତକ ମନୋଯୋଗ ସହକାରେ ପଢ଼ିବାକୁ ହୋଇଅଛି, କେତେ ବିଶେଷଜ୍ଞ ତଥା ସାହେବମାନଙ୍କର ଦ୍ୱାରସ୍ଥ ହୋଇ ନାନା ପରାମର୍ଶ କରିବାକୁ ହୋଇଅଛି ତାହାର ଇୟତ୍ତା କରିବାହିଁ କଠିଣ । ପରିଶେଷରେ ବିହାର ଓଡିଶା ଗଭର୍ଣ୍ଣମେଣ୍ଟଙ୍କର ରସାୟନ ତତ୍ତ୍ୱବିଦ୍ ୰ ପ୍ରିୟନାଥ ବୋଷକୁ ମାସକ ଟ ୨୦୦୦ ବେତନ ଦେଇ ତାଳଚେର ରାଜ୍ୟର ସମଗ୍ର ଆୟତନ ୩୯୯ ବର୍ଗମାଇଲ ମଧ୍ୟରୁ ୨୨୪ ବର୍ଗମାଇଲ ପରିମିତ ଭୂମିରେ ପଥର କୋଇଲାର ଅବସ୍ଥାନ ଜାଣି ପାରିଥିଲେ, ଏବଂ ଏଥିମଧ୍ୟରୁ ୮ ବର୍ଗମାଇଲବ୍ୟାପୀ ସ୍ଥାନ ତିନିଗୋଟି ଇଂରାଜୀ କୋମ୍ପାନୀକୁ ପଟ୍ଟା ଦେଇଅଛନ୍ତି । ଡେରା ନାମକ ସ୍ଥାନରେ ମାଡ଼୍ରାସ ସଦରର୍ଣ୍ଣ ମରହଟ୍ଟା ରେଳ କମ୍ପାନୀ, ହାଣ୍ଡିଧୂଆ ନାମକ ସ୍ଥାନରେ ଭିଲିଆର୍ସ କୋଲ କୋମ୍ପାନୀ (Talcher Coalfield Ltd) ଏବଂ ଦେଉଳବେଡା ନାମକ ସ୍ଥାନରେ ବେଙ୍ଗଲ ନାଗପୁର ରେଲକୋମ୍ପାନୀର କୋଇଲା ଖନନ ଓ ବହନ କାର୍ଯ୍ୟ ତୀବ୍ରଗତିରେ ଚାଲିଅଛି । ଏହି ସମସ୍ତ କୋଇଲାଖଣି ପ୍ରସାଦରୁ ତାଳଚେର ରାଜ୍ୟର ପ୍ରାୟ ଦଶସହସ୍ର ଲୋକ ସହିତ ବିଦେଶୀୟ ପ୍ରାୟ ୪ । ୫ ସହସ୍ର ଲୋକଙ୍କର ଭରଣପୋଷଣ ନିର୍ବାହିତ ହେଉଅଛି ଏବଂ ଏହିସ୍ଥାନ ସମୂହ ଅଜସ୍ର ଗୃହନିର୍ମିତ ତଥା ବିଦ୍ୟୁତାଲୋକ ପ୍ରଦୀପ୍ତ ହୋଇ ଗୋଟିଏ ଗୋଟିଏ କ୍ଷୁଦ୍ର ସହରର ଅନୁକୃତିରୂପେ ପରିଦୃଶ୍ୟାମନ ।

 

ପ୍ରାୟ ତିନିବର୍ଷ ପୂର୍ବେ ଲେଖକ ଡେରାରେ କୋଇଲାଖଣି ଦେଖିଥିଲା, ଏଥର ଦେଉଳବେଡା ଓ ହାଣ୍ଡିଧୁଆର କାରଖାନାମାନ ପୂଙ୍ଖାନୁପୂଙ୍ଖରୂପେ ପରିଦର୍ଶନ କରିବାର ସୁବିଧା ପାଇ ପରିତୃପ୍ତ ହେଲା ।

 

ପଥର କୋଇଲା ବ୍ୟବହାର ଦେଶ ବିଦେଶରେ କ୍ରମଶଃହିଁ ବିସ୍ତୁତି ଲାଭ କରିଅଛି ଓ କରୁଅଛି । ଯେଉଁ ସ୍ଥାନରେ କାଠର ବ୍ୟବହାର ନାହିଁ ଏବଂ କାଠ ଦୁର୍ମ୍ମୂଲ୍ୟ ସେଠାରେ ପଥର କୋଇଲାର ପୂର୍ଣ୍ଣ ରାଜତ୍ୱ । ଏହାର ଅଭାବରେ ସବୁ କଳକାରଖାନା ବନ୍ଦ, ଛଅମାସ ବାଟ ଛଅଦିନରେ ବହନକାରୀ ରେଳଗାଡି ବନ୍ଦ । ଭାରତବର୍ଷ ତଥା ପାଶ୍ଚତ୍ୟ ଦେଶ ସମୂହର ପ୍ରତ୍ୟେକ ସହରସ୍ଥ ଲୋକମାନଙ୍କର ଭାତ ରନ୍ଧା ମଧ୍ୟ ବନ୍ଦ । ପଲ୍ଲୀ ଗ୍ରାମରେ ମଧ୍ୟ ଏହାର ବିଶେଷ ଭାବରେ ପ୍ରବେଶ କରିଅଛି । ଗୋଟିଏ କଥାରେ କହିବାକୁ ଗଲେ କୋଇଲା ଅଭାବରୁ ଅଧିକାଂଶ ଲୋକଙ୍କର ଭାତ ହାଣ୍ଡିକୁ ସନ୍ନିପାତ ଘୋଟି ଯାଇଥାଏ । କୋଇଲା ଆବିଷ୍କାର ସଙ୍ଗରେ ବୃହତ କାରବାର ସମୂହ ପ୍ରବୃର୍ତ୍ତନର (Manufactures and industries) ଅତି ଘନିଷ୍ଟ ସମ୍ବନ୍ଧ-। ଇଂଲଣ୍ଡରେ ଯେତେବେଳେ ଶିଳ୍ପ ସମ୍ବନ୍ଧୀୟ ବିପ୍ଲବ (Industrial revolution) ହୋଇଥିଲା, ତାହାର ମୂଳରେ ପଥର କୋଇଲାର ଆବିଷ୍କାରହିଁ ପ୍ରଦାନ ବୋଲି କହିବାକୁ ହେବ । କାରଣ କୋଇଲାର ଉତ୍ତାପ ଶକ୍ତିକୁ କାର୍ଯ୍ୟରେ ଲଗାଇ ଦେଖାଗଲା ଯେ ମନୁଷ୍ୟ ଶକ୍ତିରେ ଯାହା ସମ୍ଭବ ତାହା ଅପେକ୍ଷା ଅନେକ ଅଧିକ କାର୍ଯ୍ୟ ଏହା ଦ୍ୱାରା ହୋଇପାରେ ।

 

ଯେଉଁ ସମସ୍ତ କାର୍ଯ୍ୟ ମନୁଷ୍ୟ ଯନ୍ତ୍ର ପରିଚାଳିତରୂପେ କରିପାରେ ଏବଂ ଯହିଁରେ ମନୁଷ୍ୟର ବୁଦ୍ଧିବୃତ୍ତ ପରିଚାଳନା ସମାନ୍ୟ ଅଂଶ ସୁଦ୍ଧା ପ୍ରୟୋଜନ ହୁଏ ନାହିଁ, ସେହି ସମସ୍ତ ଏହି ପଥର କୋଇଲାର ଉତ୍ତାପ ଶକ୍ତି ସାହାଯ୍ୟରେ ଯନ୍ତ୍ର ଦ୍ୱାରା ଅନୁଷ୍ଠିତ ହେବା ସମ୍ଭବପରେ ହେଲା । ବୃହତ୍ କାରବାର ସଙ୍ଗରେ ବାଣିଜ୍ୟର ଉନ୍ନତି ମଧ୍ୟ ହୋଇଗଲା । ବାଣିଜ୍ୟ ସଙ୍ଗେ ସଙ୍ଗେ Economical, Political, Industrial (ପରିମିତାଚାର, ରାଜନୀତି ଓ ଶ୍ରମଶୀଳତା) ଏବଂ ଅନ୍ୟ ସମସ୍ତ ବିଷୟରେ ଗୋଟାଏ ଓଲଟ ପାଲଟ ହୋଇ ନୂତନ ନିୟମ ଏବଂ ବିଧାନର ଆରମ୍ଭ ହେଲା । ଗୋଟିଏ କଥାରେ କହିବାକୁ ହେଲେ ଏତିକି କହିବାକୁ ହେବ ଆଧୁନିକ ସଭ୍ୟତା ପ୍ରବର୍ତ୍ତନ ମୂଳରେ ଏହି ପଥର କୋଇଲା କି କାର୍ଯ୍ୟ କରିଅଛି ତାହା ଐତିହାସିକମାନେ ଉତ୍ତମରୂପେ ଜାଣନ୍ତି । ସାମାଜିକ ବନ୍ଧନ ଓ ନିୟମ ମୂଳରେ ଯେ କୋଇଲା କି ପରିମାଣରେ ସାହାଯ୍ୟ କରିଅଛି ତାହା କହିବା ଅସମ୍ଭବ ।

 

ବେଙ୍ଗଲ ନାଗପୁର ରେଳର କୋଇଲାଖଣିରେ ଉପସ୍ଥିତ ହୋଇ ସେଠାରେ ସହକାରୀ କାର୍ଯ୍ୟାଧ୍ୟକ୍ଷ ବାବୁ ରାଧିକାରଞ୍ଜନ ଧର ମହାଶୟ ଅତି ଯତ୍ନ ସହକାରେ କୋଇଲା ଖଣିର ସମସ୍ତ କାର୍ଯ୍ୟ ବୁଝାଇ ଦେଲେ ।

 

ଯେଉଁ ପଥର କୋଇଲା ସହିତ ସମସ୍ତଙ୍କର ଘନିଷ୍ଟ ସମ୍ପର୍କ, ସେହି କୋଇଲା କିପରି ଅଥବା କେଉଁଠାରେ ହୁଏ, କେଉଁ ଉପାୟରେ ବାହାରେ ତାହା ବୋଧହୁଏ ଅତ୍ୟଳ୍ପ ଲୋକହିଁ ଜାଣନ୍ତି-। କୋଇଲା କିପରି ଉତ୍ପନ୍ନ ହୁଏ ତାହା ଜାଣିବାକୁ ହେଲେ ଭୂତତ୍ତ୍ୱର ଆଲୋଚନା ସାମାନ୍ୟ ପରିମାଣରେ ଆବଶ୍ୟକ । ଏହି ପୃଥିବୀ ପୂର୍ବେ କିପରି ଥିଲା ଏବଂ କିପରି ବର୍ତ୍ତମାନ ମୁର୍ତ୍ତିରେ ପରିବର୍ତ୍ତିତ ହେଲା, ଏହାର ଉର୍ଦ୍ଧ୍ୱରେ ଅଥବା ନିମ୍ନରେ କେଉଁ କେଉଁ ପଦାର୍ଥ ବର୍ତ୍ତମାନ, ଏହି ସମସ୍ତ ନିର୍ଣ୍ଣୟ କରିବାହିଁ ଭୂତତ୍ତ୍ୱବିଦଙ୍କର କାର୍ଯ୍ୟ । ଖଣିଜ ବିଦ୍ୟା ଭୂତତ୍ତ୍ୱ ବିଦ୍ୟାର ଗୋଟିଏ ପ୍ରଧାନ ଅଂଶ ସୁତରାଂ ପୃଥିବୀର ଅଭ୍ୟନ୍ତରରୁ ଆମ୍ଭେମାନେ କୋଇଲା, ସ୍ୱର୍ଣ୍ଣ, ରୌପ୍ୟ, ହୀରକ ପ୍ରଭୃତି ଯାହା ପ୍ରାପ୍ତ ହୋଇଅଛୁଁ ଏ ସମସ୍ତ ସକାଶେ ଆମ୍ଭେମାନେ ପ୍ରଧାନତଃ ଭୂତତ୍ତ୍ୱବିଦମାନଙ୍କ ନିକଟରେ ଋଣୀ-

 

ଭୂତତ୍ତ୍ୱବିଦବର୍ଗଙ୍କ ମତରେ ପୃଥିବୀ ପ୍ରଥମେ ଗୋଟିଏ ଗଳିତ ଜଡପିଣ୍ଡ ଥିଲା । ଏହା ଉତ୍ତାରୁ କ୍ରମଶଃ ତାହାର ବହିର୍ଭାଗ ଶୀତଳ ହୋଇ କଠିଣ ମୃତ୍ତିକାରେ ପରିଣତ ହେଲା । ଏହି ମୃଣ୍ମୟ ଉପରିଭାଗହିଁ ଆମ୍ଭମାନଙ୍କର ବର୍ତ୍ତମାନ ବାସସ୍ଥାନ । ଏହାର ଅଭ୍ୟନ୍ତର ଯେ ବର୍ତ୍ତମାନ ସୁଦ୍ଧା ଅତ୍ୟନ୍ତ ଗରମ, ତାହାର ଯଥେଷ୍ଟ ପ୍ରମାଣ ରହିଅଛି । କୌଣସି ଖଣି ମଧ୍ୟରେ ଅବତରଣ କଲେ ବୁଝିହେବ ଯେ ଯେତେ ନିମ୍ନକୁ ଯିବ, ସେତିକି ତାପ ବୃଦ୍ଧି ହେବ । ସ୍ଥୂଳତଃ ଏତିକି କହିଲେ ଯଥେଷ୍ଟ ହେବ ଯେ ଭୂଗର୍ଭର ପ୍ରତ୍ୟେକ ୬୦ଫୁଟରେ ଏକ ଡିଗ୍ରି ଲେଖାଏ ଉତ୍ତାପ ବୃଦ୍ଧି ପ୍ରାପ୍ତ ହୋଇଥାଏ । ଯେବେ ଏହି ପରିମାଣରେ କ୍ରମଶଃ ବୃଦ୍ଧି ପ୍ରାପ୍ତ ହୁଏ ତାହା ହେଲେ ଦଶହଜାର ଫୁଟ ନିମ୍ନରେ ତାପ ପାଣି ଫୁଟାଇବାକୁ ସମର୍ଥ ହେବ । ଏହା ବ୍ୟତୀତ ଆଗ୍ନେୟଗିରି, ଉଷ୍ଣ ପ୍ରସବଣ ପ୍ରଭୃତି ପୃଥିବୀର ଅଭ୍ୟନ୍ତରିଣ ତାପର ପ୍ରମାଣ ମଧ୍ୟ ଦେଇଥାଏ ।

 

ଯେପରି ପୃଥିବୀର ଉପରଭାଗ ଶୀତଳ ହେଲା । ସେହି ସଙ୍ଗରେ ଗଳିତ ଜଡପିଣ୍ଡ ବେଷ୍ଟନକାରୀ ବାସ୍ପ (Gas) ମଧ୍ୟ ଶୀତଳ ହେଲା । ସେଥିରୁ ପାଣି ପ୍ରସ୍ତୁତ ହେଲା ଏବଂ କ୍ରମଶଃ ତାହା ବର୍ତ୍ତମାନ ଆକାର ଧାରଣକଲା । ପୃଥିବୀର ଉପର ଭାଗ ଶୀତଳ ହେବାରୁ ତାହାସଙ୍କୁଚିତ ହେଲା ଏବଂ ତହିଁ ରେ ଉପରକୁ ଅଧିକ ଚାପ (Pressure) ପଡିଲା । ଏହି ଚାପ ଦ୍ୱାରା ପୂର୍ବର ମୃତ୍ତିକାସ୍ତୂପ ବକ୍ର ହେଲା ଏବଂ ସ୍ଥାନେ ସ୍ଥାନେ ଭାଙ୍ଗିଗଲା । ପୃଥିବୀର ସଙ୍କୋଚନ କ୍ରିୟା ବର୍ତ୍ତମାନ ସୁଦ୍ଧା ଚାଲିଅଛି, ତେବେ ପୃଥିବୀର ବୟସ ଯେପରି ବୃଦ୍ଧି ପ୍ରାପ୍ତ ହେଉଅଛି ଭୂପୃଷ୍ଠ ମଧ୍ୟ ସେତିକି ମୋଟ ହେଉଅଛି ଏବଂ ମଧ୍ୟସ୍ଥିତ ଗଳିତାଂଶ ପୂର୍ବାପେକ୍ଷା ମନ୍ଥର ଗତିରେ ଶୀତଳ ହେଉଅଛି । ସୁତରାଂ ଏହାର ସଙ୍କୋଚନ କ୍ରିୟା ମଧ୍ୟ ପୂର୍ବାପେକ୍ଷା ଅନେକ ପରିମାଣରେ କମ । ଏହାଦ୍ୱାରା ପ୍ରମାଣିତ ହେବ ଯେ ନୂତନ ଶିଳା ସ୍ତୁପ ଅପେକ୍ଷା ପୁରାତନ ଶିଳାସ୍ତୁପ (Rock) କାହିଁକି ଏଭଳି ପ୍ରଚଣ୍ଡ ରୂପରେ ଆଙ୍କୁଞ୍ଚିତ ହୋଇଅଛି ।

 

ଏହିରୂପେ ଅଗ୍ନ୍ୟୁତ୍‌ପାତ, ଜଳଧାରା ସମ୍ପାତ୍‌ଏବଂ ସର୍ବଦା ତାପବିକୀରଣରେ ପୃଥିବୀ ଶୀତଳ ହେଲା, ଭୂପୃଷ୍ଠ କଠିଣରୁ କଠିଣତର ହେଲା ଏବଂ ତାହାର ଅଭ୍ୟନ୍ତରସ୍ଥ ଗଳିତ ଧାତୁସମୂହ ଧୀରେ ଧୀରେ କାଠିଣ୍ୟ ପ୍ରାପ୍ତ ହେଲା । କାଠିଣ୍ୟରୁ ଶିଳା ନିର୍ମ୍ମିତ ହେଲା । ଭୂତତ୍ତ୍ୱବିଦଗଣ ଏହି ଶିଳା (Rock) ଦୁଇ ଭାଗରେ ବିଭକ୍ତ କରିଅଛନ୍ତି, ଗୋଟିଏ ଆଗ୍ନେୟ (Igneous) ଅରେଟି କଳଜ (Aqueous) ଆଗ୍ନେୟ ପର୍ବତୋଦ୍ଗୀର୍ଣ୍ଣ ଗଳିତ ନିଃସ୍ରାବ ଭଳି ଗଳିତ ଜଡପିଣ୍ଡ ଶୀତଳ ହେଲେ ସେହି ଶିଳାକୁ ଆଗ୍ନେୟ ଶିଳା (Igneous rock) କହନ୍ତି । ଏ ଗୁଡିକର କୌଣସି ବିଶେଷ ଆକାର ନଥାଏ । ଏହା ପୃଥିବୀର ଚାପରେ ଭିତରରୁ ଗଳିତ ଅବସ୍ଥାରେ ଊର୍ଦ୍ଧ୍ୱାଂଶ ଭେଦକରି ଉଠେ ଏବଂ ସେଠାରେ ଶୀତଳ ହୋଇ କଠିଣ ହୁଏ ।

 

ପୃଥିବୀର ଉପରିଭାଗ କ୍ରମଶଃ ଯେତିକି ସଂଙ୍କୁରିତ ହୁଏ ତାହାର ଚାପରେ ପୁରାତନ ଶିଳା ସମୂହ ସ୍ଥାନେ ସ୍ଥାନେ ସେତିକି ଭାଙ୍ଗୁଥାଏ ଏବଂ ତାହା ବୃଷ୍ଟି ଜଳ ଦ୍ୱାରା ଧୌତ ହୋଇ ପବନ ସାହାଯ୍ୟରେ ନଦୀରେ ଆସି ପଡିଥାଏ ଏବଂ ନଦୀର ଗତି ସହିତ ଧାବିତ ହୁଏ । ଯେଉଁଠାରେ ନଦୀ ସମୁଦ୍ରରେ ପତିତ ହୁଏ, ସେ ସ୍ଥାନରେ ତାହାର ସ୍ରୋତଗତି ମନ୍ଦ ହୁଏ ଏବଂ ବାଲୁକା ଓ କର୍ଦ୍ଦମ ପଙ୍କସ୍ତର ରୂପେ ବନ୍ୟସ୍ତ ହେଉଥାଏ । ଏହିପରି ସ୍ତରେ ସ୍ତରେ ସଜ୍ଜିତ ହୋଇ ବାଲୁକା ଓ କର୍ଦ୍ଦମ ରାଶି ଉପରର ଚାପରେ କଠିଣ ହୋଇ ଉଠେ ଏବଂ ଶିଳାରେ ପରିଣତ ହୁଏ । ଏହି ପ୍ରକାର ଶିଳାର ବିଭିନ୍ନସ୍ତର ରହିଥାଏ ଏବଂ ଏହା ଜଳସ୍ରୋତ ଦ୍ୱାରା ଉତ୍ପନ ହୁଏ ବୋଲି ଏହାକୁ ଜଳଜ ଅଥବା ସ୍ତର-ବିନ୍ୟସ୍ତ ଶିଳା (Aqueous or stratified rock) କହନ୍ତି ।

 

ଏହି ସମସ୍ତ ଶିଳା ଉପରେ ଜୀବନ୍ତ ଦେହର କିମ୍ବା ଅସ୍ଥି ପଞ୍ଜରର ଅଥବା ଉଦ୍ଭିଦର ଛାପ ମିଳିଥାଏ । ଅର୍ଥାତ୍‌ଏହି ସମସ୍ତ ଶିଳା ସ୍ତରେ ସ୍ତରେ ସଜ୍ଜିତ ହେବା ସମୟରେ ତତ୍କାଳିକ କୌଣସି ଉଦ୍ଭିଦ ଅଥବା ଜୀବଜନ୍ତୁର ଦେହାବଶେଷ ତାହା ଉପରେ ପତିତ ହୋଇଅଛି, ଏବଂ ଉପର ସ୍ତରର ଚାପରେ ଛାପ ପଡିଅଛି । ଏହାକୁ ଇଂରାଜୀରେ Fossil କହନ୍ତି । ସୁତରାଂ ଏହି ସମସ୍ତ ଛାପ ଦେଖି ସେହି ଶିଳା କେଉଁ ସମୟର, ତାହା ବୋଲା ଯାଇପାରେ । ଏଥିରୁ ବୁଝାଯାଏ ଯେ ପୃଥିବୀର ପ୍ରଥମାବସ୍ଥାରେ ସଜୀବ ପ୍ରାଣୀର ଅସ୍ତିତ୍ୱ ନଥିଲା ଏବଂ କ୍ରମେ କ୍ରମେ ପୃଥିବୀର ବହିର୍ଭାଗ ଯେତେ ଶୀତଳ ହେଲା ସେତିକି ବୃକ୍ଷଲତା ପ୍ରଭୃତି ଜନ୍ମିଲା ଏବଂ ଧୀରେ ଧୀରେ ପ୍ରାଣିଜଗତର ଆର୍ବିଭାବ ହେଲା ।

 

ଯେଉଁଠାରେ ପଥର କୋଇଲାର ସ୍ତର ରହିଅଛି ପୂର୍ବେ ସେହି ସମସ୍ତ ସ୍ଥାନରେ ଗଭୀର ଅରଣ୍ୟ ଥିଲା । କ୍ରମଶଃ ଭୂପଞ୍ଜରର ଗତିରେ ସେହି ସମସ୍ତ ସ୍ଥାନ ଜଳରେ ନିମଗ୍ନ ହେଲା ଏବଂ କ୍ରମେ କ୍ରମେ ବାଲୁକା ଓ ମୃତ୍ତିକାସ୍ତର ତାହା ଉପରେ ସଞ୍ଚିତ ହେଉଥାଏ । ସେହି ସମସ୍ତ ବାଲୁକା ଓ ମୃତ୍ତିକା ବର୍ତ୍ତମାନ ବାଲୁକା ଶିଳା (Sand stone) ଏବଂ ମୃତ ପ୍ରସ୍ତରରେ (Shale) ପରିଣତ ହୋଇଛି । ସେହି ସମସ୍ତ ବୃକ୍ଷ ଲତାଦି ସଢି ଉପରର ଚାପ ଏବଂ ଆଭ୍ୟନ୍ତରୀଣ ତାପରେ ମୃଦଙ୍ଗାର ପ୍ରସ୍ତୁତ ହୋଇଅଛି । ଏହାର ପ୍ରମାଣ ସ୍ୱରୂପ କେବେ କେବେ କୋଇଲା ଉପରେ ବୃକ୍ଷ ପତ୍ର ଅଥବା ବୃକ୍ଷର ଅନ୍ୟ କୌଣସି ଅଂଶର ଛାପ ଦେଖା ଯାଇଥାଏ । କୋଇଲାର ରସାୟନିକ ବିଶ୍ଳେଷଣ ଦ୍ୱାରା ମଧ୍ୟ ଏହାର କେତେକ ପ୍ରମାଣ ମିଳେ । ବୃକ୍ଷଲତାଦି କେତେ ଦିନ ସଢିଲେ କୋଇଲାରେ ପରିଣତହେବ ଏହା କହିବା କଠିଣ । ଯେତେ ବେଶି ସମୟ ସଢିବ ସେତିକି ଭଲ କୋଇଲା ହେବ ।

 

ରସାୟନିକ ବିଶ୍ଳେଷଣ ଦ୍ୱାରା ଦେଖାଯାଏ ପଥର କୋଇଲା ବିଭିନ୍ନ ପ୍ରକାରର ରହିଅଛି ଏବଂ ସେଗୁଡିକର ଗୁଣ ମଧ୍ୟ ବିଭିନ୍ନ । ବୃକ୍ଷଲତାଦିର କ୍ରମ ପରିବର୍ତ୍ତନରେ କୋଇଲାର ଉତ୍ପତ୍ତି, ସୁତରାଂ ପରିବର୍ତ୍ତନର ପରିମାଣ ଅନୁସାରେ କୋଇଲାର ଗୁଣର ପାର୍ଥକ୍ୟ ଦୃଷ୍ଟ ହୋଇଥାଏ । ଯେଉଁ କୋଇଲା ପରିବର୍ତ୍ତନର ଶେଷ ସୀମାରେ ଉପସ୍ଥିତ ହୋଇଅଛି ତାହାହିଁ ସର୍ବୋତ୍କୃଷ୍ଟ କୋଇଲା । ନିମ୍ନରେ ବିଭିନ୍ନ ପ୍ରକାର କୋଇଲାର ନାମ ଓ ସେଗୁଡିକର ରସାୟନିକ ବିଶ୍ଳେଷଣର ପରିଚୟ ପ୍ରଦତ୍ତ ହେଲା :-

 

କୋଇଲାର ନାମ

ଅଙ୍ଗାର

(Carbon)

ଉଦ୍‌ଜାନ

(Hiydrogen)

ଅମ୍ଳଜାନ ଓ ଯବକ୍ଷାରଜାନ୍‌

(Oxygen & Nitrogen)

୧-Peat

(ଶତକରା)

 

୬୦

 

 

୩୪

 

ଏହାହିଁ କୋଇଲାର ପ୍ରଥମସ୍ତର ।

 

୨-Liquita

(ଶତକରା)

 

୭୦

 

 

୨୫

 

ଏହା Peat ର କ୍ରମୋନ୍ନତି । ଏହାର ରଙ୍ଗ ଧୂସର, କଳାନୁହେଁ । ଏହାର ତାପଶକ୍ତି କମ ଏବଂ ଏଥିରେ ଭସ୍ମ (Ash) ଅଧିକ ।

 

୩- Gas coal - ଏଥିରେ ଉଦ୍‌ଜାନର (Haydrogen) ଭାଗ ଅଧିକ, ଏହି ହେତୁରୁ ଏହା ଗ୍ୟାସ ପ୍ରସ୍ତୁତ କରିବା ସକାଶେ ବ୍ୟବହୃତ ହୋଇଥାଏ । Gas coal ରେ ଶତକରା ୮୪ଭାଗ ଅଙ୍ଗାର, ୬ ଉଦ୍‌ଯାନ, ୧୦ ଅମ୍ଳଜାନ ଓ ଯବକ୍ଷାରଯାନ ରହିଅଛି ।

 

୪- Bituminious coal - ଏହାହିଁ ସଚରାଚର ସମସ୍ତେ ବ୍ୟବହାର କରିଥାଆନ୍ତି-। House coal, Steam coal, Caking coal ପ୍ରଭୃତି ସବୁ ପ୍ରକାରର କୋଇଲା ଏଥିରୁ ହୋଇଥାଏ । ତାଳଚେର ରାଜ୍ୟରେ ଏହି Bituminious କୋଇଲାର ଆଧିକ୍ୟ ରହିଅଛି-। Bituminous coal ରେ ଶତକରା ୮୫ ଭାଗ ଅଙ୍ଗାର ୫ ଉଦ୍‌ଜାନ, ୧୦ ଭାଗ ଅମ୍ଳଯାନ ଓ ଯବକ୍ଷାରଜାନ ଅଛି ।

 

House coal - ଏହାର ରଙ୍ଗ କଳା, ମାତ୍ର ଉଜ୍ଜ୍ୱଳ । ଏହା ସହଜରେ ଜଳେ ଏବଂ ଏହାର ତାପ ବେଶି ଏବଂ ଧୂମ ଓ ଭସ୍ମ (Smoke and ash) କମ ।

 

Steamcoal - ଏହାର ରଙ୍ଗ କଳା, ମାତ୍ର ଉଜ୍ଜ୍ୱଳ ନୁହେ । ଏହାକୁ ଇଂରେଜୀରେ Dull black ରଙ୍ଗ କହନ୍ତି । ଏହା House coal ଭଳି ଶୀଘ୍ର ଜ୍ୱଳେ ନାହିଁ । ଏଥିରେ ଧୂମ କମ, ତାପ ଅଧିକ ।

 

Caking coal - ଏହା ଗୁଣ୍ଡ କରି ଗୋଟିଏ ଆବଦ୍ଧ ପାତ୍ରରେ ଜାଳିବାକୁ ହୁଏ ଏବଂ ଏହା ପରସ୍ପର ମିଶ୍ରିତ ହୋଇ ପିଣ୍ଡାକାର ପ୍ରାପ୍ତ ହୋଇଥାଏ (Cake together) ଏବଂ ଏହାର ଜଳୀୟ ଓ ବାସ୍ପୀୟ ଅଂଶ ଉଡିଯାଏ । ଯେଉଁ ସମସ୍ତ ଅଂଶ ଉଡିଯାଏ, ତହିଁରୁ Coal-tar (ଆଲ୍‌କାତରା) ଏବଂ Ammonia (ଲବଣ ନିର୍ଯ୍ୟାସ) ପ୍ରଭୃତି ଦ୍ରବ୍ୟାଦି ମିଳେ । ସାଧାରଣତଃ କୋକ କୋଇଲା ପ୍ରସ୍ତୁତ କରିବାକୁ ହେଲେ କୋଇଲା ଆବଦ୍ଧ ପାତ୍ରରେ ନଜଳାଇ ବାହାରରେ ଗୋଟିଏ ସ୍ଥାନରେ ସଜ୍ଜିତ କରି ଜଳାଇବାକୁ ହୁଏ ଏବଂ କିଛି ସମୟ ଉତ୍ତାରୁ ଜଳ ଦେଇ ଲିଭାଇ ଦେବାକୁ ହୋଇଥାଏ । ଭାରତବର୍ଷର ତଥା ପୃଥିବୀର ସୁବିଖ୍ୟାତ ଟାଟାଙ୍କର ଲୌହ କାରଖାନାରେ କୋକ୍‌କୋଇଲା ପ୍ରସ୍ତୁତର ଦୃଶ୍ୟ ଗୋଟିଏ ପ୍ରକାଣ୍ଡ ବ୍ୟାପାର ।

 

Authracite ନାମକ ପଥର କୋଇଲାହିଁ ସର୍ବୋକୃଷ୍ଟ କୋଇଲା ଏବଂ ଏହାହିଁ କୋଇଲା ସ୍ତରର ଶେଷ ପରିବର୍ତ୍ତନ । ଭାରତବର୍ଷରେ ଏ କୋଇଲା ମିଳେନାହିଁ, କେବଳ ଦାର୍ଜିଲିଂରେ କେତେବର୍ଷ ପୁର୍ବେ ୨ ଫୁଟର ସ୍ତର ଆବିଷ୍କୃତ ହୋଇଥିଲା ମାତ୍ର ସ୍ତରର ଘନତା (thrickness) କମ ହେବାରୁ ତହିଁରେ ଅଧିକ ବ୍ୟୟ ପଡିବ ବୋଲି ସେଠାରେ କାର୍ଯ୍ୟ ହୋଇନାହିଁ । Authracite କୋଇଲାର ରଙ୍ଗ ଘୋର କୃଷ୍ଣବର୍ଣ୍ଣ ଏବଂ ସମୁଜ୍ଜ୍ୱଳ । ଏହା ସହଜରେ ଜଳେ ନାହିଁ ଏବଂ Bituminous coal ଅପେକ୍ଷା ଏହା କଠିଣ କିନ୍ତୁ ଭଙ୍ଗ ପ୍ରବଣ । ଏହାର ଉତ୍ତାପ ଅତ୍ୟନ୍ତ ଅଧିକ ଏବଂ ଏଥିରେ ଧୂମ ପ୍ରାୟ ନାହିଁ । Authracite କୋଇଲାରେ ଶତକରା ଅଙ୍ଗାର ୯୫ ଭାଗ, ଉଦ୍‌ଯାନ ୨.୫ ଭାଗ, ଏବଂ ଅମ୍ଳଜାନ ଓ ଯବକ୍ଷାରଯାନ ୨.୫ ଭାଗ ।

 

ରସାୟନିକ ବିଶ୍ଳେଷଣ ଦ୍ୱାରା ପ୍ରମାଣିତ ହେଉଅଛି ଯେ ଯେଉଁ କୋଇଲାରେ ଅଙ୍ଗାରର (Carbon) ଭାଗ ଯେଉଁ ପରିମାଣରେ ଅଧିକ ସେହି କୋଇଲା ସେହି ପରିମାଣରେ ଉତ୍କୃଷ୍ଟ । କାରଣ ସେଥିରୁ ଅଧିକ ଉତ୍ତାପ ମିଳେ ।

 

ପଥର କୋଇଲାର ଖଣି ସବୁଦେଶରେ ଆବିଷ୍କୃତ ହୋଇନାହିଁ । ଯେଉଁ ସମସ୍ତ ସ୍ଥାନରେ କୋଇଲା ମିଳିଅଛି, ସେସବୁ ସ୍ଥାନର ସ୍ତରର ଗଭୀରତା ଏବଂ ସେହି ସ୍ତର ମାଟିର କେତେ ତଳକୁ ରହିଅଛି ତାହା ବିଶେଷଭାବରେ ପର୍ଯ୍ୟାଲୋଚନା କରି କୌଣସି ସ୍ଥିର ସିଦ୍ଧାନ୍ତରେ କେହି ଉପସ୍ଥିତ ହୋଇଅଛନ୍ତି କି ନାହିଁ ଲେଖକ ଜାଣେ ନାହିଁ । ମାତ୍ର ସଚରାଚର ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଦେଖାଯାଏ । କୋଇଲାଖଣି ନିକଟରେ ଲୁହାଖଣି ପ୍ରାୟ ରହିଥାଏ । ଇଂଲଣ୍ଡରେ Newcastle ର କୋଇଲାଖଣିରୁ Sheffild ର ଲୁହାଖଣି ଅଧିକ ଦୂରନୁହେଁ, ବଙ୍ଗଦେଶରେ ଝରିଆ କୋଇଲାଖଣିରୁ ବରାକର ଲୁହାଖଣି ମଧ୍ୟ ନିକଟ ଏବଂ ଉତ୍କଳର ତାଳଚେର କୋଇଲା ଖଣିରୁ କେନ୍ଦୁଝର କିମ୍ବା ବଣାଇଁର ଲୁହାଖଣିର ବ୍ୟବଧାନ ମଧ୍ୟ ଅଧିକ ନୁହେ । ଏ ସମସ୍ତର ପରସ୍ପର ନିକଟରେ ଅବସ୍ଥିତିର କୌଣସି ଗୂଢ ରହସ୍ୟ ଅଛି କି? ।

 

ପ୍ରତ୍ୟେକ ଦ୍ରବ୍ୟ ମଧ୍ୟରେ ଆଭ୍ୟନ୍ତରିକ କି ପଦାର୍ଥ ରହିଅଛି ତାହା ଜାଣିବାର ଇଚ୍ଛା ହେଲେ ପ୍ରଥମରେ ତାହାକୁ ଗୋଟିଏ ବନ୍ଦ ପାତ୍ରରେ ରଖି ଗରମ କରିବାକୁ ହୋଇଥାଏ । ଏହାକୁ ରସାୟନ ଶାସ୍ତ୍ରରେ Destructive Distileation କହନ୍ତି । ଏଭଳି ଗରମ କଲେ ଯେଉଁ ସମସ୍ତ ଦ୍ରବ୍ୟ ସେଥିରୁ ନିର୍ଗତ ହୁଏ, ତାହା ପୃଥକ ଭାବରେ ରସାୟନିକ ପ୍ରକ୍ରିୟା ଦ୍ୱାରା ପୃଥକ ପାତ୍ରରେ ସନ୍ନିବିଷ୍ଟ ହୋଇଥାଏ । ପଥରକୋଇଲାକୁ Destructive Distileation କଲେ ତହିଁରୁ ନିମ୍ନ ଆବଶ୍ୟକୀୟ ପଦାର୍ଥ ସବୁ ଉତ୍ପନ ହୁଏ:-

 

(୧) କୋଲଟାର (Coal Tar) ଯାହାକୁ ସାଧାରଣତଃ ଆଲକତରା କିମ୍ବା ରାଳ କହନ୍ତି ଏଥିରୁ ପୁଣି ରସାୟନିକ ପ୍ରକ୍ରିୟାରେ Napthalene(ଗନ୍ଧକର୍ପୂର) ବାହାର ହୋଇଥାଏ ।

 

(୨) ନିଶାଦଳ (Salt-ammoniac) ଏହା Electric Battery ଏବଂ Dry cells ପ୍ରଭୃତିରେ ବ୍ୟବହୃତ ହୁଏ, ଏବଂ କବିରାଜୀ ଓ ଡ଼ାକ୍ତରି ବହୁପ୍ରକାର ଔଷଧରେ ପ୍ରୟୋଜନ ହୁଏ ।

 

(୩) ଗନ୍ଧକ, ଏହା ପ୍ରଥମେ ବାସ୍ପରୂପେ ନିର୍ଗତ ହୁଏ, ପୁଣି ରସାୟନିକ ପ୍ରକ୍ରିୟାରେ ଗନ୍ଧକ ଗୁଣ୍ଡ ଉତ୍ପନ ହୋଇଥାଏ ।

 

(୪) କୋଇଲା ବାଷ୍ପ (Gas) ବଡ଼ ବଡ଼ ସହରକୁ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରିଥାଏ-

 

ପୃଥିବୀ ମଧ୍ୟରେ ବେଲିଜିୟମର କୋଇଲା ସର୍ବୋତ୍କୃଷ୍ଟକାରଣ ବେଲଜିୟମର କୋଇଲାଖଣିର ଗଭୀରତା ସମସ୍ତ ଖଣିଠାରୁ ଅଧିକ, ଏହି ହେତୁରୁ ଏହା ଏଡ଼େ ଉତ୍କୃଷ୍ଟ ।

 

କୋଇଲାଖଣି ମଧ୍ୟରେ ପ୍ରଧାନତଃ ଚାରିଗୋଟି ଯନ୍ତ୍ର ବ୍ୟବହାର ହୋଇଥାଏ ଖଣି ମଧ୍ୟରେ ଦୂଷିତବାୟୁ ନିଷ୍କାଶନର ଯନ୍ତ୍ର ତଥା ନିର୍ମଳ ପବନ ପୁରାଇବାର ଯନ୍ତ୍ର ଏହି ଦୁହିଁର ପ୍ରୟୋଜନୀୟତା ଅତ୍ୟନ୍ତ ଅଧିକ । ଏତଦ୍‌ବ୍ୟତୀତ ପାଣି ଉଠାଇବାର ଓ ଆଲୋକ ଦେବାର ବୈଦ୍ୟୁତିକ ଯନ୍ତ୍ର ମଧ୍ୟ ଲାଗିଅଛି । କୋଇଲା କାଟି ପକାଇବାର ଅନ୍ୟ ଯନ୍ତ୍ର ବିଦ୍ୟମାନ । କୋଇଲା କଟାହୋଇ ସାନ ସାନ ଲୌହ ଶକଟରେ ବୁହାହୋଇ ଖଣି ଉପରକୁ ଅବଲୀଳାକ୍ରମରେ ଉଠିଆସୁଅଛି । ଏଗୁଡ଼ିକର ଇଂରାଜୀନାମ Ventilating fan, winding Engine, Electric turbo Engine, Endles electric hamlage ପ୍ରଭୃତି । ବାୟୁର ଗମନାଗମନ ସକାଶେ ପଙ୍ଖା, ଗୁରୁଦ୍ରବ୍ୟ ବହନ ସକାଶେ କଳ, ପାଣି ନିଷ୍କାସନର କଳ ଏବଂ ଅସୀମ ଭାବରେ ଉଠାଇ ନେବାର ଯତ୍ନ ପ୍ରଭୃତି ସମସ୍ତ ବୈଦ୍ୟୁତିକ ବିଧିରେ ଚାଲିଅଛି । ରାଧିକା ବାବୁଙ୍କ ସାହାଯ୍ୟରୁ ସମସ୍ତ ପୁଙ୍ଖାନୁପୁଙ୍ଖରୂପେ ଦେଖିବାର ସୁବିଧା ହୋଇଥିଲା ।

 

କୋଇଲାଖଣି ମଧ୍ୟରେ ପ୍ରବେଶ କରିବା ଜୀବନର ଗୋଟିଏ ମହାପରିବର୍ତ୍ତନ ଆଣିଦିଏ-। ଏହା ଠିକ୍ ମର୍ତ୍ତ୍ୟରୁ ପାତାଳପୁରୀ ଦର୍ଶନର ଅନୁରୂପ । ବୈଦ୍ୟୁତିକ ଗୁରୁଦ୍ରବ୍ୟ ବହନକାରୀ କଳରେ ମାଟିଭିତରକୁ ୪୫୦ ଫୁଟ ଓହ୍ଲାଇବା ବେଳେ ଘୋର ଅନ୍ଧକାର ମଧ୍ୟରେ ଚାରିଆଡ଼େ ପାଣିର ଝର ଦେଖି ମନ ସ୍ତବ୍ଧ ହୁଏ ଏବଂ ହୃଦୟରେ ଯୁଗପତ୍‌ଭୟ ଓ ବିସ୍ମୟର ସଞ୍ଚାର ହେବାହିଁ ସ୍ୱାଭାବିକ । ୪୫୦ ଫୁଟ ତଳକୁ ଅବତରଣ କରି ଯେଉଁ ଅନ୍ଧକାର ମିଳେ ତାହା କବିବର୍ଣ୍ଣିତ ‘‘ମୁଷ୍ଟିଗ୍ରାହ୍ୟ’’ ଅନ୍ଧକାର । ସେହି ଅନ୍ଧକାର ମଧ୍ୟରେ ଶୃଗାଳ ଗର୍ତ୍ତଭଳି ସୁଡ଼ଙ୍ଗ କଟାହୋଇ ସ୍ଥାନେ ସ୍ଥାନେ ଅର୍ଦ୍ଧମାଇଲ ପର୍ଯ୍ୟନ୍ତ ବ୍ୟାପୀ ଯାଇଅଛି ଏବଂ ମଧ୍ୟେମଧ୍ୟେ ବିଦ୍ୟୁତାଲୋକରେ ଠେଲାଗାଡ଼ି ସାହାଯ୍ୟରେ ପଥରକୋଇଲା ବୁହାହୋଇ ଖଣିର ଅପରପାର୍ଶ୍ୱସ୍ଥିତ ଗୋଟିଏ ମୁଖରେ ବୈଦ୍ୟୁତିକ କଳରେ ଉତ୍ତୋଳିତ ହେଉଅଛି । କୋଇଲା ଗୁଡ଼ିକ ଉତ୍ତୋଳିତହୋଇ ଲୁହାର ବୃହତ୍‌ଚାଲୁଣିରେ ପଡ଼ି ଗୁଣ୍ଡ ଏବଂ ଖଣ୍ଡ କୋଇଲା ବଛା ଯାଉଅଛି ଏବଂ ତଳସ୍ଥିତ ରେଲ ଗାଡ଼ିରେ ଭିନ୍ନ ଭିନ୍ନ ହୋଇ ନିକ୍ଷିପ୍ତ ହେଉଅଛି । ଏହା ସମସ୍ତ ଦେଖିବାର ବସ୍ତୁ, ଲେଖି ବୁଝାଇବା ବିଫଳ ପ୍ରୟାସ ଭିନ୍ନ ଆଉ କିଛିନୁହେ । କବିଙ୍କର ଭାଷାରେ :-

 

‘‘ଅନୁମାନ ପରାଭବ ମାନେ ଏଥି, ଅନୁଭବହିଁ ଭାଜନ ।’’

 

ତାଳଚେରରେ ଡ଼େରାନାମକ ସ୍ଥାନରେ M. S. M. Ry (Madras and Southern Marhatta Railway)ର ଯେଉଁ କୋଇଲାଖଣି ଅଛି ତାହା ସର୍ବୋତ୍କୃଷ୍ଟ ଯନ୍ତ୍ର ସାହାଯ୍ୟରେ ପରିଚାଳିତ । ଏହି ଖଣି ମଧ୍ୟରେ ବୈଦ୍ୟୁତିକ ରେଲଗାଡ଼ି ସର୍ବଦା କୋଇଲା ବହନରେ ନିଯୁକ୍ତ ରହିଅଛି । ଖଣି ସମ୍ବନ୍ଧୀୟ ଅନ୍ୟ ସମସ୍ତ ପ୍ରକାର କଳ ଏଠାରେ ରହିଥିଲେହେଁ ଏଭଳି ଏଠାରେ ଗୋଟିଏ କଳ ଅଛି ଯାହାର ସାହାଯ୍ୟରେ ଭୂଗର୍ଭସ୍ଥ ସମସ୍ତ ପ୍ରକାର କାର୍ଯ୍ୟର ଦୃଶ୍ୟ ଉପରକୁ ଅନୁଭୂତ ହେବ । ଭୂଗର୍ଭରେ କେଉଁଠାରେ କୁଲିମାନେ କି କି କାର୍ଯ୍ୟ କରୁଅଛନ୍ତି, ଭୂପୃଷ୍ଠରେ ରହି ତାହା ଜଣାଯିବ । ବୈଜ୍ଞାନିକଯୁଗର ଏ ଅଦ୍ଭୁତ କୌଶଳ ଭାରତବର୍ଷର କୋଇଲାଖଣି ସମୂହରେ ଏକାବେଳକେ ବିରଳ । ଏହି ହେତୁରୁ ଏହି କୋଇଲାଖଣିର ଯାନ୍ତ୍ରିକ ଆୟୋଜନ ଅନ୍ୟ ସମସ୍ତ ଖଣିରୁ ଉତ୍କୃଷ୍ଟ ଏବଂ ଦର୍ଶନୀୟ, ତାଳଚେର ଗଡ଼ଠାରୁ ଏହି ଖଣିର ଦୂରତ୍ୱ ୫ ମାଇଲ ।

 

ତାଳଚେର ରାଜବାଟୀର ପଶ୍ଚାଦ୍ଦିଗସ୍ଥ ପର୍ବତ ଓ ଅରଣ୍ୟସମାକୁଳ ବିସ୍ତୃତ ଭୂଖଣ୍ଡର ଆୟତନ ପ୍ରାୟ ଚାରି ବର୍ଗମାଇଲ । ଏହି ଭୂଖଣ୍ଡରେ ରାଜା କିଶୋରଚନ୍ଦ୍ରଙ୍କର ବାଲ୍ୟ, କୈଶୋର ଏବଂ ଯୌବନ କାଳର ଅଶେଷ ସ୍ମୃତି ନିହିତ ରହିଅଛି ଏହି ଭୂଖଣ୍ଡକୁ ପାଞ୍ଚ ମାଇଲବ୍ୟାପୀ ସୁଦୀର୍ଘ ଓ ସୁଉଚ୍ଚ ପ୍ରସ୍ତର ଓ ଇଷ୍ଟକ ନିର୍ମିତ ପ୍ରାଚୀରବେଷ୍ଟନକରି ଏବଂ ଏହି ପ୍ରାଚୀର ଉପରେ ଲୁହାର କଣ୍ଟା ତାର ଏବଂ ବୈଦ୍ୟୁତିକ ତାର ଦେଇ ରାଜା କିଶୋରଚନ୍ଦ୍ର ଯେଉଁ ‘ବିନୋଦ ଉଦ୍ୟାନ’ ରଚନା କରିଅଛନ୍ତି ତାହା ସମଗ୍ର ଉତ୍କଳ କାହିଁକି, ସମଗ୍ର ଭାରତରେ ଗୋଟିଏ ଅଭିନବ ବ୍ୟାପାର । ରାଜା କିଶୋରଚନ୍ଦ୍ରଙ୍କର ଏଥିରେ ଆଜିପର୍ଯ୍ୟନ୍ତ ପ୍ରାୟ ଅଢେଇ ଲକ୍ଷ ମୁଦ୍ରା ବ୍ୟୟ ହୋଇଅଛି, ଆହୁରି ଅନେକ ମଧ୍ୟ ବ୍ୟୟର ସମ୍ଭାବନା । ମାତ୍ର ସୁଖର ବିଷୟ ଏତିକି ଏ ବ୍ୟୟ ସାଧାରଣ ରାଜକୋଶରୁ ହୋଇନାହିଁ, ରାଜାଙ୍କ ବ୍ୟକ୍ତିଗତ ବ୍ୟୟରୁ ହୋଇଅଛି । ଏହାକୁ ରାଜା ସାହେବ ପ୍ରାକୃତିକ ପ୍ରାଣୀବାଟିକା (Natural Zoo) କରିଅଛନ୍ତି । ନାନା ପ୍ରକାର ପଶୁ ଏଥିରେ ନିର୍ଭୟରେ ଏବଂ ସ୍ୱାଧୀନ ଭାବରେ ବିଚରଣ କରୁଅଛନ୍ତି, କେବଳ ବ୍ୟାଘ୍ର ଭଲ୍ଲୁକ ପ୍ରଭୃତି ହିଂସ୍ର ଜନ୍ତୁବର୍ଗ ଏହି ଅରଣ୍ୟରେ ନାହାନ୍ତି । ବାହାରରୁ ଯେପରି ପ୍ରବେଶ କରି ପାରିବେ ନାହିଁ ; ଏଥି ସକାଶେ ପ୍ରକାଣ୍ଡ ପ୍ରାଚୀର ତଥା ବୈଦ୍ୟୁତିକ ତାର ବେଷ୍ଟନର ବ୍ୟବସ୍ଥା ହୋଇଅଛି । ଏଡ଼େବଡ଼ ପ୍ରକାଣ୍ଡ ପ୍ରଚୀର ସମଗ୍ର ଉତ୍କଳ ଖଣ୍ଡରେ ନାହିଁ । ସମସ୍ତ ଭାରତଖଣ୍ଡରେ ସୁଦ୍ଧା ଏଭଳି ପ୍ରାକୃତିକ ପ୍ରାଣୀବାଟିକା ନାହିଁ, ଏହି ଅରଣ୍ୟ ମଧ୍ୟରୁ କଣ୍ଟକାକୀର୍ଣ୍ଣ ଗୁଳ୍ମ ସମୂହ ନିଷ୍କାଶିତ ହୋଇଅଛି, ବହୁଳ ତୃଣ ଉତ୍ପାଦନର ମଧ୍ୟ ବ୍ୟବସ୍ଥା ହୋଇ ଅଛି । ବନଭୂମି ମଧ୍ୟରେ ସାନ ବଡ଼ ହୋଇ ୧୩ ଗୋଟା ବନ୍ଧ ଏବଂ ଗୋ ୮ ଟା ନାଳ ରହିଅଛି ଏବଂ ପ୍ରଖର ଗ୍ରୀଷ୍ମରେ ଯେପରି ଜଳାଭାବ ନ ଘଟେ, ଏହି ବନ୍ଧ ସମୂହରେ ପାଣି ଗୁଡ଼ିକ ରକ୍ଷାର ବ୍ୟବସ୍ଥା ହୋଇଅଛି । ସର୍ବୋପରି ୩ ମାଇଲ ଦୀର୍ଘ ଲୁହାନଳ ବସାଇ କୋଇଲାଖଣି ମଧ୍ୟରୁ ବିଶୁଦ୍ଧ ପାଣି ଅଣାଇ ଏଥି ମଧ୍ୟରେ ପ୍ରବାହିତ ହେବାର କୌଶଳ ମଧ୍ୟ ଦୃଷ୍ଟ ହେଲା । ପ୍ରାୟ ୪୦୦ ଫୁଟ ଗଭୀରରୁ ଏ ପାଣି ଅଜସ୍ର ଭାବରେ ପ୍ରବାହିତ ହୋଇ ବନ୍ଧମାନଙ୍କୁ ପୂର୍ଣ୍ଣ କରୁଅଛି । ଏହି ପାଣି ଯେପରି ବିଶୁଦ୍ଧ ସେହିପରି ପରିପାକ ଶକ୍ତି ବର୍ଦ୍ଧକ । ଲେଖକ ଅନେକଥର ଏହି ପାଣି ଆକଣ୍ଠପାନ କରି ଏହାର ଶକ୍ତିମତ୍ତା ପରୀକ୍ଷା କରିଅଛି, ସୁତରାଂ ଅସଙ୍କୋଚରେ ଏହି ମନ୍ତବ୍ୟ ଦେବାକୁ ବାଧ୍ୟ ।

 

ଏହି ଭୂଖଣ୍ଡ ମଧ୍ୟରେ ଫୁଲଝର ରଗଡ଼ି, ଭାଲୁଖାଇ ରଗଡ଼ି; ହାଡ଼ିନାଳ ରଗଡ଼ି, ମହୁଲପାଳରଗଡ଼ି, ଓ ବୈଷ୍ଣବ ରଗଡ଼ି ନାମକ ପାଞ୍ଚଗୋଟି କ୍ଷୁଦ୍ର ଶୈଳ ରହିଅଛି ଏବଂ ଉପତ୍ୟକା ସ୍ୱରୂପ ପଥରଖୋଳା, ମାଟିଗାଡ଼ିଆ, ଚଣ୍ଡିନାଳ, ଦୁଧେଇନାଳ, ଭାଲୁଖାଇ ଓ ବାଉଁଶମଲକା ନାମକ ଖୋଲମାନ ରହିଅଛି । ସମସ୍ତ ଭୂଖଣ୍ଡରୁ ଦୂଷିତ ଜଳ ନିଷ୍କାଶନ ସକାଶେ ପାଞ୍ଚଗୋଟି ବୃହତ୍‌ପୟଃ ପ୍ରଣାଳୀ ମଧ୍ୟ ନିର୍ମିତ ହୋଇଅଛି । ଏହା ମଧ୍ୟରେ ଦଶଗୋଟି ବଡ଼ ମାର୍ଗ ନିର୍ମିତ ହୋଇଅଛି, ଯହିଁରେ ମାର୍ଗର ଦୈର୍ଘ୍ୟ ପ୍ରାୟ ୨୫ ମାଇଲ । ଏହି ମାର୍ଗ ଗୁଡ଼ିକ ସ୍ୱାଭାବିକଭାବରେ ରଚିତ, ତହିଁରେ କୃତ୍ରିମତା ସ୍ପର୍ଶ କରିନାହିଁ । ଏ ମାର୍ଗ ଗୁଡ଼କରେ ମୋଟରଗାଡି ଅନାୟାସରେ ଯାଇପାରେ, ମନୁଷ୍ୟ ଅଶ୍ୱାରୋହଣ କିମ୍ବା ହସ୍ତୀ ଆହୋରଣ ଯିବାକୁ ସବୁବେଳେ କ୍ଷମ ।

 

ପଶୁ ପ୍ରୀତି ଏବଂ ପଶୁ ସ୍ନେହ ରାଜା କିଶୋରଚନ୍ଦ୍ରଙ୍କ ହୃଦୟରେ କେଉଁ ପରିମାଣରେ ଅବସ୍ଥାନ କରୁଅଛି ତାହା ଏହି ବିନୋଦ ଉଦ୍ୟାନ ଦର୍ଶନରୁ ସମ୍ୟକ୍‌ଉପଲବ୍ଧି ହେବ । ଏଥରେ ନାନାପ୍ରକାର ଜନ୍ତୁ ସଂଗୃହୀତ ହୋଇ ନିର୍ଭୟରେ ବିଚରଣ କରୁଅଛନ୍ତି, ଶତ ୨ ହରିଣ, ଶମ୍ବର, କୁଟୁରା, ଘୋଡ଼ା; ଭେଡ଼ି, ମେଣ୍ଢା, ଛେଳି, ପ୍ରଭୃତିର ଏକତ୍ର ସଂସ୍ଥିତି ହୃଦୟରେ ଅପୂର୍ବ ପୁଲକ ସଞ୍ଚାର କରିଦିଏ । ଜେବ୍ରା ନାମକ ଚିତ୍ରିତ ଘୋଟକ ଏବଂ କଙ୍ଗାରୁ ନାମକ ଦ୍ୱିଗର୍ଭକ ଜନ୍ତୁ, ଆଣ୍ଟିଲୋପ ନାମକ ଦୀର୍ଘ ଶୃଙ୍ଗ ବିଶିଷ୍ଟ ହରିଣ ପ୍ରଭୃତିରେ ବହୁ ବ୍ୟୟରେ ସ୍ଥାନାନ୍ତରରୁ ସଂଗୃହୀତ ହୋଇ ଏବଂ ବଣେଇ ରାଜ୍ୟରୁ ବଣେଇର ସ୍ନେହପ୍ରବଣ ଓ ବନ୍ଧୁବତ୍ସଳ ରାଜା ଧରଣୀଧରଇନ୍ଦ୍ରଦେବଙ୍କ ସାହାଯ୍ୟରେ ତାଳଚେରାଧୀଶ ରାଜା କିଶୋରଚନ୍ଦ୍ରଙ୍କର ପ୍ରଗାଢ ପରିଶ୍ରମ ଏବଂ ଅପୂର୍ବ କୌଶଳରେ ଧୃତ କେତେଗୁଡ଼ିଏ ଗୟଳ (Bison) ମଧ୍ୟ ଏଠାରେ ରହିଅଛି । ଏହି ଜନ୍ତୁ ଅରଣ୍ୟର ନିଭୃତତମ ଅଂଶରେ ବାସ କରନ୍ତି, ସହଜରେ ବଶ୍ୟତା ସ୍ୱୀକାର କରନ୍ତି ନାହିଁ । ମାତ୍ର ରାଜା କିଶୋରଚନ୍ଦ୍ର ଏହି ଜନ୍ତୁଙ୍କୁ ବଶ୍ୟତାସ୍ୱୀକାର କରାଇ ଏହାର ଏବଂ ମହିଷର ସଂସର୍ଗରେ ସନ୍ତାନୋତ୍ପତ୍ତର ବ୍ୟବସ୍ଥା କରିବା ସକାଶେ କେତେଗୁଡ଼ିଏ ମହିଷ ମଧ୍ୟ ଏଠାରେ ଛାଡ଼ି ଦେଇ ଅଛନ୍ତି-

 

ଏଥିମଧ୍ୟରେ ବିଭିନ୍ନ ଦେଶରୁ ବହୁବ୍ୟୟରେ ଆନୀତ ନିମ୍ନ ପ୍ରକାରର ଜନ୍ତୁମାନ ମଧ୍ୟ ରହିଅଛନ୍ତି :-

 

ଆଫ୍ରିକାରୁ ଆନୀତ :- ଦୀର୍ଘ ଶୃଙ୍ଗ ବିଶିଷ୍ଟ ହରିଣ (Antilop), କୁଜୁ(Kudu , ସେବଲ(Sable), ବୁଶବକ(Bush-buck)

 

ଜର୍ମାନୀରୁ ଆନୀତ :- White-dear, Fallow-dear

 

ଆସାମରୁ:- Hog deer-Himalayan Gayal (Bison)

 

ଭାରତବର୍ଷର ମଧ୍ୟପ୍ରଦେଶ (M. P) ରୁ ଆନୀତ :- ବାରଶିଙ୍ଘା ହରିଣ ଏମାନଙ୍କ ଶିଙ୍ଘରେ ବାରୋଟି ମୁନ ।

 

ଆଫ୍ରିକାରୁ ଆନୀତ ବାନର ନିମ୍ନ ପ୍ରକାରର :- Ring-tailed monkey, Hoolook monkey.

 

ଏହି ବିନୋଦ ଉଦ୍ୟାନର ଗୋଟିଏ ପାର୍ଶ୍ୱରେ ଅଗଣିତ ପ୍ରକାରର କଲମ ବୃକ୍ଷ ରୋପିତ ହୋଇଅଛି । କାଳେ ଏହା ଫଳ ପ୍ରସବ କରି ଆୟର ଗୋଟିଏ ପ୍ରକୃଷ୍ଟ ପନ୍ଥା ନିର୍ଦ୍ଦେଶ କରି ଦେବ ଏଥିରେ ସନ୍ଦେହ ନାହିଁ । ସ୍ଥାନେ ସ୍ଥାନେ ସିମେଣ୍ଟ ନିର୍ମ୍ମିତ ତଥା ଚିତ୍ରିତ ମୂର୍ତ୍ତି ଗୁଡ଼ିକ ନୟନ ମନୋଲୋଭା ହୋଇଅଛି । ଗୋଟିଏ ସ୍ଥାନରେ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର କାଳୀୟଦଳନ, ଅପର ଗୋଟିଏ ସ୍ଥାନରେ ବସ୍ତ୍ରହରଣ, ଏବଂ ଦଶରଥଙ୍କୁ ଅନ୍ଧମୁନିଙ୍କ ଶାପ୍ୟ । ବିନୋଦ ଉଦ୍ୟାନର ଏକ ପାର୍ଶ୍ୱସ୍ଥିତ ବୈଷ୍ଣବରଗଡ଼ି ନାମକ କ୍ଷୁଦ୍ର ଶୈଳୋପରି ନିର୍ମ୍ମିତ ବଙ୍ଗଳା ‘ ନିଭୃତ-ନିଳୟ ’ ମଧ୍ୟରେ ସଯତ୍ନ ରକ୍ଷିତ ମୂର୍ତ୍ତି ଓ ପ୍ରତିମା ସମୂହର ମେଳା । ଏହି ସମସ୍ତ ପ୍ରତିମୂର୍ତ୍ତି ମଧ୍ୟରେ ତାଳଚେର ରାଜବଂଶ ତଥା ବାମଣ୍ଡା ରାଜବଂଶର ପୂର୍ବପୁରୁଷବୃନ୍ଦଙ୍କର ସମଗ୍ର ରାମାୟଣ ଓ ସମଗ୍ର ମହାଭାରତର ପ୍ରତ୍ୟେକ ବର୍ଣ୍ଣିତ ବିଷୟର ଚିତ୍ରସମୂହର ସିମେଣ୍ଟ ଅଥବା ମୃଣ୍ମୟ ନିର୍ମିତ ମୂର୍ତ୍ତି ଗୁଡ଼ିକରେ ଏହି ଉଦ୍ୟାନ ସଜ୍ଜିତ କରିବା ସକାଶେ ରାଜା କିଶୋରଚନ୍ଦ୍ର ବ୍ରତୀ ହୋଇଅଛନ୍ତି । ଏଥିରୁ ରାମାୟଣ ଓ ମହାଭାରତର ସାଙ୍କେତିକ ଶିକ୍ଷା ଅନାୟାସରେ ହୋଇ ପାରିବ ବୋଲି ତାହାଙ୍କର ଅଭିପ୍ରାୟ । ଏହି ହେତୁରୁ ବର୍ତ୍ତମାନ କ୍ଷୁଦ୍ର କ୍ଷୁଦ୍ର ମୂର୍ତ୍ତି ସମୂହ ନମୁନା ସ୍ୱରୂପ ସ୍ଥାନେ ସ୍ଥାନେ ରକ୍ଷିତ ହୋଇଅଛି । ଏହି ଗୁଡ଼ିକ ବୃହଦାକାରରେ ଅଳ୍ପଦିନ ମଧ୍ୟରେ ନିର୍ମିତ ହୋଇ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ବୃଦ୍ଧି କରିବ । ଯେଉଁ ସମସ୍ତ ମୂର୍ତ୍ତି ଗୁଡ଼ିକରେ ଉଦ୍ୟାନ ସଜ୍ଜିତ ହେବ ତାହାର ଗୋଟିଏ ନିର୍ଘଣ୍ଟ ନିମ୍ନରେ ପ୍ରଦତ୍ତ ହେଲା:-

 

ରାମାୟଣ ଆଦିକାଣ୍ଡ

 

ବାଲ୍ମିକଙ୍କର ରାମାୟଣାଭ୍ୟାଷ

ହରିଶ୍ଚନ୍ଦ୍ରଙ୍କର ରାଜ୍ୟ ତ୍ୟାଗ ଓ ସ୍ୱର୍ଗାରୋହଣ

ଭଗୀରଥଙ୍କ ଦ୍ୱାରା ଗଙ୍ଗା ଆନୟନ

ଦଶରଥଙ୍କ ପ୍ରତି ଅନ୍ଦାମନ୍ତଙ୍କର ଅଭିଶାପ

ସୀତାଜନ୍ମ

ରାମଚନ୍ଦ୍ର ଓ ଭ୍ରାତାମାନଙ୍କର ଜନ୍ମ

ତାଡ଼କା ରାକ୍ଷସୀ ବଧ ଓ ଅହିଲ୍ୟାଙ୍କର ଉଦ୍ଧାର

୧୦

ହରଧନୁ ଭଗ୍ନ ଓ ସୀତା ବିବାହ

 

 

ଅଯୋଧ୍ୟା କାଣ୍ଡ

 

ରାମାଭିଷେକ ପାଇଁ ଆୟୋଜନ

ରାମଙ୍କ ବନଗମନ ପାଇଁ କୈକେୟୀଙ୍କ ପ୍ରତି କୁବ୍‌ଜାର ମନ୍ତ୍ରଣା

କୈକେୟୀଙ୍କର ବର ପ୍ରାର୍ଥନା

ରାମ ଲକ୍ଷ୍ମଣ ସୀତାଙ୍କର ବନଗମନ

ଦଶରଥଙ୍କର ମୃତ୍ୟୁ

ଦଶରଥଙ୍କ ଅନ୍ତ୍ୟେଷ୍ଠିକ୍ରିୟା ସମ୍ପାଦନ ଓ ଭରତଙ୍କର ବନଗମନ

 

 

ଆରଣ୍ୟକ କାଣ୍ଡ

 

 

ଚିତ୍ରକୋଟରେ ରାମ, ଲକ୍ଷ୍ମଣ ସୀତା

ରାବଣ ନିକଟରେ ସୀତା ସମ୍ବନ୍ଧରେ ସୂର୍ପଣଖାର କଥନ

ମରିଚିର ମାୟା ମୃଗ ବେଶଧାରଣ ଓ ମୃତ୍ୟୁ

ସୀତା ହରଣ

ରାମ ଲକ୍ଷ୍ମଣଙ୍କର ସୀତା ଅନ୍ୱେଷଣ

 

 

କିସ୍କିନ୍ଧ୍ୟା କାଣ୍ଡ

 

 

ସୁଗ୍ରିବ ସହିତ ରାମଙ୍କ ମିତ୍ରତା

ବାଳିବଧ

ହନୁମାନର ଲଙ୍କା ପ୍ରବେଶ ଓ ଲଙ୍କା ଦଗ୍ଧ

ହନୁମାନର ଅଶୋକ ବନରେ ସୀତା ଦର୍ଶନ

ରାକ୍ଷସମାନଙ୍କର ସୀତାଙ୍କପ୍ରତି ଅତ୍ୟାଚାର

ବିଭିଷଣର ଅପମାନ

ବିଭିଷଣ ସହିତ ରାମଙ୍କ ମିତ୍ରତା

 

 

ଲଙ୍କାକାଣ୍ଡ

 

 

ସାଗର ବନ୍ଧନ

୧୦

ରାମଙ୍କର ଲଙ୍କାରେ ଶିବିର ସ୍ଥାପନ

କୁମ୍ଭକର୍ଣ୍ଣ ନିଦ୍ରାଭଗ୍ନ ଓ ମୃତ୍ୟୁ

ତାରିଣୀସେନ୍‌ବଧ

ଇନ୍ଦ୍ରଜିତ ବଧ ଓ ନିକମ୍ଭିକ ଯଜ୍ଞାଗାର

ଲକ୍ଷ୍ମଣ ଶକ୍ତିଭେଦ

ହନୁମାନର ଗନ୍ଧମାଦନପର୍ବତ ଧାରଣ

ରାମ ଲକ୍ଷ୍ମଣ ହରଣ

ମହୀରାବଣ ବଧ

୧୦

ରାମଙ୍କର ଦୁର୍ଗୋତ୍ସବ।

୧୦

ରାବଣ ବଧ

ସୀତା ପରୀକ୍ଷା

ରାମଙ୍କର ରାଜ୍ୟଲାଭ

 

 

 

 

ଉତ୍ତରାକାଣ୍ଡ

 

 

ସୀତା ବନବାସ ହେତୁ

ଲକ୍ଷ୍ମଣ ବନରେ ସୀତାଙ୍କୁ ଛାଡ଼ିଆସିବା

ସୁବର୍ଣ୍ଣ ସୀତା

ବଲ୍ମିକ ଆଶ୍ରମରେ ସୀତା

ଲବକୁଶ ଜନ୍ମ

୧୦

ଅଶ୍ୱମେଧ ଯଜ୍ଞ

ଯଜ୍ଞଅଶ୍ୱ ବନ୍ଧନ

୧୦

ଲବକୁଶ ଓ ରାମଚନ୍ଦ୍ରଙ୍କ ଯୁଦ୍ଧ

୧୦

ରାମଙ୍କର ପୁନଃ ଜୀବନ ପ୍ରାପ୍ତି

୧୦

ଲବକୁଶଙ୍କର ରାମାୟଣ କୀର୍ତ୍ତନ

ସୀତା ପାତାଳ ପ୍ରବେଶ

ଲକ୍ଷ୍ମଣ ବର୍ଜନ

 

ଆଧୁନିକ ତାଳଚେର

ମହାଭାରତ

 

ଆଦିପର୍ବ

 

ଜନ୍ମଜୟଙ୍କର ଭାରତ ଶ୍ରବଣ

ଶକୁନ୍ତଳାଙ୍କ ଜନ୍ମ

ଶକୁନ୍ତଳା ବିବାହ

୧୫

କୁରୁପାଣ୍ଡବଙ୍କୁ ଦ୍ରୋଣାଚାର୍ଯ୍ୟ ଯୁଦ୍ଧବିଦ୍ୟା ଶିକ୍ଷାଦାନ

ଯୁଧିଷ୍ଟିରଙ୍କର ଅଭିଷେକ

ହିଡିମ୍ବାରାକ୍ଷସୀ ବଧ

୨୫

ଅର୍ଜୁନଙ୍କର ଲକ୍ଷଭେଦ ଓ ଦ୍ରୋପଦୀଙ୍କର ସ୍ୱୟମ୍ବର

୧୦

ଦ୍ରୌପଦୀଙ୍କ ବିବାହ

ଶୁଭଦ୍ରାହରଣ

ସତ୍ୟବାନ ବ୍ରତ

 

ସଭାପର୍ବ

 

ଜରାସନ୍ଧ ବଧ

ଅର୍ଜୁନଙ୍କ ଦିଗ୍‌ବିଜୟ

୧୫

ରାଜସୁୟଯଜ୍ଞାରମ୍ଭ

୧୦

ଶିଶୁପାଳ ବଧ

୧୫

ପଶାଖେଳ

୧୫

କୁରୁସଭାରେ ଦ୍ରୌପଦୀଙ୍କର କେଶାକର୍ଷଣ

୧୫

ଦ୍ରୌପଦୀ ବସ୍ତ୍ରହରଣ

 

ବନପର୍ବ

 

ଶ୍ରୀବତ୍ସରାଜାଙ୍କପ୍ରତି ଶନିଙ୍କ କୋପ

ଶ୍ରୀବତ୍ସ ଓ ଚିନ୍ତାଦେବୀଙ୍କର ବନବାସ

କିରାତବେଶରେ ହରପାର୍ବତୀଙ୍କର ଅର୍ଜୁନ ସହିତ ଯୁଦ୍ଧ

ନଳ ଦମୟନ୍ତୀଙ୍କ ବିଚ୍ଛେଦ

କାମ୍ୟବନରେ ଯୁଧିଷ୍ଟିର

ଦ୍ରୌପଦୀହରଣ ଓ ଜୟଦ୍ରଥର ଅପମାନ

ନୃସିଂହଅବତାର

ସତ୍ୟବାନର ମୃତ୍ୟୁ ଓ ସାବିତ୍ରୀଙ୍କ ବରପ୍ରାପ୍ତି

ଯୁଧିଷ୍ଟିରଙ୍କ ପ୍ରତି ଧର୍ମ୍ମଙ୍କ ଛଳନା

 

 

 

 

 

ବିରାଟପର୍ବ

 

ବିରାଟସଭାରେ ପାଣ୍ଡବଗଣ

କିଚକ ବଧ

ଉତ୍ତରାସହିତ ଅର୍ଜୁନଙ୍କର ଶମିବୃକ୍ଷନିକଟ ଗମନ

ବିରାଟ ସିଂହାସନରେ ରାଜା ଯୁଧିଷ୍ଟିର

୧୦

ଉତ୍ତରାସହ ଅଭିମନ୍ୟୁର ବିବାହ

 

ଉଦ୍‌ଯୋଗ ପର୍ବ

 

ବାମନ ଅବତାର

ଅର୍ଜୁନ ଓ ଦୁର୍ଯ୍ୟୋଧନଙ୍କର ଶ୍ରୀକୃଷ୍ଣଙ୍କର ସାହାଯ୍ୟ ପ୍ରାର୍ଥନା

୧୫

ପାଣ୍ଡବସଭାରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବ

 

ଭୀଷ୍ମପର୍ବ

 

୩୦

କୁରୁପାଣ୍ଡବଙ୍କର ଯୁଦ୍ଧସଜ୍ଜା

ଶ୍ରୀକୃଷ୍ଣଙ୍କର ଅର୍ଜୁନ ପ୍ରତି ଯୋଗ କଥନ

କୃଷ୍ଣ ଓ ଅର୍ଜୁନଙ୍କ ଦ୍ୱାରା ଦୁର୍ଯ୍ୟୋଧନର ମୁକୁଟ ଆନୟନ

ଭୀଷ୍ମ ଶରଶଯ୍ୟା

 

ଦ୍ରୋଣପର୍ବ

 

୧୦

ଅଭିମନ୍ୟୁ ବଧ

୧୦

ଭୀମଦ୍ୱାରା ଅନେକ ଭ୍ରାତାଙ୍କର ମୃତ୍ୟୁ

ଇନ୍ଦ୍ରଙ୍କଦ୍ୱାରା କର୍ଣ୍ଣଙ୍କଠାରୁ କବଚ ଆନୟନ

ଦ୍ରୋଣାଚାର୍ଯ୍ୟଙ୍କର ମୃତ୍ୟୁ

 

କର୍ଣ୍ଣପର୍ବ

 

୧୦

ଭୀମର ଦୁଃସାଶନ ରକ୍ତପାନ

୧୦

କର୍ଣ୍ଣବଧ

 

ଶଲ୍ୟପର୍ବ

 

୨୭

ଶକୁନି ବଧ

ଦ୍ୱାପ୍ୟାୟନ ହୃଦରେ ଦୁର୍ଯ୍ୟୋଧନର ପ୍ରବେଶ

 

 

 

 

ଗଦାପର୍ବ

 

ହ୍ରଦ ନିକଟକୁ ଯୁଧିଷ୍ଠିରଙ୍କର ସସୈନ୍ୟ ଗମନ

ଦୁର୍ଯ୍ୟୋଧନର ଉରୁ ଭଗ୍ନ

ଦୁର୍ଯ୍ୟୋଧନ ମସ୍ତକରେ ଭୀମର ପଦାଘାତ

 

ସୌସ୍ତିକପର୍ବ

 

ଦୁର୍ଯ୍ୟୋଧନର ମୃତ୍ୟୁ

 

ଔଷିଦ୍ଦପର୍ବ

 

ଅଶ୍ୱଥମାର ମସ୍ତକ ପ୍ରାପ୍ତିରେ ଦ୍ରୌପଦୀଙ୍କର ଆନନ୍ଦ

 

ନାରୀପର୍ବ

 

ଲୁହା ଭୀମର ଚୁର୍ଣ୍ଣ

୧୦

ଗାନ୍ଧାରୀ ଓ ଅନ୍ୟାନ୍ୟ ସ୍ତ୍ରୀଙ୍କ ବିଳାପ

 

 

 

ଶାନ୍ତିପର୍ବ

 

ଭୀଷ୍ମଙ୍କର ଯୁଧିଷ୍ଠିରଙ୍କ ପ୍ରତି ଯୋଗକଥନ

ଭୀଷ୍ମଙ୍କର ସ୍ୱର୍ଗାରୋହଣ

 

ଅଶ୍ୱମେଧପର୍ବ

 

୧୫

ଅଶ୍ୱମେଧ ଯଜ୍ଞାରମ୍ଭ

ସୁଧର୍ମ୍ମାର ତପ୍ତ ତୈଳରେ ପତନ

୧୦

ବବ୍ରୁବାହନ ସହିତ ଅର୍ଜୁନଙ୍କର ଯୁଦ୍ଧ

 

ଅଶ୍ରମିକପର୍ବ

 

୧୨

ଧୃତରାଷ୍ଟ୍ର, ଗନ୍ଧାରାଜ, କୁନ୍ତି, ବିଦୁର ଓ ସଞ୍ଜୟଙ୍କର ବନବାସ

ଦୁର୍ଯ୍ୟୋଧନର ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଗମନ

 

ମୂଷଜପର୍ବ

 

ଯଦୁବଂଶ ନାଶ ଓ ବଳରାମଙ୍କ ଦେହ ତ୍ୟାଗ

ଶ୍ରୀକୃଷ୍ଣଙ୍କ ଦେହ ତ୍ୟାଗ

ଦ୍ରୌପଦୀଙ୍କ ସହ ପଞ୍ଚପାଣ୍ଡବଙ୍କର ମହାପ୍ରସ୍ଥାନ

 

ସ୍ୱର୍ଗାରୋହଣପର୍ବ

 

ଦ୍ରୌପଦୀଙ୍କ ଦେହ ତ୍ୟାଗ

ସହଦେବଙ୍କର ଦେହତ୍ୟାଗ

ନକୁଳଙ୍କର ଦେହ ତ୍ୟାଗ

ଅର୍ଜୁନଙ୍କର ଦେହ ତ୍ୟାଗ

ଭୀମଙ୍କର ଦେହ ତ୍ୟାଗ

ଯୁଧିଷ୍ଠିରଙ୍କର ସ୍ୱାର୍ଗାରୋହଣ

 

ଫଳତଃ ଏହି ବିନୋଦ ଉଦ୍ୟାନ ସମଗ୍ର ଉତ୍କଳରେ କାହିଁକି, ସମସ୍ତ ଭାରତରେ ଗୋଟିଏ ଦର୍ଶନୀୟ ପଦାର୍ଥ । ବାମଣ୍ଡାର ସୁପ୍ରଥିତଯଶା ବଡକୁମାର ୰ବଳଭଦ୍ର ଦେବ ଏହି ଉଦ୍ୟାନ ସମ୍ବନ୍ଧରେ ତାହାଙ୍କ ସୁଲଳିତ ରଚନା ଅସମ୍ପୂର୍ଣ୍ଣ ରଖି ଗତିଶୀଳ ଜଗତର ଚକ୍ରନେମି ଆବର୍ତ୍ତନର ସଙ୍ଗେ ସଙ୍ଗେ ଆବର୍ତ୍ତିତ ହୋଇ ହଠାତ୍ ଗୋଟିଏ ନୂତନ ପଥରେ ଅତର୍କିତ ଭାବରେ ଯାତ୍ରା କଲେ । ତାଳଚେରର ପ୍ରିୟତମ ସୁହୃଦରୂପେ ତାଳଚେରରେ ଅଧିକାଂଶ ସମୟ କଟାଇ ସମଗ୍ର ରାଜପରିବାର ତଥା ସମଗ୍ର ତାଳଚେର ବାସୀଙ୍କର ସେ ପରମାଦରଣୀୟ ହୋଇଥିଲେ । ସାହିତ୍ୟ ରାଜ୍ୟରେ ତାହାଙ୍କର କାବ୍ୟସମୂହ, ମାତୃମଙ୍ଗଳର ଦେଶାତ୍ମବୋଧ ଉଦ୍ବୋଧନର ପାଞ୍ଚଜନ୍ୟ ନିନାଦ, ମର୍ତ୍ତ୍ୟର-ମନ୍ଦାକିନୀ-ପ୍ରବାହ-ଲୀଳା-ଲହରୀତ, ଯମୁନାର ଉଚ୍ଛ୍ୱାସମୟ ପୁଲକ ସ୍ପନ୍ଦନ । ତାହାଙ୍କର କବିତା ଗୁଡ଼ିକ ଜ୍ୟୋତ୍ସ୍ନା ଭଳି ଅନାବିଳ, ଅଗୁଭଳି ପବିତ୍ର, ଶାରଦାକାଶ ଭଳି ଶୋଭାମୟ ଏବଂ ପୂର୍ଣ୍ଣଚନ୍ଦ୍ର ଭଳି ସ୍ନିଗ୍ଧ ଓ ଜ୍ୟୋତିର୍ମ୍ମୟସିନା ? ତାହାଙ୍କର ସମଗ୍ର ଗ୍ରନ୍ଥାବଳୀ ଉତ୍କଳ ସାହିତ୍ୟର ଗୌରବ ଏବଂ ସାହିତ୍ୟ ରାଜ୍ୟରେ ଅମର, ଏଥିରେ ସନ୍ଦେହ ମାତ୍ର ନାହିଁ । କବିଗୁରୁ ୰ ରାଧାନାଥଭ୍କର ପଟ୍ଟ ଶିଷ୍ୟରୂପେ ତାହାଙ୍କର ରଚନା ସମୂହ ନିପୁଣ ଚିତ୍ରକରର କୁଳିକାରେ ଅଙ୍କିତ ମନୋରମ ଚିତ୍ର ଭଳି, ମୌଳିକତାରେ ମନୋହର ସତେଜ ଓ କୁଣ୍ଠାଶୂନ୍ୟ ଭାଷା ପରିହିତ ହୋଇ ରଚନା ସମୂହ ସମୁଜ୍ଜ୍ୱଳ ଓ ଚିତ୍ତାକର୍ଷକ । ଏହାଙ୍କର ଅତର୍କିତ ବିୟୋଗରେ ଅସ୍ଥିର ହୋଇ ତାଳଚେରର ଦ୍ୱିତୀୟ ରାଜକୁମାର କବି ପଟ୍ଟାୟତ ଶ୍ରୀ ପ୍ରମୋଦଚନ୍ଦ୍ରଙ୍କ ଶୋକୋଚ୍ଛ୍ୱାସ ନିମ୍ନଭାବରେ ଆତ୍ମ ପ୍ରକାଶ କରିଅଛି : -

 

‘‘ଏ ଭବେ କୀର୍ତ୍ତିତବ,            କାଳ କାଳ ରହିବ

ପାଷାଣ ରେଖାର ସମାନ

ରହିଥିବ ଅକ୍ଷୁର୍ଣ୍ଣ            ଯା ଦେଖି ଜ୍ଞାନୀଜନ

କରିବେ ସାର୍ଥକ ଜୀବନ

ଉତ୍କଳ ସାହିତ୍ୟ ଜୀବନ

ହେଲା ଏଣିକି ଶିରୀହୀନ

ଆଉ ଉତ୍କଳ-ନଭେ            ଉଦେହେବେ କି କେଭେ

ତୁମରି ସମ କେତେଜଣ ।

(ହେ ବିଜ୍ଞବର)

ସାହିତ୍ୟ ସେବା କର୍ମ            କରି ଆବାଲ୍ୟ ଧର୍ମ

କାଟିଲ ସମସ୍ତ ଜୀବନ

ସାଂସାରିକ ଅଶାନ୍ତି            ଦୁଃଖ ଯନ୍ତ୍ରଣା ଭୀତି

ସର୍ବଥା କରିଣ ଖଣ୍ଡନ

ସାହିତ୍ୟ ଅମୋଦେ ପରାଣ

ସାର୍ଥକ କରିଛ ଆପଣ

କାଳିଦାସ କବିତା -            ପ୍ରତି ସ୍ନେହ ମମତା

କରିବ ଆଉ କେଉଁ ଜନ ।’’

(ହେ ବିଜ୍ଞବର)

 

ଏତଦ୍‌ବ୍ୟତୀତ ତାଳଚେରର ରାଜକୁମାର ଶିକ୍ଷକ ପୁରୀ ନିବାସୀ ଶ୍ରୀ ବିଶ୍ୱନାଥ ମହାପାତ୍ରଙ୍କର ଶୋକୋଚ୍ଛ୍ୱାସରୁ ନିମ୍ନ କେତୋଟି ଧାଡି ପ୍ରଦତ୍ତ ହେଲା : -

 

ବଜାଇଲା ଯେଉଁ ବିଚ୍ଚନ ବେଣୁ

ଉଲ୍ଲସିଲା ହିଆ ମରମ କୋଣୁ

ପଲ୍ଲବିତ ଘନ ତରୁ ବିପିନେ

ବାମଣ୍ଡାର ସେହି ରମ୍ୟ ଭବନେ

ପ୍ରତିଧ୍ୱନି ଛଳେସତେ,

ବାଣୀ ମଣ୍ଡପର             ଅର୍ଚ୍ଚନା ପୀଠରେ

ଶୁଣିଲେ ସର୍ବେ ଚକିତେ ।

ହେ ତାପସ, ବାଣୀ କୁଞ୍ଜକାନନ

ଜାଙ୍ଗିଲକ ପୁଷ୍ପ କରି ଚୟନ

ତନ୍ୟ ଉପମାରେ ରଚିଲ ମାଳା

ବାନ୍ଧିଲ, କବରୀ ଥିଲା ମୁକୁଳା

ପାର୍ବତୀ, କାଦମ୍ବରୀର

ଭାରତୀ ଭଣ୍ଡାରେ            ଅକ୍ଷୟ ସମ୍ପଦ

ସମ୍ପାଦିଲ କବିବର ।

 

୰ବଡକୁମାର ବଳଭଦ୍ରଦେବଙ୍କର ଅତର୍କିତ ବିୟୋଗ ସମଗ୍ର ବାମଣ୍ଡା ତଥା ତାଳଚେର ବାସୀଙ୍କୁ ଯେ ଶୋକାଚ୍ଛନ୍ନ କରିଅଛି ଏମନ୍ତ ନୁହେ ସମଗ୍ର ଉତ୍କଳର ପ୍ରତ୍ୟେକ ସାହିତ୍ୟିକଙ୍କୁ ଶୋକ-ବିହ୍ୱଳ କରିଅଛି । ଲେଖକ ସହିତ ତାହାଙ୍କର ଅନାବିଳ ସ୍ନେହ ମମତା ଓ ଅବାଲ୍ୟ ପ୍ରଣୟ ଥିବା ହେତୁରୁ ଲେଖକ ମଧ୍ୟ ଶୋକରେ ମୁହ୍ୟମାନ । ୰ବଡକୁମାର ବଳଭଦ୍ର ସ୍ୱୀୟ ଅମୂଲ୍ୟ ଜୀବନର ଶେଷଦିବସ ପର୍ଯ୍ୟନ୍ତ ସାହିତ୍ୟସେବାରେ ନିମଗ୍ନଥିଲେ, ତାହାଙ୍କର ତାଳଚେର ‘ବିନୋଦ-ଉଦ୍ୟାନୟ’ ସମ୍ବନ୍ଧରେ ଶେଷ ରଚନା ଅପୂର୍ଣ୍ଣାବସ୍ଥାରେ ରଖିଥିଲେହେଁ ସେଥିରୁ କେତେକ ପଁକ୍ତି ଏଠାରେ ଉଦ୍ଧୃତ କରିଦେବା ଲେଖକ ସମୀଚୀନ ମନେକଲା । ସେ ଗୁଡ଼ିକ ଏହିଃ –

 

‘‘ଦେଖ ସମ୍ମୁଖରେ ଏହି ବିନୋଦ ଉଦ୍ୟାନ

ନାନାଜାତି ଫଳଫୁଲେ ସଦା ବିଦ୍ୟମାନ ।

ଘେରିଅଛି ଚଉପାଶେ ନିରନ୍ଧ୍ର ପ୍ରାଚୀର

ଯୋଜନରୁ ବଳି ଯାର ସୁଦୀର୍ଘ ଶରୀର ।

ନତାନତ ଊମିପରେ ସେ ପ୍ରାଚୀର ଧାଇଁ

ପାତାଳେ ପଶିଲା ପରି ଦିଶୁଅଛି କାହିଁ ।

କାହିଁ ଖଣ୍ଡଶଇଳର ଶିଖ ଦେଶେ ଉଠି

ଉଡ୍ଡୀନ ଧବଳ ଧ୍ୱଜ ଶୋଭିନିଏ ଲୁଟି ।

କାହିଁ ଅପରୂପ ଶ୍ୱେତ ସ୍ନିଗ୍ଧ କାନ୍ତି ବହି ।

ଦୁଗ୍ଧଧାର ସମ ଦୂରୁଁ ନେତ୍ରେ ଅଭାଷଇ ।

ଦେଖି ମନେ ହୁଏ ପ୍ରତେ ଋତୁପତି କି ସେ

ଆଲିଙ୍ଗନ ବନାଳିକୁ କରେ ପ୍ରେମରସେ ।

ଅବା ନିର୍ମାତାର କୀର୍ତ୍ତି ରାଜହଂସୀ ପରି

ଧବଳ ପକ୍ଷକୁ ଉଲ୍ଲାସେ ବିସ୍ତାରି ।

*      *      *      *

ଊର୍ଦ୍ଧେ ବେନି ତମ୍ୱାତାର ଯୋଗ ଅହରହ

ବହୁଅଛି ଭୟପ୍ରଦ ବିଜୁଳି ପ୍ରବାହ ।

ଛୁଇଁଲେ ସେ ତାର ତିଳେ ନାହିଁ ତ ନିସ୍ତାର

କୃତାନ୍ତ ପାଞ୍ଜିରୁ ନାମ ପୋଛି ଦିଏ ତାର ।

ଦୂର ଦେଶାନ୍ତରୁ ନାନା ବହୁମୂଲ୍ୟ ପ୍ରାଣୀ ।

ଏହି ଉପବନେ ଭୂପ ଭରିଛନ୍ତି ଆଣି ।

*      *      *      *      *

ରାତ୍ରରେ ଏଥିର ଦୃଶ୍ୟ ଅଟଇ ବିଚିତ୍ର ।

ଚରିବାକୁ ବନଜନ୍ତୁ ହୁଅନ୍ତି ଏକତ୍ର ।

ମୋଟରର ତୀବ୍ରାଲୋକେ ତାଙ୍କ ନୟନରେ

ରାବନ୍ତି ଅସଂଖ୍ୟ ତାରାପନ୍ତି ସେ ପ୍ରାନ୍ତରେ

ଦେଖି ମନେହୁଏ ସେହି ଜ୍ୟୋତି ଧାଡ଼ିଧାଡ଼ି

ତାରାଯୁକ୍ତ ନଭୁଁ ଖଣ୍ଡେ ପଡ଼ିଛି କି ଛାଡ଼ି ।

*      *      *      *      *

ଉଦ୍ୟୋଗୀ ନରେଶ ସେହି କଣ୍ଟକିତ ତରୁ,

ବହୁ ପରିଶ୍ରମେ ଏବେ କଟାଇ ମୂଳରୁ ।

ଅସଂଲଗ୍ନ ଭାବେ ରଖି ଯୋଗ୍ୟ ଦ୍ରୁମଲତା ।

ନାଶିଛନ୍ତି ଅଟବୀର ଘୋର ଦୁର୍ଗମତା ।

ଖାଲପାଟି ଜଳାଭୂମି ମଧ୍ୟେ ନାଳକାଟି

କରିଛନ୍ତି ଉଦ୍ୟାନକୁ ଅତି ପରିପାଟି ।

ଯହିଁ ତହିଁ ସୁଶିକ୍ଷିତ ଶିକାରୀ ଜଗାଇ

ହିଁସ୍ର ପଶୁଙ୍କର ଭୟ ସମୂଳେ ଉଠାଇ ।

ନିରୀହ ଶମ୍ୱର ମୃଗ ସମ ଶାନ୍ତପ୍ରାଣୀ

ଭରିଛନ୍ତି ବହୁଦୂର ଦେଶାନ୍ତରୁ ଆଣି ।

ଭାରତ ବର୍ଷରେ ମିଳେ ଯେତେ ଫଳଫୁଲ ।

ତାଙ୍କ ଯତ୍ନେ ଏଥିସବୁ ହୋଇଅଛି ଠୁଳ ।

ପୁରାଣ ନାଟକ କାବ୍ୟ ଇତିହାସ ଖୋଜି ।

ତହୁଁ ମନୋମୁଗ୍ଧକର ଦିବ୍ୟଚିତ୍ର ରାଜି ।

ଉପଯୁକ୍ତ ଶିଳ୍ପୀଯୋଗେ ନିର୍ମ୍ମାଣି କୌଶଳେ ।

ରଖିଛନ୍ତି ଉଦ୍ୟାନର ଯଥାଯୋଗ୍ୟ ସ୍ଥଳେ ।

*      *      *      *      *

କୁସୁମସ୍ତବକବତ ଫଳଭରା ବହି ।

ପୀନସ୍ତନା ବାମାପରି ପଡ଼ିଅଛି ଲଇ ।

କେମନ୍ତ ତା ଛାୟାତଳେ ରହି କୁରଙ୍ଗିଣୀ

ଆଦରେ ଶିଶୁକୁ ତାର ପିଆଏ ନିତ୍ୟାନି ।

ମାତୃସ୍ନେହ ସତେ ଯେହ୍ନେ ମୂର୍ତ୍ତିମତୀ ହୋଇ

ଦୁଗ୍ଧରୂପେ ସ୍ତନୁଁ ତାର ଯାଇଅଛି ବହି ।

*      *      *      *      *

ଅସଂଖ୍ୟ ଧବଳ ନୀଳ କେକୀ ନାଚିବାରୁ

ଏ କାନନ ସ୍ଥଳୀ ଦିଶେ ଅତିଶୟ ଚାରୁ ।

କାଉଚିଆ ପକ୍ଷୀ ସମ ନିବିଡ଼ ଶ୍ୟାମଳ,

କାଉଚିଆ କୁଞ୍ଜ ଏଥି ଲାଗିଛି ବହଳ ।

ରବିରସ୍ମି ରୋଧି ଏହି ନିକାଞ୍ଚନ ସ୍ଥଳୀ,

କାନନ ଲକ୍ଷ୍ମୀଙ୍କ ଦିଶେ କେଳିତଳ୍ପ ଭଳି ।

 

ଏହି ବିନୋଦ ଉଦ୍ୟାନର ପୃଷ୍ଟି ଓ ସଂରକ୍ଷଣ ନିମିତ୍ତ କେତେକ ନିୟମ ଓ ଦର୍ଶକମାନଙ୍କୁ ଅନୁରୋଧ ପ୍ରକାଶିତ ହୋଇଅଛି । ସେହି ସମସ୍ତ ନିୟମ ମଧ୍ୟରେ ତଳଲିଖିତ ଅନୁରୋଧମାନ ବିଶେଷ ଭାବରେ ପ୍ରଣିଧାନ ଯୋଗ୍ୟ ।

 

୪ର୍ଥ ଅନୁରୋଧ-ଯେଉଁ ଜନ୍ତୁମାନଙ୍କୁ ରାସ୍ତା ନିକଟରେ ଦେଖିବେ ପାଟି କରି ବା ସେମାନଙ୍କ ପଛରେ ମୋଟର ଚଳାଇ ସେମାନଙ୍କୁ ଆହତ ବା ଭୀତ କରନ୍ତୁ ନାହିଁ । ସେପରିକଲେ ଜନ୍ତୁମାନେ ରାସ୍ତା ନିକଟରେ ରହିବେ ନାହିଁ । ମୋଟର ଆସିବାର ଶୁଣିଲେ ପଳାଇଯିବେ ଗାଡ଼ି ଦେଖି ଡରିବାକୁ ସେମାନେ ଶିଖି ନାହାନ୍ତି । ଏଣୁ ସେମାନେ ପୋଷା ଜନ୍ତୁ ଭଳି ଜଣା ପଡ଼ନ୍ତି । ମାତ୍ର ଏହା ଶିଖିବା ସେମାନଙ୍କ ପକ୍ଷରେ ବିଚିତ୍ର ନୁହେଁ ।

 

୭ମ ଅନୁରୋଧ-ଗଛର ମୂଳ ଉପାଡନ୍ତୁ ନାହିଁ, ଫୁଲ ଛିଣ୍ଡାନ୍ତୁ ନାହିଁ, ଡାଳ ଭାଙ୍ଗନ୍ତୁ ନାହିଁ-। ଏହା କରି ଅନ୍ୟର ସୁଖ ନଷ୍ଟ କରନ୍ତୁ ନାହିଁ । ଏପରି କରିବାକୁ ଉଦ୍ୟାନରେ ଅନେକ ଜିନିଷ ଅଛି ।

 

୧୦ମ ଅନୁରୋଧ-ଜନ୍ତୁଦଳ ରାସ୍ତା ପାରହେଲାବେଳେ ମୋଟର ଗାଡ଼ି ଚଳାନ୍ତୁ ନାହିଁ । ଗାଡ଼ିର ଗତି ବନ୍ଦ କରି ସେମାନଙ୍କୁ ଯିବାକୁ ଦିଅନ୍ତୁ । ପାଟି କରି ବା ସେମାନଙ୍କୁ ଅନୁସରଣ କରି ଚହଳ କରନ୍ତୁ ନାହିଁ ।

 

୧୨ଶ ଅନୁରୋଧ ମଞ୍ଚା କିମ୍ୱା ମାଣ୍ଟୁରେ ନୀରବ ନିଶ୍ଚଳ ରହି ସେମାନଙ୍କୁ ଦେଖନ୍ତୁ ଓ ସେ ଦୃଶ୍ୟ ଉପଭୋଗ କରନ୍ତୁ ।

 

୧୩ଶ ଅନୁରୋଧ-ସେମାନଙ୍କୁ ଉଚ୍ଛିଷ୍ଟ ଦିଅନ୍ତୁ ନାହିଁ, ସେମାନେ Camp ଯାଗା ନିକଟରେ ଦର୍ଶକମାନଙ୍କୁ ଦେଖୁଥିବେ । ସମୟ ସମୟରେ ଉଚ୍ଛିଷ୍ଟ ସେମାନଙ୍କ ଅନିଷ୍ଟ କରିପାରେ ।

 

୧୪ଶ ଅନୁରୋଧ-ଶିଆଳ, କୃଷ୍ଣସାର, ସମ୍ବର, ମୃଗ, ଗୟଳ, ନିଳ, ନିକଟକୁ ଯାନ୍ତୁ ନାହିଁ ବା ଗାଡିରୁ ଓହ୍ଲାଇ ସେମାନଙ୍କୁ ଭୀତ କରନ୍ତୁ ନାହିଁ । ଏହି ସମସ୍ତ ଅନୁରୋଧ ମଧ୍ୟରେ ପଶୁପ୍ରୀତି ପଶୁସ୍ନେହ କିପରି ଆତ୍ମ ପ୍ରକାଶ କରୁଅଛି ତାହା କହି ହେବ ନାହିଁ । ଫଳତଃ ଏଭଳି ନମୁନା ସମଗ୍ର ଭାରତର କୌଣସି ସ୍ଥାନରେ ନାହିଁ, ସୁତରାଂ ଏହା ଉତ୍କଳର ତଥା ଭାରତର ଗୌରବର ସାମଗ୍ରୀ ।

 

ଦିନେ ରାତ୍ରିର ପ୍ରଥମ ଯାମରେ ଲେଖକ ରାଜସାହଚାର୍ଯ୍ୟ ଲାଭ କରି ମୋଟରରେ ଏହି ଉଦ୍ୟାନ ମଧ୍ୟରେ ଭ୍ରମଣ କରିଥିଲା । ଲେଖକ ଭାଗ୍ୟରେ ଅନେକଥର ଏହା ଘଟିଥିଲେହେଁ, କୁମାର ପୂର୍ଣ୍ଣିମା ସମୟରେ ଶାରଦୀୟା କୌମୁଦୀ ସ୍ନାତ ଉଦ୍ୟାନର ଶୋଭା ଉପଭୋଗ କରିବା ଲେଖକ ପକ୍ଷରେ ସର୍ବପ୍ରଥମ । ଉଦ୍ୟାନ ମଧ୍ୟରେ ଅବିନ୍ୟସ୍ତ କ୍ଷୁଦ୍ର ବୃହତ୍‌ସ୍ଥଳ, ବିଶାଳ, ଅବିଶାଳ ବହୁବିଧ ଦ୍ରୁମ ଓ ବୃକ୍ଷ ସମୂହ ମିଳାମିଶା ହୋଇ ରହିଅଛନ୍ତି । ଉପରକୁ ମେଘମୁକ୍ତ ନିର୍ମ୍ମଳ ଆକାଶରେ ପୁଲ୍ଲ ଜ୍ୟୋସ୍ନା କିରଣ ରହି ସୁଦ୍ଧା ଏହି ଉଦ୍ୟାନରେ ସର୍ବାଂଶରେ ତାହାର ପ୍ରବେଶଧିକାର ନାହିଁ । କ୍ୱଚିତ୍‌ଯେଉଁଠାରେ ବୃକ୍ଷକାଣ୍ଡର ଶାଖାପ୍ରଶାଖାରେ ଟିକିଏ ମିଳନ ଭଙ୍ଗ ହୋଇଅଛି ସେଠାରେ ନବୋଢ଼ାର ହାସ୍ୟ ଭଳି ଟିକିଏ ବିକଶିତ ହେଉଅଛି ସିନା ?

 

ଏଦୃଶ୍ୟ ମାଧୁର୍ଯ୍ୟ-ଭୀଷଣତା ଯେପରି କୋମଳତା କାଠିଣ୍ୟର କୋଳାଗ୍ରତ ହୋଇ ରହିଅଛି । ଯେପରି ସୃଷ୍ଟିର ମାଧୂର୍ଯ୍ୟ ରସ ପାର୍ଶ୍ୱରେ ସହାଚର ଭାଷଣ ବିଷାଦ-ନାଦ ।

 

ଅନ୍ୟ ଏକଦିନ ପୂର୍ବାହ୍ନ ୯ଟା ବେଳେ ରାଜା ମହୋଦୟଙ୍କ ସହିତ ମୋଟରରେ ଏହି ଉଦ୍ୟାନ ଭ୍ରମଣରେ ବହିର୍ଗତ ହେଲା । ତରୁ କୁଞ୍ଜର ଶ୍ୟାମ ଶୋଭା ସହିତ ବିବିଧ ଜନ୍ତୁର ଅବାଧ ବିଚରଣ ପ୍ରତ୍ୟେକ ଦର୍ଶକଙ୍କ ମନରେ ଯେଉଁ ରୀତିର ଅପାର ଆନନ୍ଦ ଉପୁଜାଇ ପାରେ ତାହାର ପୂର୍ଣ୍ଣ ଅନୁଭବ ଲେଖକ କରି କୃତାର୍ଥ ହେଲା । ଗୋଟିଏ ଗୋଟିଏ ସ୍ଥଳରେ ମୋଟର ଅଟକାଇ ଗୋଟିଏ ଛାନ୍ଦ କିମ୍ୱା ଗୀତ ସ୍ୱର ସଂଯୋଗରେ ଆବୃତ୍ତ କରିବା ମାତ୍ରେ ପ୍ରାୟ ୪୦।୫୦ ହାତ ଦୂରରୁ ହରିଣ ପଲ ସେମାନଙ୍କର ଚରିବା କିମ୍ୱା ପାଟି ପାକୁଳା ପର୍ଯ୍ୟନ୍ତ ଛାଡ଼ି ଦେଇ କାନ ଡେରି ସ୍ତବ୍ଧ ହୋଇ ଛିଡ଼ା ହୁଅନ୍ତି- ଏ ଦୃଶ୍ୟ ଏହି ଉଦ୍ୟାନର ପ୍ରାୟ ସର୍ବତ୍ର, ଏହା ଦେଖି ଲେଖକ ବିସ୍ମିତ ହେଲା ଏବଂ-କବି ଗୁରୁ ୰ରାଧାନାଥଙ୍କର ଅର୍ଦ୍ଧଶତାବ୍ଦୀ ପୂର୍ବର କବିତାଂଶ ସେତେବେଳେ ସ୍ମରଣ କରିବାକୁ ବାଧ୍ୟ ହୋଇଥିଲା:-

 

‘ଉତ୍କର୍ଣ୍ଣେ ଶୁଣନ୍ତି ହରିଣୀଏ ମୁଗ୍ଧ ହୋଇ ସେ ସଂଙ୍ଗୀତ ରବ।’ କବି ରାଧାନାଥ ଏହା ଅବଶ୍ୟ ଅନୁଭବ କରି ଏ ଭଳି ଲେଖି ଅଛନ୍ତି ଏଥିରେ ସନ୍ଦେହ ନାହିଁ ।

 

ତାଳଚେର ରାଜ୍ୟରେ ବୌଦ୍ଧଯୁଗର ଯେଉଁ ପ୍ରଚୀନ କୀର୍ତ୍ତି ସମୂହ ରହଅଛି ତାହା ଲେକକ ଅନେକଥର ଦେଖିବାର ପାଇଥିଲା । ତାଳଚେର ଗଡ଼ରୁ ଦୁଇମାଇଲ ଦୂରବର୍ତ୍ତୀ ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ନିକଟସ୍ଥ ‘କୀର୍ତ୍ତିମୁଖ’ ନାମକ ବିଶାଳ ବୌଦ୍ଧମୂର୍ତ୍ତି ଗୋଟିଏ ଦର୍ଶନୀୟ ବିଗ୍ରହ । ଏଡ଼େବଡ଼ ବୌଦ୍ଧ ମୂର୍ତ୍ତି ବୋଧହୁଏ ଉତ୍କଳର ଅନ୍ୟତ୍ର ନାହିଁ । ତାଳଚେର ଗଡ଼ର ୧୮ ମାଇଲ ଦୂରରେ ଥିବା ଭୀମକାଣ୍ଡ ନାମକ ଗ୍ରାମରେ ଗୋଟିଏ ପ୍ରକାଣ୍ଡ ବିଷ୍ଣୁ ମୂର୍ତ୍ତି ଶୟାନ ଅବସ୍ଥାରେ ସ୍ଥାପିତ । ଏହି ମୂର୍ତ୍ତି ୨୬ ହାତ ଦୀର୍ଘ, ବିଷ୍ଣୁଙ୍କର ଆୟୁଧ ଓ ଭୂଷଣ ପ୍ରଭୃତିର ସାମଞ୍ଜସ୍ୟ ଏ ମୂର୍ତ୍ତିରେ ଯଥାଯଥ ଭାବରେ ପରିଦୃଶ୍ୟମାନ । ଶୟାନ ଅବସ୍ଥାରେ ଦୁଇହାତ ମୃତ୍ତକାରେ ପ୍ରୋଥିତ ଅପର ଯୋଡ଼ିଏ ହସ୍ତ ମଧ୍ୟରୁ ଗୋଟିକରେ ଶଙ୍ଖ ଓ ଅପରଟିରେ ଗଦା ଶୋଭା ପାଉଅଛି-। ଏଡେ ବଡ ପ୍ରକାଣ୍ଡ ଭୀମକାୟ ବିଷ୍ଣୁମୂର୍ତ୍ତି ଉତ୍କଳର ଅନ୍ୟକେଉଁଠାରେ ଅଛି ବୋଲି ଲେଖକ ଜାଣେ ନାହିଁ । ଖୋରଧା ସବ୍‌ଡିଭିଜନ୍‌ଅନ୍ତର୍ଗତ ବାଙ୍କୋଇ ଗ୍ରାମସ୍ଥ ତାଳେଶ୍ୱର ମହାଦେବଙ୍କର ପ୍ରସ୍ଥର ନିର୍ମିତ ପ୍ରକାଣ୍ଡ ବୃଷଭ ମୂର୍ତ୍ତି ଏବଂ କଟକ ନଗରସ୍ଥ ମସ୍ତରାମ ମଠର ପ୍ରକାଣ୍ଡ ଗରୁଡ଼ ମୂର୍ତ୍ତି ଯେପରି ଓଡ଼ିଶାରେ ଦର୍ଶନୀୟ, ତାଳଚେରରର ଏହି ବିଶାଳ ଶୟାନ ବିଷ୍ଣୁମୂର୍ତ୍ତି ମଧ୍ୟ ସମସ୍ତଙ୍କର ଦର୍ଶନୀୟ । ଫଳତଃ ଏ ଭଳି ବିଷ୍ଣୁ ବିଗ୍ରହ ଉତ୍କଳର ଅନ୍ୟ କୌଣସି ସ୍ଥାନରେ ନାହିଁ ।

 

ତାଳଚେର ରାଜ୍ୟର ଗ୍ରାମସମୂହ ମଧ୍ୟରେ ବୃହତ୍‌ବୃହତ୍‌ଗ୍ରାମମାନ ଲେଖକ ଅନେକଥର ଦେଖିଅଛି । ଏହା ମଧ୍ୟରେ କଳମଛୁଇଁ, ଘଣ୍ଟାପଡ଼ା, ଗହମ, କଙ୍କିଳି, କଂସମୁଣ୍ଡା ବଡଗୁଣ୍ଡୁରି, ଡଅଁରା ପ୍ରଭୃତି ପ୍ରଧାନ ଗ୍ରାମ ଗୁଡ଼ିକ ଗୋଟିଏ ଗୋଟିଏ କ୍ଷୁଦ୍ର ସହର ଭଳି ଅନୁମତି ହେଉଥାଏ । ଏଥିରୁ ଘଣ୍ଟପଡ଼ା ନାମକ ଗୋଟିଏ ଜନବହୁଳ ଗ୍ରାମସ୍ଥ ଘରଗୁଡ଼ିକ ଅତ୍ୟନ୍ତ ଘଞ୍ଚ ବୋଧ ହେବାରୁ ରାଜା କିଶାରଚନ୍ଦ୍ର ଏହାକୁ ଆଉ ଦୁଇମାଇଲ ଲମ୍ୱ କରି ବଢ଼ାଇଦେବାକୁ ଚେଷ୍ଟା କରୁଅଛନ୍ତି । ଏହି ଉଦ୍ଦେଶ୍ୟରେ ସ୍ୱୟଂ ଏକମାସ ବ୍ୟାପୀ ପରିଶ୍ରମ କରି ସେହି ଦୁଇମାଇଲ ପରିମିତ ସ୍ଥାନରେ ସମସ୍ତ ଜଙ୍ଗଲ କଟାଇ ଦେଇ ପ୍ରତ୍ୟେକ ଗୃହସ୍ଥର ପରିବାରବର୍ଗଙ୍କ ବାସୋପଯୋଗ୍ୟ ସ୍ୱତନ୍ତ୍ର ଗୃହ ନିର୍ମାଣ ସକାଶେ ଚିହ୍ନ ଦେବାର ଲେଖକ ଦେଖି ମୁଗ୍ଧ ହୋଇଅଛି । ପାଣିର ସୁବିଧା ସକାଶେ ବନ୍ଧ ପ୍ରସ୍ତୁତର ମଧ୍ୟ ଆୟୋଜନ ହୋଇଅଛି । ଏହି ବସତି ସଂପୂର୍ଣ୍ଣ ହେଲେ ପୁରାତନ ଘଣ୍ଟପଡ଼ା ଗ୍ରାମକୁ ମିଶାଇ ପ୍ରାୟ ୪ ମାଇଲ ପରିଧି ପରିମିତ ଗୋଟିଏ ପ୍ରକାଣ୍ଡ ବୃତ୍ତାକାର ଜନବସତି ପୂର୍ଣ୍ଣ ଗ୍ରାମର ପ୍ରତିଷ୍ଠା ହୋଇଯିବ । ମାତ୍ର ପ୍ରକୃତି ଦେବୀଙ୍କର ମୁକ୍ତ ଅଞ୍ଚଳାଶ୍ରିତ ନିଭୃତ ପଲ୍ଲୀ ଗ୍ରାମର ଅନବଦ୍ୟ ସୁଷମାରେ ଅଭ୍ୟସ୍ତ ହେଲେ ସହରର ଚିତ୍ତ ଚମକପ୍ରଦ ଆମୋଦ ବିଳାସ ଏବଂ ଆରାମ ଭୋଗର ବ୍ୟବସ୍ଥା ଅତି ତୁଚ୍ଛବୋଧ ହୋଇଥାଏ । ଗ୍ରାମର ଅଧିବାସୀବର୍ଗ ବିଳାସ ବିହୀନ ଅନାଡମ୍ୱର ଜୀବନଯାତ୍ରାରେ ଅଭ୍ୟସ୍ତ ଗ୍ରାମରେ ଏଭଳି ଘରନାହିଁ, ଯେଉଁ ଗୃହ ସଂଲଗ୍ନ ଭୂଖଣ୍ଡରେ ଊତ୍ପନ୍ନ ପରିବାସମୂହ ନିତ୍ୟ ଯାହାର ଘରକୁ ନଆସେ ଅର୍ଥାତ୍‌କଖାରୁ, ଲାଉ, ଶାଗ, ବାଇଗଣ ପ୍ରଭୃତି ସକାଶେ କାହାରିକୁ ପଇସା ଘେନି ବଜାରକୁ ଧାଇଁବାକୁ ହୋଇନଥାଏ । ଧାନ, ମୁଗ, ସୋରିଷ ଓ ବିରି ପ୍ରଭୃତି ସମସ୍ତଙ୍କ ଘରେ ଅଳ୍ପାଧିକ ବିଦ୍ୟମାନ କାହାରି କାହାରି ଗୃହ ସଂଲଗ୍ନ ପୋଖରୀ ଗାଡ଼ିଆରେ କଳମଲଟା ଏବଂ ଚୂନାମାଛ ରହିଅଛି । ପ୍ରତ୍ୟେକ ଗୃହସ୍ଥର ଗୋ-ଶାଳରେ ଗାଈ, ବାଛୁରୀ, ଛେଳି ମେଣ୍ଢା ପ୍ରଭୃତି ଅଛନ୍ତି, ସୁତରଂ ନିତ୍ୟ ଗୋ-ଦୁଗ୍ଧ କିମ୍ୱା ଛାଗଦୁଗ୍ଧ ପ୍ରାପ୍ତି ଅତି ସହଜ-। ମାତ୍ର ସହରରେ ପଇସା ଦେଇସୁଦ୍ଧା କୌଣସି ଦ୍ରବ୍ୟ ତଟକା ମିଳେନାହିଁ, କିନ୍ତୁ ଆଡ଼ମ୍ୱର ଓ ବିଳାସିତାହିଁ ସହରରେ ସହଜ ପ୍ରାପ୍ୟ । ସହରବାସୀଙ୍କର ଉପେକ୍ଷିତ ପଲ୍ଲୀଲକ୍ଷ୍ମୀଙ୍କର ଅଶେଷ ଐଶ୍ୱର୍ଯ୍ୟ ସୁଷମା ପ୍ରକୃତ ଭାବୁକଙ୍କ ପକ୍ଷରେ ଅସୀମ ପ୍ରୀତିପ୍ରଦ । ପଲ୍ଲୀର ସମସ୍ତ ସୁଷମାରେ ମୁଗ୍ଧ ଓ ଆତ୍ମ ବିସ୍ତୃତ ହୋଇ ତାଳଚେର ରାଜସେକ୍ରେଟରୀ ଉଦୀୟମାନ ସୁକବି ବାବୁ ଜଗନ୍ମୋହନ ମିଶ୍ର ମହୋଦୟ ‘‘ପଲ୍ଲୀ’’ ନାମକ ଗୋଟିଏ ପୁସ୍ତକ ପ୍ରଣୟନ କରିଥିବାର ଲେଖକ ଦେଖି ତାହାର ପାଣ୍ଡୁଲେଖ୍ୟ ପାଠର ସୁବିଧା ପାଇଥିଲା । କବି ତାଳଚେର ରାଜ୍ୟର ସ୍ପର୍ଗଗତ ସ୍ୱନାମଧନ୍ୟ ପଣ୍ଡିତ ଘନଶ୍ୟାମ ମିଶ୍ର କବିଭୂଷଣଙ୍କର ସୁଯୋଗ୍ୟ ଜ୍ୟେଷ୍ଠାତ୍ମଜ ଅଟନ୍ତି । ସ୍ୱର୍ଗତ ପଣ୍ଡିତ ଘନଶ୍ୟାମ ତାଳଚେର ନରେଶ କିଶୋରଚନ୍ଦ୍ରଙ୍କର ବାଲ୍ୟ ସୃହ୍ୱତ୍‌ଥିବାରୁ ସ୍ନେହ ପ୍ରବେଶ ରାଜା ମହୋଦୟଙ୍କର ଚିରସ୍ନେହାଶ୍ରିତ ରୂପେ ତାହାଙ୍କର ସୁମଧୁର ସାମୀପ୍ୟ ଓ ସାହଚର୍ଯ୍ୟ ଲାଭକରି ଜୀବନର ଶେଷ ମୁହୂର୍ତ୍ତର ପର୍ଯ୍ୟନ୍ତ ଦକ୍ଷତା ସହକାରେ ପୂର୍ଣ୍ଣଦାୟିତ୍ୱ ପୂର୍ଣ୍ଣ ରାଜକାର୍ଯ୍ୟ ନିର୍ବାହ କରି ଯାଇଅଛନ୍ତି (ରାଜା କିଶୋରଚନ୍ଦ୍ରଙ୍କର ଏଭଳି ବିଶ୍ୱସ୍ତ, ଏଭଳି କର୍ମ୍ମକ୍ଷମ, ଏପରି ଅନୁଗତ ଓ କଷ୍ଟସହିଷ୍ଣୁ ଅତଚ ରାଜନୀତି କୌଶଳୀ କର୍ମଚାରୀ ଆଉ ବୋଧହୁଏ କେହି ନାହାନ୍ତି) ତାହାଙ୍କର ସରଳ, ନିରାଡ଼ମ୍ୱର ଅଥଚ ସରସ କବିତା ରଚନାରେ ସମସ୍ତେ ମୁଗ୍ଧ ହେଉଥିଲେ । ମୌଳିକତା, ବର୍ଣ୍ଣନା ବୈଚିତ୍ର୍ୟ ଏବଂ ଆନ୍ତରିକତାର ସୌରଭ ତାହାଙ୍କ ରଚନାରେ ପୂର୍ଣ୍ଣତା ପ୍ରାପ୍ତ ହୋଇଥିଲା । ତାହାଙ୍କର କାଞ୍ଚନମାଳା, ବାଳବତୀ, ଟାକୁଅକୁମର, ତାଳଚେର ଇତିହାସ, ତାଳଚେର ଭୂଗୋଳ ପୁସ୍ତକସମୂହ ସବୁକାଳ ଓ ସବୁଯୁଗରେ ଆଦୃତ ହେଉଥିବ ଏଥିରେ ସନ୍ଦେହ ନାହିଁ । ତାହାଙ୍କର ଲେଖନୀ ଓ ସାଧନା ସର୍ବ ପ୍ରକାରରେ ସାର୍ଥକ ହୋଇଥିଲା । ସେ ନିଜେ ହୃଦୟରେ ଯାହା ଅନୁଭବ କରୁଥିଲେ ସେହି ଅନଭୂତି ସାହାଯ୍ୟରେ ସାହିତ୍ୟ ପଟରେ ତାହା ଫୁଟାଇ ଦେଉଥିଲା । କ୍ଷଣକ ସକାଶେ ସୁଦ୍ଧା ସେହି ଅନୁଭୂତି ହୃଦୟବାନ ପାଠକର ହୃଦୟରେ ଉଦ୍ଦୀପିତ ହେଉଥିଲା । ତାହାଙ୍କର ସର୍ବଶେଷ ରଚନା ‘ନେପାଳ-ଦର୍ଶନ’ ଅପୂର୍ଣ୍ଣବସ୍ଥାରେ ପ୍ରକାଶିତ ହେଲେ ହେଁ ତହିଁରେ ଘଟଣା ସମୂହର ସରଳ ଚିତ୍ରଣ ଯେଉଁ ମଧୁରଭାବରେ ପ୍ରଦତ୍ତ ହୋଇଅଛି, ତାହା ଯେ କୌଣସି ପାଠକର ଚିତ୍ତକୁ ସରସ ଓ ସଜୀବ କରିଦେବ । ଲେଖକ ପ୍ରାୟ ୪୫ ବର୍ଷ ତାହାଙ୍କର ଘଡ଼ିଷ୍ଠତା ପାଇ ଧନ୍ୟ ହୋଇଥିଲା । ଲେଖକ ମଧ୍ୟ ବାମଣ୍ଡାର ୰ବଡ଼କୁମାର ବଳଭଦ୍ରଙ୍କ ଭଳି ତାହାଙ୍କର କବିତାରେ ସମସ୍ୱରରେ କହିବାକୁ ବାଧ୍ୟ:-

 

‘‘ଥିଲେ ତୁମ୍ଭେ ମିଶ୍ର ମୋର ଭାରି ପ୍ରିୟସଖା,

ତାଳଚେରରେ ତୁମ୍ଭ ସଙ୍ଗେ ବସି ବସି ଏକା ।

କେତେ ଯେ ଆଳାପ କରେଦିନ ଅଣ୍ଟେ ନାହିଁ,

ଆଜି ତାହା ! ସ୍ମରି ହୃଦ ହେଉଅଛି ଦହି ।’’

 

ପଣ୍ଡିତ ଘନଶ୍ୟାମଙ୍କର ସୁଯୋଗ୍ୟ ଜ୍ୟେଷ୍ଠାତ୍ମଜ ରୂପେ ଜଗନ୍ମୋଦନ ବର୍ତ୍ତମାନ ସ୍ୱୀୟ ସ୍ୱର୍ଗତ ପିତୃଦେବଙ୍କର ସର୍ବଦା ପଦାଙ୍କାନୁସରଣ ବ୍ରତୀ ହୋଇଥିବାର ଦେଖି ଲେଖକ ହୃଦୟରେ ଅପାର ଆନନ୍ଦ ଅନୁଭବ କରୁଅଛି । (ରାଜା କିଶୋରଚନ୍ଦ୍ରଙ୍କର ପୂର୍ଣ୍ଣ ଦାୟିତ୍ୱପୂର୍ଣ୍ଣ ରାଜକାର୍ଯ୍ୟ ନିର୍ବାହ କରି ଯତ୍‌କିଞ୍ଚିତ୍‌ଅବସରରେ ସେ ଯେଉଁ ରୀତିର ସାହିତ୍ୟ ସାଧନା ଆରମ୍ଭ କରି କୃତିତ୍ୱ ଲାଭ କରିଅଛନ୍ତି, ତାହା ସାହିତ୍ୟ ରାଜ୍ୟର ଊର୍ଦ୍ଧସ୍ତରକୁ କ୍ରମଶଃ ଗତିଶୀଳ । ତାହାଙ୍କର ପ୍ରଣୀତି ‘‘ଲଳିତାସୁନ୍ଦରୀ’’ କାବ୍ୟ ଖଣ୍ଡିକ ଆଧୁନିକ କାବ୍ୟ ଜଗତରେ ଶ୍ରେଷ୍ଠ ସ୍ଥାନାଧିକାରୀ । ତାହାଙ୍କର ‘‘ପଲ୍ଲୀ’’ ର ପାଣ୍ଡୁ ଲେଖ୍ୟରେ ପଲ୍ଲୀର ଦୈନ୍ୟ,-ଦରିଦ୍ରର ଦୁଃଖଚିତ୍ର, ପଲ୍ଲୀର ସ୍ୱଭାବ ସୁନ୍ଦର ମଧୁର ପ୍ରେମର ମାଧୁର୍ଯ୍ୟ-ପଲ୍ଳୀ ସମାଜର ନିର୍ଯ୍ୟାତନ ଯେ ଭଳି ଅତି ରଞ୍ଜନହୀନ ଭାବରେ ସେ ଅଙ୍କନ କରିଅଛନ୍ତି, ଉତ୍କଳ ସାହିତ୍ୟରେ ତାହାର ତୁଳନା କେବଳ ସ୍ୱନାମଧନ୍ୟ ସ୍ୱର୍ଗତ କବି ରାୟ ସାହାବ ନନ୍ଦକିଶୋର ବଳଙ୍କ କବିତା ସହିତ ହୋଇପାରେ । କବିତା ରାଜ୍ୟରେ ଏହା କମ ଗୌରବର କଥା ନୁହେଁ । ଲେଖକ ଏତିକି ଏଠାରେ ମନ୍ତବ୍ୟ ଦେବାକୁ ବାଧ୍ୟ ଯେ ଯେଉଁ ସମସ୍ତ ସହର ବିଳାସୀ ଶିକ୍ଷିତ ଧନକୁବେରଗଣ ପଲ୍ଲୀ ଜନନୀର ସ୍ନିଗ୍ଧ ଅଙ୍କ ଛାଡ଼ି ସହରର ଧୂଳି ଧୁମ ଜଞ୍ଜାଳକୁହିଁ ଜୀବନର ସୁଖ ସ୍ୱପ୍ନରେ ପରିଣତ କରିଅଛନ୍ତି ସେମାନେ ଜଗନ୍ମୋହନଙ୍କର ତୁଳିକାରେ ଚିତ୍ରିତ ‘ପଲ୍ଲୀ’ ଦେଖି ବୋଧହୁଏ କ୍ଷଣକ ସକାଶେ ସୁଦ୍ଧା ପଲ୍ଲୀର କଥା ସ୍ମରଣ କରିବାକୁ ବାଧ୍ୟ ହେବେ, ଏଥିରେ ସନ୍ଦେହ ନାହିଁ ।

 

ତାଳଚେର ରାଜ୍ୟର ବାରୁଅଁ ପର୍ବତର ବିରାଟ ଦେହର ନୀଳିମା ସର୍ବଦା ଚକ୍ଷୁକୁ ଶୀତଳ କରି ଦେଇଥାଏ । ଏହା ତାଳଚେର ଗଡ଼ରୁ ୧୪ ମାଇଲ ଦୂରରେ ରହିଥିଲେ ହେଁ ବ୍ରାହ୍ମଣୀ ନଦୀର ତଟ ଦେଶରୁ ଲମ୍ବଭାବରେ ଢ଼େଙ୍କାନାଳ ରାଜ୍ୟକୁ ସୁବିସ୍ତୃତ । ଏହି ବାରାଟ ନୀଳିମା ମଧ୍ୟରେ ସ୍ଥାନେ ସ୍ଥାନେ ଆଭ୍ରସ୍ତରର ଔଜଲ୍ୟ ସୂର୍ଯ୍ୟ କିରଣରେ ସୁପରିସ୍ଫୁଟ । ଲେଖକ ଅନେକଥର ଅନେକ ପ୍ରକାରରେ ଏହାକୁ ଏବଂ ଏହାର ପ୍ରତ୍ୟାନ୍ତ ପ୍ରଦେଶ ସମୂହ ଦେଖି କୃତାର୍ଥ ହୋଇଅଛି । ଲେଖକ ଥରେ ବାମଣ୍ଡର ୰ବଡ଼କୁମାର ବଳଭଦ୍ରଙ୍କ ସହିତ ବ୍ରାହ୍ମଣ ନଦୀ ପଥରେ ନୌକାଯୋଗରେ ବାମଣ୍ଡାରୁ ଆସୁଥିଲା । ତାଳଚେର ରେଙ୍ଗଳୀ ନାମକ ଗ୍ରାମରୁ ନୌକାଯୋଗେ ବ୍ରାହ୍ମଣୀରେ ଭାସି ପ୍ରାୟ ୨୦ ମାଇଲ ଆସି ବାରୁଆଁ ପର୍ବତ ତଳେ ଉପସ୍ଥିତ ହେବାମାତ୍ରେ ଅନେକ ଗୁଡ଼ିଏ ଚକ୍ରବାକ୍‌ମିଥୁନ ଦେଖିଲା ବେଳେ ହଠାତ୍‌୰ବଡ଼କୁମାର ବଳଭଦ୍ର କହି ଉଠିଲେ ‘‘ଦେଖନ୍ତୁ ବ୍ରାହ୍ମଣୀ ନଦୀର ବର୍ଣ୍ଣନା କବିଗୁରୁ ରାଧାନାଥ ଅନେକ ସ୍ଥଳରେ କରିଅଛନ୍ତି, ମାତ୍ର ଏହି ବାରୁଆଁ ପର୍ବତତଳର ବ୍ରାହ୍ମଣୀ ନଦୀକୁ ‘ଚକ୍ରବାକିନୀ ବ୍ରାହ୍ମଣୀ’ ବୋଲି ଲେଖିଛନ୍ତି । ଆମ୍ଭମାନେ ଏହି ନଦୀରେ ପ୍ରାୟ ୨୦ ମାଇଲ ଆସିଲୁଁ, କେଉଁଠାରେ ଚକ୍ରବାକ୍‌ଦେଖିଲୁଁ ନାହିଁ, ମାତ୍ର ଏଠାରେ କବିଗୁରୁଙ୍କର ବାଣୀ କିପରି ସାର୍ଥକ ହୋଇଅଛି:-‘‘ବାଳଭାନୁ ପରି କୃଶାନୁ ସ୍ଫୁରିବ ଏ ଅନ୍ତେ ବାରା ଅଚଳେ, ପ୍ରକ୍ଷାଳଇ ଚକ୍ରବାକିନୀ ବ୍ରାହ୍ମଣୀ ପାଦ ଯାର କଳ କଳେ ।’’ ରାଧାନାଥ କେଉଁଠାରେ ଅତି ରଞ୍ଜନପ୍ରିୟତା ଦେଖାଇ ନାହାନ୍ତି, ଯେଉଁଠାରେ ଯାହା ଦେଖିଛନ୍ତି ଓ ପାଇଛନ୍ତି, ତାହାର ସଠିକ ବର୍ଣ୍ଣନା କରିଅଛନ୍ତି, ଏହା ଗୋଟିଏ ସେହିଭଳି ଉଦାହରଣ ମାତ୍ର ।

 

ବଡ଼କୁମାର ୰ବଳଭଦ୍ରଙ୍କର ଏହି କଥା ଗୁଡ଼ିକ ଲେଖକ ଅନେକ ସମୟରେ ଏହି ବାରୁଆଁ ପର୍ବତ ନିକଟକୁ ଆସିଲେ ସ୍ମରଣ କରିଥାଏ । ଥରେ ସୂର୍ଯ୍ୟାସ୍ତ ସମୟରେ ବ୍ରାହ୍ମଣୀର ତଟ ଦେଶସ୍ଥିତ ବାରୁଆଁ ପର୍ବତର ପ୍ରାନ୍ତଭାଗରେ ଲେଖକ ଉପସ୍ଥିତ ହୋଇଥିଲେ । ବାରୁଆଁର ପଦତଳରେ ବ୍ରାହ୍ମଣୀର ଉନ୍ମତ୍ତ ତରଙ୍ଗୁ ତଟ ଭୂମିକୁ ଆଘାତ କରି ମହାଆବର୍ତ୍ତର ସୃଷ୍ଟି କରିଥିଲା । ଅପର ପାରିରେ ପାଦପ-ପଲ୍ଲବ-ଭୂଷିତ ଅଗଣିତ ଗିରିମାଳା ନୀଳାମ୍ୱରରେ ଆଲିଙ୍ଗନ ବଦ୍ଧ । ଏ ପାରିରେ କ୍ରୋଶ କ୍ରୋଶ ବ୍ୟାପୀ ବାରୁଆଁ ପର୍ବତର ବିସ୍ତୃତ, ବିଜନ ଓ ନିବିଡ଼ ଅରଣ୍ୟଶ୍ରେଣୀ ।

 

ଚତୁର୍ଦ୍ଦିଗରେ ସନ୍ଧ୍ୟାର ଅନ୍ଧକାର ଘନୀଭୂତ ହୋଇ ଆସୁଥିଲା । ଆକାଶ ଦେହରେ ପୁଞ୍ଜ ପୁଞ୍ଜ ହୋଇ ନକ୍ଷତ୍ର ଫୁଟି ଉଠୁଥିଲା । ଚରାଚର ଗୋଟିଏ ବିରାଟ ନିସ୍ତବ୍ଧତାର କ୍ରୋଡ଼ରେ ଆତ୍ମ ସମର୍ପଣ କଲା ।

 

ରୌଦ୍ର କରୋଜ୍ଜ୍ୱଳ ଦିବସରେ ରୌଦ୍ର-ରଶ୍ମିରେ ସମୁଜ୍ଜ୍ୱଳ ବ୍ରାହ୍ମଣୀ ଦୁରନ୍ତ ଶିଶୁଭଳି କେଉଁ ଖେଳ ଖେଳେ, କଳ କଳ ଛଳ ଛଳ ଶବ୍ଦରେ କି ସୁଗୋପନ କାହାଣୀ ବ୍ୟକ୍ତ କରିବାକୁ ଲୋଡ଼େ, କିନ୍ତୁ ବ୍ୟକ୍ତ କରିବାକୁ ଅସମର୍ଥ ହୋଇଥାଏ । ସୁସ୍ପଷ୍ଟ ଦିବାଲୋକରେ ତାହା ଯେପରି କହିବାର ନୁହେ ସୁତରାଂ କହିପାରେ ନାହିଁ । ଏହି ହେତୁରୁ ନୀରବ ନିଶୀଥିନୀ ପ୍ରତି ବ୍ରହ୍ମଣୀର ମନ ପଡ଼ି ରହିଥାଏ ସିନା ? ଶତ ଚନ୍ଦ୍ରର ପ୍ରତିବିମ୍ୱ ବକ୍ଷରେ ଘେନି ଅଯୁତ ତାରକାର ହାର କଣ୍ଠରେ ଓହଳାଇ, ପର୍ବତର ଛାୟା, ବନର ଛାୟା ଗତି ଓ ଭାଙ୍ଗି ସେହି ମାହେନ୍ଦ୍ରକ୍ଷଣରେ ବ୍ରାହ୍ମଣୀ ନଦୀ ଯେପରି କହିପାରେ ଓ ପ୍ରକାଶ କରିପାରେ । ଲେଖକର ସେହି ଶୁଭକ୍ଷଣରେ ଏହି ବିଶ୍ୱାସ ମନରେ ଉପୁଜିଥିଲା ମାତ୍ର ।

 

ଏହି ସ୍ଥାନରେ ପ୍ରାୟ ତିନିକ୍ରୋଶ ବ୍ୟବଧାନରେ ବ୍ରାହ୍ମଣୀର ନଦୀର ଉପରକୁ ତାଳଚେର ରାଜ୍ୟର ତାଳପଦା ଗ୍ରାମ । ସ୍ଥାନଟିର ରମଣୀୟତା ସମ୍ବନ୍ଧରେ ଲେଖକର ପରମାରାଧ୍ୟ ପିତୃ ଦେବ କବିଗୁରୁ ୰ରାଧାନାଥ ୧୮୯୩ ସାଲରେ ଯେଉଁ ପତ୍ର ଲେଖକକୁ ଲେଖିଥିଲେ ତାହା ଏଠାରେ ଅବିକଳ ପ୍ରଦତ୍ତ ହେଲା । ଲେଖକର ପିତୃଦେବ ଲେଖକକୁ ‘ମଧୁ’ ନାମରେ ଡାକୁଥିଲେ ।

 

Bajrakot

5-11-1893.

Madhu,

 

This is a a place with in half a day's journey from the borders of the Bamra state, I hope to be able to reach Debgarh in 3 of 4 days' time .

 

We halted Yesterday at Talpada on the Brahmani . The place is really worth seeing. It commands a scenery worthy of the pen of the immortal Bhababhuti.

 

I hope to hear from you on my arrival at Deogarh. I am not as yet sure that i shall go back via Sambalpur .

 

R.N. Rai.

 

ବାସ୍ତବିକ ମହାକବି ଭବ ଭୂତିଙ୍କର ଅମର କାବ୍ୟ ଉତ୍ତମ ରାମ ଚରିତର ରଚନା ସହିତ ତାଳଚେର ରାଜ୍ୟସ୍ଥିତ ଏହି ସମସ୍ତ ଦୃଶ୍ୟ ଗୁଡିକର ପୂର୍ଣ୍ଣ ସାଦୃଶ୍ୟ ରହିଅଛି । ଲେଖକ କେତେଥର ଏହି ଦୃଶ୍ୟ ଗୁଡ଼ିକ ଦେଖି ମୁଗ୍ଧ, ପୁଲକ ସ୍ପନ୍ଦିତ ହୃଦୟରେ ଆତ୍ମାବିସ୍ତୃତ ହୋଇ ଯାଇଅଛି ।

 

ଫଳତଃ ତାଳଚେର ରାଜ୍ୟର ଏହି ଅଂଶଟିକ କବିଜନ ଲୋଭନୀୟ ସର୍ବପ୍ରକାର ଦୃଶ୍ୟରାଦିର ପ୍ରଦର୍ଶନୀ ଫିଟାଇ ଦେଇ ସମସ୍ତଙ୍କୁ ଅନ୍ତତଃ ଭାବୁକମାନଙ୍କୁ ଆଖିଠାରି କହୁଅଛି ‘‘ଆସ ଆସ ଆସ’’ । ଏଠାରେ ଭୀମକାନ୍ତ ପାର୍ବତ୍ୟ ପ୍ରଦେଶ ସହିତ ଦିଗନ୍ତ ବିସ୍ତାରୀ ଲତା ଗୁଳ୍ମ ଶସ୍ୟରାଜିର ବର୍ଣ୍ଣ ବୈଚିତ୍ର୍ୟ ରଞ୍ଜିତ ପ୍ରାନ୍ତର ସମୂହ ପ୍ରଗାଢ଼ ମିଳନରେ ଜଡ଼ିତ ହୋଇ ବଙ୍କିମ ଗତି ବିଶିଷ୍ଟା ବ୍ରାହ୍ମଣୀ ନଦୀକୁ ବଙ୍ଗୋପସାଗରର ଅସୀମାରେ ପ୍ରାଣ ଢାଳିଦେବା ସକାଶେ ଇଙ୍ଗିତ କରୁଅଛି । ଲୋହିତ, ପୀତ, ଶ୍ୟାମଳ, ଶୁଭ୍ର, ହରିତ, ହିରଣ୍ୟ ପ୍ରଭୃତି ବର୍ଣ୍ଣ ସମୂହ ସ୍ୱ ସ୍ୱ ବିନ୍ୟାସ ବିସ୍ତୃତ ହୋଇ ପରସ୍ପର ମିଶିଯିବାକୁ ଅଥବା ଆଲିଙ୍ଗନ କରିବାକୁ ଆକୁଳ ହୋଇ ଅଛନ୍ତି । ଏହି ଭୁବନାନନ୍ଦ ବର୍ଣ୍ଣଧାରାର ପଦପ୍ରାନ୍ତରେ ବ୍ରାହ୍ମଣୀ ନଦୀର ବାରିରାଶିର ଅଞ୍ଚଳ ନୀଳିମା ସର୍ବଦା ଚକ୍ଷୁକୁ ସରସ କରି ଦେଉଅଛି ସିନା ?

 

ଏହି ଅଞ୍ଚଳର ଚିରନଦୀ, ଦହ, ବନ, ଉପବନ, ତୁଙ୍ଗଶୃଙ୍ଗ ଉପତ୍ୟକା ପ୍ରଭୃତି ପରସ୍ପର ସ୍ତରେ ସ୍ତରେ କି ବିଚିତ୍ର ଶୋଭା ଧାରଣ କରି ଯୁଗ ଯୁଗାନ୍ତରରୁ ଦଣ୍ଡାୟମାନ, ତାହା ଚକ୍ଷୁରେ ନ ଦେଖିଲେ ଉପଲବ୍ଧି ହେବାହିଁ ଅସମ୍ଭବ । ଅତି ନିପୁଣ ଚିତ୍ରକର ଏ ଗୁଡ଼ିକର ପ୍ରକୃତ ଚିତ୍ର ଅଙ୍କନରେ ଅକ୍ଷମ- ଚିତ୍ରକର ଯେ ଅପୂର୍ବ ସୌନ୍ଦର୍ଯ୍ୟର ଶତାଂଶରୁ ଏକାଂଶ ସୁଦ୍ଧା ଦେଖାଇବାକୁ ଅକ୍ଷମ ହେବେ ଏଥିରେ ସନ୍ଦେହ ନାହିଁ । ଏ ଦୃଶ୍ୟ ବିସ୍ତୃତ ହେବାର ନୁହେଁ, ବର୍ଣ୍ଣନା କରିବାର ମଧ୍ୟ ନୁହେଁ । କେବଳ ଅତୃପ୍ତ ନୟନରେ ଦେଖିବାର ଓ ମାନସପଟରେ ଅଙ୍କିତ ରଖିବାର ବସ୍ତୁ । ଏହାର ମଧ୍ୟ ସମ୍ଭାବନା କମ । କ୍ଷୁଦ୍ରମାନବର ମାନସପଟ କେତେ ବୃହତ୍‌ଯେ ତାହା ଏହି ମହାନ ଦୃଶ୍ୟର ସମଗ୍ର ଚିତ୍ର ଧାରଣରେ ସମର୍ଥ ?

 

ତାଳଚେର ରାଜ୍ୟ ପ୍ରକୃତି ବିଭବରେ ଅତୁଳନୀୟ । ଏହି ରାଜ୍ୟର ସିଙ୍ଗଡ଼ା, ଟିକରା, ଓ ଚିଲଣ୍ଟି ଗିରି ନଦୀ ଗୁଡ଼ିକ ବ୍ରାହ୍ମଣୀ ନଦୀର ଉପନଦୀ ରୂପେ ଅଜସ୍ର ପାଣି ବ୍ରାହ୍ମଣୀକୁ ଯୋଗାଇ ଥାଏ । ଏହି ଉପନଦୀ ଗୁଡ଼ିକର ନିକଟରେ ଥିବା ହନୁମାନପୁର ଗ୍ରାମ ନିକଟସ୍ଥ ପାର୍ବତ୍ୟ ଉପତ୍ୟକା, ଚେମଣା ଘାଟି ସାପକଟା ପର୍ବତ ଶ୍ରେଣୀ, ବଉଦବଡ଼ା ଅରଣ୍ୟ, ରାମେଶ୍ୱର ପର୍ବତ ପ୍ରଭୃତିର କବିଜନ ଲୋଭନୀୟ ଶୋଭା ତାଳଚେର ରାଜ୍ୟର ଗୌରବ ଶ୍ରୀ ବଢ଼ାଇ ଦେଇଅଛି । ବ୍ରାହ୍ମଣୀ ନଦୀର ଉପରକୁ ତାଳଚେର ରାଜ୍ୟର ରେଙ୍ଗଳା ଗ୍ରାମ ତଳେ ବ୍ରାହ୍ମଣୀର ପ୍ରସ୍ତର ଶର୍ଯ୍ୟା ଉପରେ ଅସୀମ ଜଳପ୍ରବାହ ଗୋଟିଏ ସୁବିସ୍ତୃତ ପ୍ରପାତର ଭ୍ରମ ଜନ୍ମାଇ ଦେଇଥାଏ । ଏହା ହାତୀଅଦଣ୍ଡା ଜଳପ୍ରବାହ ନାମରେ ଖ୍ୟାତ । ଏହାର ଦୁଇମାଇଲ ଉପରକୁ ବ୍ରାହ୍ମଣୀ ନଦୀର ଛେଳିଡିଆଁ ଘାଟି-ଏଠାରୁ ବ୍ରାହ୍ମଣୀ ନଦୀର ସମଗ୍ର ଜଳରାଶି କ୍ଷୁଦ୍ର ପରିସର ବିଶିଷ୍ଟ ଯୋଡ଼ିଏ ପ୍ରକାଣ୍ଡ ପ୍ରସ୍ତର ଶିଖରେ ପ୍ରବାହିତ ହେଉଅଛି । ଏ ସ୍ଥାନ ଗୁଡ଼ିକର ସୌନ୍ଦର୍ଯ୍ୟ ଏହି ଲେଖକ ଜୀବନରେ କେତେଥର ଦେଖି ମୁଗ୍ଧ, ପୁଲକିତ ଓ ଭାବମହିମାରେ ଆତ୍ମବିସ୍ତୃତି ହୋଇ ଯାଇଅଛି ।

 

ତାଳଚେର ରାଜ୍ୟର ଅନ୍ତ୍ୟଚ୍ଛ ଜାତିର ସ୍ତ୍ରୀ ଓ ପୁରୁଷଙ୍କର ସମବ୍ୟୟରେ ରାଜା କିଶୋରଚନ୍ଦ୍ର ଯେଉଁ ହଲ୍ଲୀଶକ ନୃତ୍ୟର ସୃଷ୍ଟି କରିଅଛନ୍ତି ତାହା ଯେପରି ଉପଭୋଗ୍ୟ ସେଭଳି ଦର୍ଶନୀୟ । ପ୍ରାଚୀନ ଓଡ଼ିଆ ସଙ୍ଗୀତ ଯେପରି ମୂର୍ତ୍ତିମନ୍ତ ହୋଇ ଏହି ନୃତ୍ୟ ମଧ୍ୟରେ ଅବତରଣ କରିଅଛି ବୋଲି ସ୍ୱତଃ ମନେ ହୋଇଥାଏ । ଅରଣ୍ୟ ଜାତିଙ୍କୁ ଘେନି ଏ ଭଳି ସଙ୍ଗୀତ ଦଳର ସୃଷ୍ଟି କରିବା ବୋଧହୁଏ ଗଡ଼ଜାତ ମଧ୍ୟରେ ସମ୍ପୂର୍ଣ୍ଣ ଅଭିନବ ବ୍ୟାପାର ।

 

ଆଧୁନିକ ତାଳଚେରରେ ତାଳଚେର ଗଡ଼ର ଦୁଇମାଇଲ ବ୍ୟବଧାନରେ ପଟ୍ଟାୟତ୍‌ଶ୍ରୀଯୁକ୍ତ ପ୍ରମୋଦଚନ୍ଦ୍ର ଦେବ ଯେଉଁ ସୁବିଶାଳ ପ୍ରାସାଦ ନିର୍ମାଣ କରିଅଛନ୍ତି, ତାହା ଯେପରି ଦର୍ଶନୀୟ ତହିଁର ଏକାଂଶରେ ତାହାଙ୍କ ପ୍ରତିଷ୍ଠିତ ଦିଆସିଲାଇ ପ୍ରସ୍ତୁତର କାରଖାନା ମଧ୍ୟ ରାଜ୍ୟ ପକ୍ଷରେ ଗୋଟିଏ ଗୌରବର ଦ୍ରବ୍ୟ । ଏହି ସୁବୃହତ୍‌କାରଖାନାରେ ପ୍ରତ୍ୟେହ ୨୫୦ ଲୋକର ଅନ୍ନ ସଂସ୍ଥାନ ହୋଇଅଛି । ଏଥିରେ କାଠ ଯୋଗାଇବା ସକାଶେ ଭିନ୍ନ ଭିନ୍ନ ରାଜ୍ୟରୁ ପଟ୍ଟାୟତ ମହୋଦୟ ଦିଆସିଲାଇ କାଠିର ଉପଯୁକ୍ତ କାଠ ସମୂହର ପଟ୍ଟା ନେଇଅଛନ୍ତି । ଏହି ଦିଆସିଲାଇ ସମୂହ ମାନ୍ଦ୍ରାଜ, ବେଜଓ୍ୟାଡ଼ା, ନେଲୋର ଓ ଇଷ୍ଟ କୋଷ୍ଟ ଅଞ୍ଚଳରେ ବେଶୀ-ସମ୍ୱଳପୁର, ରାୟପୁର, ରାଞ୍ଚି ଗଞ୍ଜାମ ଓ କଟକ ଅଞ୍ଚଳରେ ଯଥେଷ୍ଟ ବିକ୍ରୟ ହୋଇଥାଏ । ଏହି କାରଖାନା ସକାଶେ ଜଙ୍ଗଲ ମଦ୍ୟରେ ଦୁଇଖଣ୍ଡି ଗ୍ରାମ ବସି ସାରିଲାଣି । ପଟ୍ଟାୟତ ମହୋଦୟଙ୍କର ଅସାଧାରଣ କର୍ମ କୁଶଳତା ନିୟତ ତାହାଙ୍କୁ ନାନାରୂପ କାର୍ଯ୍ୟରେ ନିଯୁକ୍ତ କରିଅଛି । ସେ ମାଟ୍ରିକ୍ୟୁଲେସନ ପରୀକ୍ଷା ଦେବା ଉତ୍ତାରୁ ରାଜା କିଶୋରଚନ୍ଦ୍ରଙ୍କର ଅନୁରୋଧକ୍ରମେ ଏହି ଲେଖକକୁ ଉତ୍କଳରେ ନାନା ସ୍ଥାନ ଦେଖାଇବା ସକାଶେ ତାହାଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ନେବାର ପ୍ରୟୋଜନ ହୋଇଥିଲା । ସେଥିରେ ପ୍ରାୟ ଏକମାସ ଦେଢ଼ମାସ ତାହାଙ୍କର ସାହଚର୍ଯ୍ୟ ଲାଭ କରି ଲେଖକ ତାହାଙ୍କର ଶକ୍ତିମତ୍ତାର ସୂଚନା ପାଇଥିଲା । ସେହି ଶକ୍ତିମତ୍ତା ହିଁ ବର୍ତ୍ତମାନ ପରିଣତାବସ୍ଥା ପ୍ରାପ୍ତ ହୋଇ ତାହାଙ୍କୁ ବିଭିନ୍ନ କାର୍ଯ୍ୟରେ ଳଗାଇ ଦେଇଅଛି । (ତାହାଙ୍କର ପ୍ରତିଷ୍ଠିତ ଦିଆସିଲାଇ କାରଖାନା ଏ ଖର୍ଜ୍ଜୁର ଗୁଡ଼, ଚିନି ଓ ତେଲ ଲୁଗା ପ୍ରଭୃତିର କାରଖାନା ତାହାଙ୍କର ଆବାସରେ, ତାଳଚେର ରେଲଷ୍ଟେସନ ନିକଟରେ ଅନେକଗୁଡ଼ିଏ ଭଡ଼ା ଘର ଏବଂ ପେଟ୍ରୋଲ ବିକ୍ରୟର ବନ୍ଦୋବସ୍ତ, ତାଳଚେର-ବାମଣ୍ଡା ଓ ପାଳଲହଡ଼ାର ମୋଟର ସର୍ଭିସ ଏବଂ ତାଳଚେର ଗଡ଼ରେ ରହିଥିବା ପ୍ରମୋଦ ଷ୍ଟୋର ରୂପେ ବ୍ୟବସାୟ ବିଭାଗ ଉଷାର ପୂର୍ବ ମୂହୁର୍ତ୍ତରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ତାହାଙ୍କୁ ସର୍ବଦା ବ୍ୟସ୍ତ ରଖିଅଛି ।) ଏହା ଉପରେ ତାଳଚେର ରାଜ୍ୟର ସର୍ବପ୍ରଧାନ ମ୍ୟାଜିଷ୍ଟେଟ ରୂପେ ତାହାଙ୍କୁ ରାଜ କାର୍ଯ୍ୟରେ ମଧ୍ୟ ଅନେକ ସମୟ ନିୟୋଜିତ କରିବାକୁ ହୋଇଥାଏ । ରେଭିନିଉ ଅଫିସର ରୂପେ ତାହାଙ୍କୁ ସମସ୍ତ ରାଜ୍ୟ ପରିଭ୍ରମଣ କରି ବହୁକାର୍ଯ୍ୟ କରିବାକୁ ହୋଇଥାଏ । ଅନେକ ବିବାଦ ମଧ୍ୟ ନିଷ୍ପତ୍ତି କରିବାକୁ ହୁଏ । ତାଳଚେର ଗଡ଼ର ପ୍ରମୋଦ ଷ୍ଟୋରର ବ୍ୟବସାୟ ବିଭାଗ ସମଗ୍ର ତାଳଚେର ରାଜ୍ୟ କାହିଁକି, ଅନୁଗୋଳ ଏବଂ ସୁଦୂର ପାଲଲହଡ଼ା ଓ ବାମଣ୍ଡା ପର୍ଯ୍ୟନ୍ତ ପ୍ରସାରିତ । ଉଜ୍ଜ୍ୱଳ ଗୌରବର୍ଣ୍ଣ ମଧ୍ୟରେ ଗୋଟିଏ ସହଜଜାତ ସୁନ୍ଦରଶ୍ରୀ ତାହାଙ୍କର ମୁଖ ଓ ଚକ୍ଷୁରେ ସର୍ବଦା ଲାବଣ୍ୟର ସଞ୍ଚାର କରି ରଖିଅଛି । ତାହାଙ୍କର ଉର୍ବର ମସ୍ତିଷ୍କ ବ୍ୟବସାୟ ବିଭାଗ ତଥା ସାହିତ୍ୟ ବିଭାଗ ଉଭୟରେହିଁ ତୁଲ୍ୟରୂପେ ନିୟୋଜିତ । ବ୍ୟବସାୟ ବିଭାଗରେ ସେ ଉତ୍ତମ ରୂପେ ବୁଝିଅଛନ୍ତି ଯେ ଚାଷ ସହିତ ବ୍ୟବସାୟର ସଂମିଶ୍ରଣରେ ଦେଶର ଅବସ୍ଥା ପ୍ରକୃତ ଭାବରେ ଭଲ ହୁଏ ଏବଂ ଚାଷର ଉତ୍ପନ୍ନ ଦେଶରେ ରହିଯାଏ ଯେବେ ବ୍ୟବସାୟ ତହିଁରେ ମିଶେ । ବ୍ୟବସାୟ କରି ବାହାରରୁ ଅର୍ଥ ସଂଗ୍ରହ ପୂର୍ବକ ବିଳାସିତାରେ ବ୍ୟୟ କଲେ ସେଭଳି କ୍ଷତିର ସମ୍ଭାବନା ନାହିଁ, ମାତ୍ର କେବଳ ଚାଷର ଉତ୍ପନ୍ନରେ ସନ୍ତୁଷ୍ଟ ହୋଇ ବିଳାସ ବ୍ୟସନରେ ମନ ନିୟୋଜିତ କଲେ ଦେଶର ସର୍ବନାଶ ନିଶ୍ଚିତ । ଏଣେ ସାହିତ୍ୟ କ୍ଷେତ୍ରରେ ଉଦୀୟମାନ କବିରୂପେ ସେ କମଳକାମିନୀ ଓ ‘‘ମଧୁପ-ମଲ୍ଲୀ’’ ପ୍ରଣୟନ କରି ସୁଧୀସମାଜରେ ଯଶସ୍ୱୀ ହୋଇଅଛନ୍ତି । ସାହିତ୍ୟ ମାନବର କେବଳ ମାତ୍ର ଉପଭୋଗର ଉପାଦାନ ନୁହେ ସାହିତ୍ୟ ପୁଣ୍ୟର ପ୍ରସ୍ରବଣ- ଶିକ୍ଷାର ମଣି ମଞ୍ଜୁଷା, ମାନବତାର ଦିବ୍ୟ ଦୀପ୍ତି, ଜାତୀୟତା ଓ ଦେଶାତ୍ସାବୋଧର ମଙ୍ଗଳ ଶଙ୍ଖ ବିଶେଷ, ଏହା ସେ ଉତ୍ତମରୂପେ ବୁଝି ତହିଁରେ ମଧ୍ୟ ଆତ୍ମନିୟୋଗ କରିଅଛନ୍ତି । ତାହାଙ୍କର ବର୍ତ୍ତମାନ କବିତାର ଭଙ୍ଗୀ ଦେଖି ଲେଖକ ଏତିକି ମନ୍ତବ୍ୟଦେବାକୁ ଉତ୍ସୁକ ହେଉଅଛି ଯେ ଏକସମୟରେ ଭାଷାର ମାଧୁର୍ଯ୍ୟ, ଭାବର ମହିଁମା, କଳା ନୈପୁଣ୍ୟର କୁଶଳିତ ଚିତ୍ରଣ, ସୁଠାମ ଭଙ୍ଗିମା, ଚିନ୍ତାର ସୁଗଭୀରତା ଓ ଆଦର୍ଶ ମହାତ୍ମରେ ତାହାଙ୍କର ସାହିତ୍ୟ ଉତ୍କଳରେ ଅତୁଳନୀୟ ହେବ ।

 

ତାଳଚେରର ଯୁବରାଜ ସାହେବ ଶ୍ରୀମାନ୍ ହୃଦୟଚନ୍ଦ୍ର ତାଳଚେର ରାଜ୍ୟର ସେସନ୍‌ଜର୍ଜ ପଦର ଗୌରବାସନରେ ଅଧିଷ୍ଠିତ ହେଲେହେଁ ଯେପରି ସରଳ ଅମାପିକ ଏବଂ ଆଡ଼ମ୍ବରଶୂନ୍ୟ ଏ ସମସ୍ତ ଗୁଣର ତୁଳନା ମିଳିବା ସୁକଠିଣ । ବିଚାର ନୈପୁଣ୍ୟ ତାହାଙ୍କର ଅନ୍ୟତମ ବିଶେଷତ୍ୱ । ଏହାଙ୍କ ସହିତ ଆଳାପ ଏବଂ ବାକ୍ୟ ବିନିମୟରେ ସମସ୍ତଙ୍କ ହୃଦୟକୁ ପୁଲକ ଓ ଆନନ୍ଦ ସମଭାବରେ ସ୍ୱତଃ ଅଧିକାର କରିଥାଏ ।

 

ଏହାଙ୍କର ଜ୍ୟେଷ୍ଠାତ୍ମଜ ଟିକାଏତ ସୌଭାଗ୍ୟଚନ୍ଦ୍ର ଦ୍ୱାଦଶ ବର୍ଷୀୟ ଶିଶୁ ହେଲେହେଁ ତାଳଚେର ରାଜ୍ୟର ପାରମ୍ପରିକ ସାହିତ୍ୟିକ ବିଶେଷତ୍ୱ ପୂର୍ଣ୍ଣମାତ୍ରାରେ ଅକ୍ଷୁର୍ଣ୍ଣ ରଖିଥିବାର ଦେଖି ଲେଖକ ସହିତ ସମଗ୍ର ଉତ୍କଳର ସାହିତ୍ୟିକ ବର୍ଗ ବିସ୍ମିତ ଓ ମୁଗ୍ଧ । ବାଲ୍ୟ ଶିକ୍ଷାପ୍ରସ୍ତୁତ ଏହାଙ୍କର ‘କବତା ରଚନା ଖାତା’ ନାମକ କ୍ଷୁଦ୍ର ପୁସ୍ତକ ଖଣ୍ଡିକ ସାହିତ୍ୟ ପ୍ରୀତି ଓ ଶ୍ରଦ୍ଧାର ପୂର୍ଣ୍ଣ ପରିଚୟ ପ୍ରଦାନ କରୁଅଛି । ରାଜଗୃହରେ ଅବାଲ୍ୟ ନେତ୍ରସଂଙ୍ଖାଳିରୂପେ ଅଭାବର ତ୍ୟାଗ ଭୋଗ ନକରି ସୁଦ୍ଧା ସଂସାରର ଅଭିଜ୍ଞତା ଅର୍ଜ୍ଜନ କରିବା ଏହାଙ୍କର ଏହି ପୁସ୍ତକରେ ସୃଷ୍ଟାକୃତ ଦେଖି କାହାର ମନ ପୁଲକିତ ନ ହେବ ? ଆବଶ୍ୟକ ବୋଧ କରି ଏହି ପୁସ୍ତକରୁ କେତେକ ସ୍ଥଳ ଉଦ୍ଧାର କରିଦେବାକୁ ଲେଖକ ମନ ବଳାଇଲା ମାତ୍ର । ତାହା ଏହି:-

 

‘‘କାହା ମହାଦୁଃଖେ କେ ହୁଏ ସୁଖୀ ।

ସଂସାର ବିଧାନ ଦେଖ ନିରେଖି ।’’

‘‘ନିଷ୍ଠୁର ହେଲେହେଁ ଖରା ବରଷା ନିଦାନ,

ଗୁରୁବାକ୍ୟ କଟୁ ସିନା ସୁଖର ସାଧନ ।’’

‘‘ଘୋର ବରଷା ରାତି ଶୀତ ହେବାରୁ

ଧନୀର ସୁଖ ସିନା ଗରୀବ ଭୀରୁ ।’’

‘‘ଦାରୁଣ ଶୀତ କାଳ ପହଞ୍ଚେ ଆସି

ଗରିବ ଲୋକଙ୍କର ଦୁଃଖ ପ୍ରକାଶି ।’’

‘‘ଶୀତ ହେଲେ କି ହେବ ଲୁଗାତ ନାହିଁ,

ଆଶ୍ରା କଲେଣି ଥୋକେ ନିଆଁ ଉହ୍ମାଇ ।’’

 

ଟିକାୟତ୍ ସୌଭାଗ୍ୟଚନ୍ଦ୍ର ଅଶେଷ ସୌଭାଗ୍ୟର ଅଧିକାରୀ ହୋଇ ସଂସାରର ଏଭଳି ଦୁଃଖପୂର୍ଣ୍ଣ ଚିତ୍ର ଅଙ୍କନ କରିଥିବାର ଦେଖି ସମସ୍ତେହିଁ ତାହାଙ୍କର ଏହି ଶୈଶବରୁ ପ୍ରଭୁତ ଅଭିଜ୍ଞତା ବିଷୟରେ ପ୍ରଶଂସା କରିବାକୁ ବାଧ୍ୟ ହେବେ; ତାହାଙ୍କର ଏହି ଜ୍ଞାନ ଉତ୍ତରୋତ୍ତର ବୃଦ୍ଧି ଲାଭ ପୂର୍ବକ ତାହାଙ୍କୁ କବିତା ରାଜ୍ୟରେ ସୁପ୍ରତିଷ୍ଠିତ କରୁ ଲେଖକର ଏହାହିଁ ଐକାନ୍ତିକ ଆଶୀର୍ବାଦ ।

 

ଆୟୁଷ୍ମାନ ସୌଭାଗ୍ୟଚନ୍ଦ୍ରଙ୍କର ଏହି କବିତା ରଚନା ସ୍ପୃହା ଉତ୍ତରାଧିକାର ସୁତ୍ରରେ ପ୍ରାପ୍ତ-। ତାଳଚେରାଧୀଶ ରାଜା କିଶୋରଚନ୍ଦ୍ରଙ୍କର ସାହିତ୍ୟ ଶ୍ରଦ୍ଧା ତାହାଙ୍କର ଶୈଶବାବସ୍ଥାରୁ ପ୍ରକଟିତ । ଅବସର ସମୟରେ ଏହାଙ୍କର ସାହିତ୍ୟଲୋଚନା ତଥା କବିତା ରଚନା ଦେଖି ଲେଖକ ସବୁବେଳେ ମୁଗ୍ଧ ହୋଇଅଛି । ସମସ୍ତ ଦିନବ୍ୟାପୀ ରାଜକାର୍ଯ୍ୟ ଜନିତ କଠୋର ପରିଶ୍ରମ ଉତ୍ତାରୁ ରାତ୍ରିର ପ୍ରଥମ ଯାମ ଉତ୍ତାରୁ ଦ୍ୱିତୀୟ ଯାମର ଶେଷ ପର୍ଯ୍ୟନ୍ତ ନିରୂପିତ ଭାବରେ ରାଜା ମହୋଦୟ ରୀତିମତ ସାହିତ୍ୟାଲୋଚନା କରିଥାଆନ୍ତି । ନାନା ଗ୍ରନ୍ଥପାଠ, ସଭାସଦ୍‌ମାନଙ୍କ ଦ୍ୱାରା ତାହାଙ୍କ ସମ୍ମୁଖରେ ପଠିତ ଅଂଶ ବିଶେଷର ସମ୍ୟକ୍‌ଆଲୋଚନା ଏବଂ ସ୍ୱୟଂ କବିତା ରଚନାର ଅଭ୍ୟାସ ସେ ରୀତିମତ ରଖିଥିବାର ଲେଖକ ସବୁ ସମୟରେ ଦେଖିଅଛି । ରାଜା ମହୋଦୟଙ୍କ କବିତା ସମୂହର ଅଧିକାଂଶ ରହସ୍ୟ ପୂର୍ଣ୍ଣ ରଚନା, ସୁତରାଂ ସେଗୁଡ଼ିକ ଗୋପନୀୟ ଭାବରେ ମୁଦ୍ରାଯନ୍ତ୍ରରୁ ବାହାରି ‘‘ବିକ୍ଷିପ୍ତ-ଚଟଣୀ’’ ରୂପ ଆଖ୍ୟାଧାରଣ କରିଅଛି। ଏଥିମଧ୍ୟରେ ବ୍ରାହ୍ମଣ ଓ ବ୍ରାହ୍ମଣୀଙ୍କର ଉକ୍ତି ପ୍ରତ୍ୟୁକ୍ତିରୂପେ ‘‘ବଚସା’’ ନାମକ ୧୪ ପୃଷ୍ଠା ବ୍ୟାପୀ ଯେଉଁ କବିତାଟିକୁ ଲେଖିଅଛନ୍ତି ତାହା ଉତ୍କଳ ସାହିତ୍ୟ ରାଜ୍ୟରେ ଗୌରବର ବସ୍ତୁ । ଏବଂ ଭାବରାଜ୍ୟରେ ଏହା ଚିନ୍ତା ବିଶ୍ଲେଷଣର ମଞ୍ଜୁଷା ବିଶେଷ । ସ୍ତ୍ରୀ ପୁରୁଷଙ୍କର ଭକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ସମଗ୍ର ସଂସାରର ସର୍ବପ୍ରକାର ଅଭିଜ୍ଞତାସୁପରିସ୍ଫଟ । ଏହି ରଚନା ମଧ୍ୟରେ ଏଭଳି ଗଭୀର ତତ୍ତ୍ୱ ସମନ୍ୱିତ ପୂର୍ବ ଏବଂ ଆଧୁନିକ କାଳୋପଯୋଗୀ ଭାବରାଶି ନିହିତ ରହିଅଛି ଯେ କୌଣସି ବ୍ୟକ୍ତି ଏହା ପାଠକରି ଭୁରି ଭୁରି ପ୍ରଶଂସା କୀର୍ତ୍ତନ କରୁଥିବ । ମାତ୍ର ରାଜା ମହୋଦୟ ଅଧିକ ସଂଖ୍ୟକ ପୁସ୍ତକ ଛପାଇ ଏହା ସାଧାରଣରେ ପ୍ରଚାରର ବିରୋଧୀ-ଏଣୁ ଅତ୍ୟଳ୍ପ ସଂଖ୍ୟକ ପୁସ୍ତକ ଛପାଇ କେବଳ ବନ୍ଧୁ ଏବଂ ଜ୍ଞାତିମାନଙ୍କ ମଧ୍ୟରେ ବିତରଣ କରିଅଛନ୍ତି । ଏ ଯୁଗର ରୀତିନୀତି ଯାହା ସ୍ପଷ୍ଟତଃ ପରିଦୃଶ୍ୟମାନ, ତହିଁରେ ଲେଖକର ବିଶ୍ୱାସ ଏଭଳି ରଚନାର ବହୁ ପ୍ରଚାର ସ୍ପୁହଣୀୟ । ସେହି ‘ବଚସା’ ପୁସ୍ତକର ଆଦ୍ୟରେ ଲିଖିତ ଅଛି:-

 

‘‘ମିଶ୍ରଙ୍କ ଉପଦେଶ            ମିଶ୍ରାଣୀଙ୍କ ପ୍ରତିଭାଷ

ନିତ୍ୟ ନୈମିତ୍ତକ ଯାହା ଘଟେ ସର୍ବଥା

ନାନାରୂପେ ଅଛି ପୂରି            ନୁହେ କଳ୍ପନା ଚାତୁରୀ

ଆପଣାକୁ ଟାଣି ଯଦି ଲଭେ କେ ବ୍ୟଥା

ରାଗେ ସେହି ହେଲେ ଜର୍ଜର

ଆନନ୍ଦେ ଉଠାଇ ନେବୁ ଲେଖା ଆମ୍ଭର ।’’

 

ଏହି ବଂଶରେ ଜନ୍ମ ଗ୍ରହଣ ପୂର୍ବକ ଟିକାୟତ୍ ସୌଭାଗ୍ୟଚନ୍ଦ୍ର ଯେ ଉଦୀୟମାନ କବିରୂପେ ଶୈଶବରୁ ପରିଚିତ ହେବେ ଏଥିରେ ବିଚିତ୍ରତା ନାହଁ ।

 

ତାଳଚେର ସହରଟି କିପରି ରାଜା କିଶୋରଚନ୍ଦ୍ରଙ୍କ ଶାସନ ସମୟରେ ଗଠିତ ହୋଇଅଛି ଏହା ବର୍ଣ୍ଣନାର ବସ୍ତୁନାହିଁ, ଦେଖିବାର ବସ୍ତୁ । କଟକ ଅନୁଗୋଳ ମାର୍ଗଦେଇ ଅଥବା ରେଲଷ୍ଟେସନ ଆଡ଼କୁ ତାଳଚେର ସହରରେ ପ୍ରବେଶକଲେ ସର୍ବପ୍ରଥମରୁ ଗୋଟିଏ ପକ୍କା ତୋରଣ ଅଥବା ଫାଟକ ମଧ୍ୟରେ ଯିବାକୁ ହେବ । ଏ ସ୍ଥାନଟିରେ ଚିତ୍ରକୂଟବିହାରୀ ରାମଚନ୍ଦ୍ରଙ୍କର ଓ ଶିବଙ୍କର ସୁଦୃଶ୍ୟମନ୍ଦିର ଅବସ୍ଥିତ । ଏହିଠାରୁ ତାଳଚେର ନଗରର ବଜାର ଓ ଗୃହଶ୍ରେଣୀ ଆରମ୍ଭ । ଏହି ଗୃହଶ୍ରେଣୀ ଓ ବିପଣିଶ୍ରେଣୀ ଏକମାଇଲ ପର୍ଯ୍ୟନ୍ତ ଲମ୍ବ । ଏହା ମଧ୍ୟରେ ଶୃଙ୍ଖଳାର ମର୍ଯ୍ୟାଦା ରକ୍ଷା କରୁଅଛି । ଜେଲଖାନାଠାରୁ ଗୋଟିଏ ସଡ଼କ ସହରମଧ୍ୟକୁ ଆସିଅଛି ଅନ୍ୟ ଗୋଟିଏ ବୃହତ୍ ସଡ଼କ ଯାହା ମଣ୍ଡଳାକାର ହୋଇ ବିନୋଦ ଉଦ୍ୟାନକୁ ବେଷ୍ଟନ କରିଅଛି ତାହା ପୁଣି ବ୍ରାହ୍ମଣୀ ନଦୀର ତଟଦେଶରେ ସୁବିସ୍ତୃତ ରହି ରାଜବାଟୀ ସମ୍ମୁଖରେ ସହରର ପ୍ରଧାନ ମାର୍ଗରେ ମିଳିତ ହୋଇଅଛି । ସହରର ପ୍ରଧାନ ମାର୍ଗଟିରେ ଛଅଗୋଟି ପକ୍କା ତୋରଣ ସହରର ସୌନ୍ଦର୍ଯ୍ୟ ବଢ଼ାଇ ଦେଉଅଛି । ହସ୍ତୀଶାଳା ଏବଂ ଅଶ୍ୱଶାଳାର ନିକଟସ୍ଥ ତୋରଣ ଗୁଡ଼ିକ ଅତ୍ୟନ୍ତ ସୁଦୃଶ୍ୟ । ସହରମଧ୍ୟରେ ଏଭଳି ପକ୍କା ତୋରଣ ନିର୍ମ୍ମାଣର ବ୍ୟବସ୍ଥା ସମଗ୍ର ଉତ୍କଳର କୌଣସିଠାରେ ନାହିଁ । ଫଳତଃ ଏହି ତୋରଣ ଗୁଡ଼ିକ ସହରର ସୌନ୍ଦର୍ଯ୍ୟ ଅପରୂପରୂପରେ ବଢ଼ାଇ ଦେଇଅଛି । ହସ୍ତୀଶାଳା ଓ ଅଶ୍ୱଶାଳା ସବୁବେଳେ ହସ୍ତୀ ଓ ଅଶ୍ୱରେ ପରିପୂର୍ଣ୍ଣ । ପ୍ରାତଃକାଳରୁ ରାଜକୁମାରମାନଙ୍କର ଶ୍ରେଣୀବଦ୍ଧ ଭାବରେ ଅଶ୍ୱସଞ୍ଚାଳନ ଗୋଟିଏ ଦ୍ରଷ୍ଟବ୍ୟ ବସ୍ତୁ ।

 

ତାଳଚେର ସହରରେ ଆଧୁନିକ ଯୁଗୋପଯୋଗୀ ସର୍ବବିଧ ପ୍ରତିଷ୍ଠାନ ଆତ୍ମପ୍ରକାଶ କରୁଅଛି । ଫୁଟବଲଖେଳର ସୁବିସ୍ତୃତ ପ୍ରାନ୍ତର ବିନୋଦ ଉଦ୍ୟାନର ଏକାଂଶରେ ଅବସ୍ଥିତ । ହିନ୍ଦୁଙ୍କର ଦେଉଳବାଜି ଏବଂ ମୁସଲମାନଙ୍କର ମସଜିଦ୍, ବାଳିକା ବିଦ୍ୟାଳୟ, ଥିଏଟର, କ୍ଲବ, ଛାପାଖାନା, ଟେଲିଗ୍ରାଫ ଅଫିସ, ପ୍ରଭୃତି ସହରର ଏକାଂଶରେ ଏବଂ ବ୍ରାହ୍ମଣୀ ନଦୀ ତୀରରେ ଡାକ୍ତରଖାନା, ହାଇସ୍କୁଲ ଏବଂ ଏହାର ଛାତ୍ରାବାସ, ଶିକ୍ଷକବର୍ଗ ତଥା ଉଚ୍ଚପଦସ୍ତ ରାଜ କର୍ମଚାରୀବୃନ୍ଦଙ୍କର ଆବାସ ସମୂହର ଚମତ୍କାର ବ୍ୟବସ୍ଥା ପ୍ରତ୍ୟେକଙ୍କ ମନରେ ଅଦ୍‌ଭୂତ ଆନନ୍ଦ ଜନ୍ମାଇ ଦେଇଥାଏ । ଏ ସମସ୍ତହିଁ ରାଜା କିଶୋରଚନ୍ଦ୍ରଙ୍କର ଶାସନ ସମୟରେ ପ୍ରତିଷ୍ଠିତ ।

 

ତାଳଚେର ରାଜବାଟୀରେ ଆଧୁନିକ ବିଳାସ-ବହୁଳ ସାଜସଜ୍ଜାର ଉପକରଣ ଅତିକମ୍-। ଏଠାରେ ନିଜ ରାଜ୍ୟର ପ୍ରଜାମାନଙ୍କର ହସ୍ତନିର୍ମିତ ଉପକରଣ ସମୂହ ତଥା ରାଜା ଏବଂ ରାଜବଂଶୀୟମାନଙ୍କର ଶିକାରରଫଳସ୍ୱରୂପ ଅଜସ୍ର ଜନ୍ତୁମାନଙ୍କର ଓ ଦେହାଂଶସ୍ତରେ ସ୍ତରେ ସୁବିନ୍ୟସ୍ତ ଭାବରେ ସଜ୍ଜିତ । ବିଦେଶୀୟ ବିଳାସ ସଜ୍ଜାରେ ଗୃହଶୋଭା ବର୍ଦ୍ଧନର ରାଜାଙ୍କର ପ୍ରକୃତି ବିରୁଦ୍ଧ । ତାଳଚେର ରାଜବାଟୀକୁ ଗୋଟିଏ ଯାଦୁଘର (Museum) କହିଲେ ଅତ୍ୟୁକ୍ତି ହେବନାହିଁ । ଆଧୁନିକ ସଜ୍ଜାର ଉପକରଣ ସହିତ ବିବିଧ ଜନ୍ତୁମାନଙ୍କର ଶିଙ୍ଗ, ବିବିଧ ଜନ୍ତୁସମୂହର ଚମଡ଼ା ଓ ମୁଣ୍ଡ, ପ୍ରାଚୀନ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରଭୃତିର ଏକତ୍ର ସମାବେଶ ଦର୍ଶକକୁ ପୁଲକ-ସ୍ତବ୍ଧ କରି ଦେଇଥାଏ । ମୃତଶିଶୁ ହସ୍ତୀର ସମସ୍ତ ଅବୟବ ଗଣ୍ଡାରର ମୁଣ୍ଡ, ଜଙ୍ଗଲ ମଧ୍ୟରୁ ମହାବଳ ବ୍ୟାଘ୍ର ହଠାତ୍ ବାହାରି ଆସୁଥିବାର ଦୃଶ୍ୟ ପ୍ରଭୃତି ଏଠାରେ ସୁଲଭ । ଏହି ରାଜବାଟୀର ଏକାଂଶରେ ୧୮୦୦ ଫୁଟଲମ୍ବ ଏବଂ ୫୦ ଫୁଟ ଚଉଡ଼ାର ଗୋଟିଏ ବିଶାଳ ପକ୍ଷୀଶାଳା ରହିଅଛି-। ଏଥିରେ ପକ୍ଷୀଗୁଡ଼ିକ ନିର୍ଭୟରେ ବିଚରଣ କରୁଅଛନ୍ତି । ଦେଶୀୟ ପକ୍ଷୀମଧ୍ୟରେ ନାନାପ୍ରକାର ଶୁଆ, କପୋତ, ମୟୂର, ଗୋବରା, ହରଡ଼, ସୁନିଆ, ବାରମାସି, ବାଲିଚୁଇଁ, ଫୁଲଚୁଇଁ, ଗୁଣ୍ଡିର, ଫିରିଡ଼ି, ଟିଙ୍କୁଳିଆ ପ୍ରଭୃତି ପକ୍ଷୀଗୁଡ଼ିକ ଏବଂ ଜାପାନ, ଚୀନ, ଜାଭା, ଓ ମାଲୟ ଦେଶରୁ ବହୁବ୍ୟୟରେ ଆନୀତ ନିମ୍ନପ୍ରକାରର ପକ୍ଷୀସମୂହ ଏହି ପକ୍ଷୀଶାଳାରେ ଶୋଭା ବର୍ଦ୍ଧନ କରୁଅଛନ୍ତି:-

 

Cocktail, Arqusphesant, Reeves pheasant, Chuephesasant, Swinhol pheasant, Monal pheasant, Amberst pheasant, Starpheasant, Peacock pheasant, Mikado pheasant, Gold pheasant, Diamond Dove, Bhouger winiged dove, Tanbawin dove, Tragopain pheasant, White crasted Kalij pheasant. Creasted fire back pheasant,

 

ଏହି ପକ୍ଷୀ ଗୁଡ଼ିକର ପକ୍ଷୀ ସମୂହର ଅପୂର୍ବ ଓ ମନୋହର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୁଗ୍ଧକରି ଦେଇଥାଏ । ସମସ୍ତ ପକ୍ଷୀଙ୍କର ସର୍ବ ପ୍ରକାର ତତ୍ତ୍ୱାବଧାରଣ ସ୍ୱୟଂ ରାଜା କିଶୋରଚନ୍ଦ୍ର କରନ୍ତି ଏବଂ ସେ ସ୍ୱହସ୍ତରେ ପ୍ରତ୍ୟହ ପ୍ରଭାତରେ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରିଥାଆନ୍ତି ।

 

ରାଜବାଟୀର ଅନତିଦୂରରେ ରାଜ କଚେରୀ ଅବସ୍ଥିତ । ଏହି କଚେରୀରେ ବହୁମୁଖୀ ବିଚାର ବିଭାଗର ବ୍ୟବସ୍ଥା ରହିଅଛି । ରାଜାଙ୍କର, ଯୁବରାଜଙ୍କର ଏବଂ ପଟ୍ଟାୟତ୍‌ଙ୍କର ଅଦାଲତ, ଜର୍ଜ, ମାଜିଷ୍ଟ୍ରଟ ଏବଂ ତହସିଲଦାରଙ୍କର ଅଦାଲତ ସହିତ ଧର୍ମ୍ମଅଦାଲତ ନାମରେ ଗୋଟିଏ ବିଶିଷ୍ଟ ବିଚାର ବିଭାଗ ପ୍ରତିଷ୍ଠିତ । ପ୍ରଜାମାନଙ୍କର ସାମାଜିକ ତଥା ଧର୍ମ୍ମ ସମ୍ବନ୍ଧୀୟ କଳହ ପ୍ରଭୃତିର ବିଚାର ଏଠାରେ ହୋଇଥାଏ । ଧର୍ମ୍ମ ସମ୍ବନ୍ଧୀୟ ଅଦାଲତ ରାଜ-ପୂରୋଧାଙ୍କ ଦ୍ୱାରା ପରିଚାଳିତ । ଏହା ତାଳଚେରରାଜ୍ୟର ଅନ୍ୟତମ ବିଶେଷତ୍ୱ ।

 

ଏହି କଚେରୀରେ ଆଉ ଗୋଟିଏ ବିଶେଷତ୍ୱ ସୁପରିସ୍ଫୁଟ । ରାଜା କିଶୋରଚନ୍ଦ୍ର, ଯୁବରାଜ ହୃଦୟଚନ୍ଦ୍ର, ପଟ୍ଟାୟତ୍‌ପ୍ରମୋଦଚନ୍ଦ୍ର ପ୍ରଭୃତି ବିଚାରବର୍ଗ ଇଂରାଜୀ ଭାଷାରେ ସମଧିକ ଦକ୍ଷ ଥିଲେହେଁ ବିଚାର ସମୟରେ ଜବାନବନ୍ଦୀଠାରୁ ରାୟ ପର୍ଯ୍ୟନ୍ତ ସମସ୍ତ ଓଡ଼ିଆ ଭାଷାରେ ଲେଖିଥାଆନ୍ତି କେବଳ ସେସ୍‌ନସ୍‌ମୋକଦ୍ଦମାର (ଦୌରା ମୋକଦ୍ଦମା) ଜବାନବନ୍ଦୀ ଓ ରାୟ ଗୁଡ଼ିକହିଁ ଇଂରାଜୀରେ ଲିଖିତ ହୁଏ । ମାତ୍ର ଇଂରାଜୀ ଶିକ୍ଷିତଙ୍କ ପକ୍ଷରେ ଓଡ଼ିଆ ଭାଷାରେ ରାୟ ଲେଖିବା କଷ୍ଟକର; ଏହା ବହୁକ୍ଷେତ୍ରରେ ପ୍ରମାଣିତ ହୋଇଅଛି । ଓଡ଼ିଆ ଭାଷାରେ ସର୍ବଶେଷ ପ୍ରତିପତ୍ତ ନଥିଲେ ସେଥିରେ ରାୟ ଲେଖିବା ଇଂରାଜୀ ଭାଷାଭଳି-ସହଜ ହୁଏନାହିଁ । କିଛିକାଳ ଅଭ୍ୟାସ ଉତ୍ତାରୁ ନିଜ ଭାଷାର ମୌଳିକତା ଆପେ ଆପେ ଆସିଗଲେ ରାୟ ଦେବାର ସ୍ୱାଚ୍ଛନ୍ଦ୍ୟ ଆସିଯାଏ । ହିନ୍ଦୋଳ ବ୍ୟତୀତ ତାଳଚେର ରାଜ୍ୟର ଓଡ଼ିଆ ଭାଷାପ୍ରତି ଏଭଳି ସମ୍ମାନ ଓ ସମାଜର ଆଉ କୌଣସିଠାରେ ଥିବାର ଲେଖକ ଜାଣେନାହିଁ । ତାଳଚେର ଓ ହିନ୍ଦୋଳର ଏହି ଓଡ଼ଆ ପ୍ରୀତି ଅନୁସରଣ କରିବା ସମସ୍ତଙ୍କର କର୍ତ୍ତବ୍ୟ । ନିଜର ମାତୃଭାଷା ପ୍ରତି ବ୍ୟକ୍ତିବିଶେଷ ତଥା ଜନସାଧାରଣର ପୂର୍ଣ୍ଣଦୃଷ୍ଟି ନିକ୍ଷିପ୍ତ ହେଲେ ଭାଷାର ମହତ୍ତ୍ୱବୃଦ୍ଧିର ସମ୍ଭାବନା ।

 

ରାଜା ମହୋଦୟଙ୍କ କଚେରୀ କକ୍ଷରେ ଲେଖା ଯାଇଥିବା Supreme Court ଶବ୍ଦ ଲେଖକ ମନରେ ବହୁବର୍ଷର ପୂର୍ବର ସ୍ମୃତି ଜାଗ୍ରତ କରିଦେଲା । ଗଭର୍ଣ୍ଣମେଣ୍ଟଙ୍କର ହାଇକୋର୍ଟ ସ୍ଥାପନ ପୂର୍ବରୁ ଉଚ୍ଚତମ ବିଚାରାଳୟ Supreme Court ନାମରେ ଅଭିହିତ ହେଉଥିଲା ।East India Company ଙ୍କ ସମୟରେ Waren Hastings ଯେତେବେଳେ Supreme Court ରେ ସୁପ୍ରସିଦ୍ଧ ମହାରାଜା ନନ୍ଦକୁମାରଙ୍କର ବିଚାର ହୋଇଥିଲା ଏହା ଇତିହାସ ପ୍ରସିଦ୍ଧ ଘଟଣା ।

 

ଘରୋଇ ଅଦାଲତ ପୁଣି ଆଉ ଗୋଟିଏ ବିଶେଷତ୍ୱ । ସର୍ବଦା ସୁଲଭ ଦର୍ଶନ ରାଜା କିଶୋରଚନ୍ଦ୍ରଙ୍କର ଏହି ଘରୋଇ ଅଦାଲତ ଗୋଟିଏ ଦର୍ଶନୀୟ ବସ୍ତୁ । ରାଜା ମହୋଦୟଙ୍କର ବିଶ୍ରାମ ଗୃହର ବରନ୍ଦାରେ ବିଧବା, ବୃଦ୍ଧ, ଶିଶୁ, ଦୁଃଖୀ ପ୍ରଭୃତି ନିର୍ଭୟରେ ବସିଥାଆନ୍ତି ଏବଂ ରାଜ ଦର୍ଶନ ମାତ୍ରେ ନିଜର ଦୁଃଖ କାହାଣୀ ବର୍ଣ୍ଣନା କରି ରାଜାସାହେବଙ୍କର ନିଷ୍ପତ୍ତି ପ୍ରତୀକ୍ଷାରେ ରହିଥାଆନ୍ତି । ରାଜାମହୋଦୟ ମଧ୍ୟ ସଙ୍ଗେ ସଙ୍ଗେ ସବୁ ଶୁଣି ନିଷ୍ପତ୍ତି କରିଦେବାରେ ଚିରାଭ୍ୟସ୍ତ । ରାଜାମହୋଦୟଙ୍କର ଘୋଡ଼ା କିମ୍ବା ମୋଟର ଗାଡ଼ିରେ ଭ୍ରମଣ ସମୟରେ ସମସ୍ତଙ୍କର ଅଭାବ ଓ ଅଭିଯୋଗ ଭୁରି ଭୁରି ହୋଇ ରାଜାଙ୍କର କର୍ଣ୍ଣରେ ପହଁଞ୍ଚିଯାଏ ଏବଂ ସଙ୍ଗେ ସଙ୍ଗେ ସେ ଗୁଡ଼ିକର ନିଷ୍ପତ୍ତି ଓ ପ୍ରତିକାରର ବ୍ୟବସ୍ଥା ମଧ୍ୟ ହୋଇଥାଏ ।

 

ରାଜନୀତି ସହିତ ଲେଖକର କୌଣସି ସମ୍ପର୍କ ନଥିଲେହେଁ ରାଜନୀତି ସମ୍ବନ୍ଧରେ କେତେକ କଥା କହିବାକୁ ଲେଖକ ଏଠାରେ ବାଧ୍ୟ । ତାଳଚେର ରାଜ୍ୟର କ୍ଷେତ୍ରଫଳ ବର୍ଗ ୩୯୯ ମାଇଲ ଏବଂ ପୂର୍ବାଞ୍ଚଳ ରାଜ୍ୟ ସମୂହ ( Eastern States Agency ) ମଧ୍ୟରେ ଏହା ଦ୍ୱିତୀୟ ଶ୍ରେଣୀର ରାଜ୍ୟରୂପେ ପରିଚିତ ହେଲେହେଁ ପ୍ରଥମ ଶ୍ରେଣୀର ରାଜ୍ୟମାନ ବ୍ୟବସ୍ଥାଠାରୁ ମହତ୍ତ୍ୱଶାଳୀ ହୋଇଅଛି, ତାହା ରାଜ୍ୟର ସମସ୍ତ ପ୍ରତିଷ୍ଠାନ ପୁଙ୍ଖାନୁପୁଙ୍ଖରୂପେ ନଦେଖିଲେ ବୁଝି ହେବନାହିଁ । କବିଗୁରୁ ରାଧାନାଥ ସ୍ଥାନ ବିଶେଷରେ ଲେଖିଅଛନ୍ତି:-

 

‘‘ତୋ କୃପା ବିହୁନେ ଉତ୍କଳ ମାତାର

ନାମଖ୍ୟାତି ଗ୍ରନ୍ଥେ ପଡ଼ିନାହିଁ ଗାର ।’’

 

ଏହି ହିସାବରେ ଭାରତବର୍ଷରେ ଗୋ ୨୪ଟି ରାଜ୍ୟ ତାଳଚେର ରାଜ୍ୟଠାରୁ କ୍ଷୁଦ୍ର ହୋଇସୁଦ୍ଧା ସ୍ଥାୟୀ ଭାବରେ ଉଚ୍ଚ ରାଜନ୍ୟମଣ୍ଡଳ ସଭାରେ ଅଧିଷ୍ଠିତ । ଏହି ସମସ୍ତ ରାଜ୍ୟ ମଧ୍ୟରେ ଓ୍ୟାଧୁଆନ, ରାଜକୋଟ, ଲିମଡ଼ି, ମଧୌଲ, କାମ୍ବେ, ପଲିତାନା, ବେଗନାପଲ୍ଲୀ ପ୍ରଭୃତି ରାଜ୍ୟ ସମୂହ ଅଧିକାଂଶଙ୍କର ସୁପରିଚିତ ।

 

ତାଳଚେର ରାଜ୍ୟର ପୂର୍ତ୍ତବିଭାଗରେ ସାନବଡ଼ ଯେତେକାର୍ଯ୍ୟ ହୋଇଅଛି ଓ ହେଉଅଛି ତହିଁର ବିସ୍ତୃତ ବର୍ଣ୍ଣନାର ସ୍ଥାନ ତାଳଚେର ରାଜ୍ୟର ବାର୍ଷିକ ବିବରଣୀରୁ ଦ୍ରଷ୍ଟବ୍ୟ । ଏଠାରେ କେବଳ ଏତିକି କହିଲେ ଯଥେଷ୍ଟହେବ ଯେ ବର୍ଗ ୩୯୯ ମାଇଲ ପରିମିତ ରାଜ୍ୟ ମଧ୍ୟରେ ୨୧ ମାଇଲ ସଡ଼କ ନିର୍ମିତ ହୋଇଅଛି ଏଥି ମଧ୍ୟରେ ଗ୍ରାମ୍ୟ କଚ୍ଚା ସଡ଼କ ଓ ବାକୀ ଅଂଶତକ ପକ୍କା ସଡ଼କ । ଏ ଗୁଡ଼ିକ ସାଧାରଣଙ୍କର ବ୍ୟବହାରକୁ ସର୍ବଦା ପ୍ରୟୋଜନ । ତାଳଚେରରେ ରାଜ୍ୟ ଶାସନ ସଂକ୍ରାନ୍ତ ସମସ୍ତ ବିଭାଗର ବର୍ଣ୍ଣନା ଏଠାରେ ନିଷ୍ପ୍ରୟୋଜନ । କେବଳ ଗୋଟିଏ ଦିଓଟି ବିଭାଗ ଉଲ୍ଲେଖ ଏଠାରେ ଅସଙ୍ଗତ ହେବନାହିଁ । ରାଜା କିଶୋରଚନ୍ଦ୍ରଙ୍କ ଶାସନ ଗ୍ରହଣର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ୧୯୦୧ ସାଲରେ ତାଳଚେର ରାଜ୍ୟର ବାର୍ଷିକ ସର୍ବ ପ୍ରକାର ଆୟର ମୋଟ ପରିମାଣ ୮୨୩୫୩ ଟଙ୍କା ରହିଥିଲା, ମାତ୍ର ୧୯୩୬ ସାଲରେ ମୋଟ ଆୟ ୬୫୭୧୧୪ ଟଙ୍କା ହୋଇଅଛି । ଏଠାରେ ଏତିକି ବକ୍ତବ୍ୟ ଯେ ବିଗତି ୩୫ ବର୍ଷ ବ୍ୟାପୀ ରାଜା କିଶୋରଚନ୍ଦ୍ରଙ୍କର ଅକଥନୀୟ ପରିଶ୍ରମ, ଅପରିସୀମ ଉତ୍ସାହ ଏବଂ ନାନା ବିଭାଗରେ ଅପରିମିତ ଉନ୍ନତି ସାଧନର ଉଦ୍ୟୋଗ ଏହାର କାରଣ ରୂପେ ବିଦ୍ୟମାନ । ରାଜା କିଶୋରଚନ୍ଦ୍ର ସବୁବେଳେ କବିବାଣୀ ସ୍ମରଣକରନ୍ତି, ସେ ‘‘ଜମା ଅନୁରୂପେ ବ୍ୟୟଲାଗି ଦାୟୀ ।’’ ଏ ଗୁଡ଼ିକ ରାଜ୍ୟର ଶିକ୍ଷା ବିଭାଗ, ଦେବୋଭର ବିଭାଗ, ପୂର୍ତ୍ତ ଓ ସେଚ ବିଭାଗ, ଚିକିତ୍ସା ବିଭାଗ, ଏବଂ ଦାତବ୍ୟ ବିଭାଗର ବ୍ୟୟ ସମୂହରୁ ସ୍ପଷ୍ଟୀକୃତ ।

 

ତାଳଚେର ଶିକ୍ଷା ବିଭାଗର ସର୍ବୋଚ୍ଚ ପରିଦର୍ଶକ ରାଜା ସେକ୍ରେଟରୀ ବାବୁ ଜଗନ୍ମୋହନ ମିଶ୍ର ଏହାଙ୍କ ଅଧୀନରେ ସ୍କୁଲ ସମୂହର ସବ୍ଇନ୍ସପେକ୍ଟର ବାବୁ ଲକ୍ଷ୍ମଣ ମିଶ୍ର, ଏମାନଙ୍କର ତତ୍ତ୍ୱାବଧାନରେ ତାଳଚେର ଶିକ୍ଷା ବିଭାଗ ଆଶାତିରିକ ଉନ୍ନତି କରିଅଛି । ନିରଳସ କର୍ମୀ ବାବୁ ଲକ୍ଷ୍ମଣ ମିଶ୍ରଙ୍କ ପ୍ରଚେଷ୍ଟାରେ ସ୍କୁଲ ଗୁଡ଼ିକର କାର୍ଯ୍ୟ କଳାପ ସୁଚାରୁରୂପେ ପରିଚାଳିତ ହେଉଅଛି । ପ୍ରାଥମିକ ଶିକ୍ଷା ପଦ୍ଧତିର ବିଶେଷତ୍ୱ ତାଳଚେରରାଜ୍ୟରେ ସୁପରିସ୍ପୁଟ । ଏହି ପ୍ରାଥମିକ ଶିକ୍ଷାରେ ଶିଶୁ ଶ୍ରେଣୀଠାରୁ ଉଚ୍ଚପ୍ରାଇମେରୀ ପର୍ଯ୍ୟନ୍ତ ୫ବର୍ଷ ଯେଉଁ ଶିକ୍ଷା ପ୍ରଦତ୍ତ ହୁଏ ତହିଁରେ ଛାତ୍ର ଛାତ୍ରୀମାନଙ୍କୁ ତାଳଚେର ରାଜ୍ୟର ସଂକ୍ଷିପ୍ତ ଇତିହାସ ଓ ଭୂଗୋଳ ଶିକ୍ଷା ବାଧ୍ୟତାମୂଳକରୂପେ ନିର୍ଦ୍ଦିଷ୍ଟ ରହିଅଛି । ପୁସ୍ତକ ପଠନ ବ୍ୟତୀତ କାର୍ଯ୍ୟକାରୀ ଶିକ୍ଷା ପ୍ରଦାନ ସକାଶେ ତାଳଚେର ଶିକ୍ଷା ବିଭାଗ ସଚେଷ୍ଟ । ଏହି ହେତୁରୁ ତାଳଚେର ଗଡ଼ରେ ପୂର୍ତ୍ତ ବିଭାଗ ଅଧୀନରେ ଗୋଟିଏ କାର୍ଯ୍ୟ ଶିକ୍ଷାଳୟ (Work Shop) ପ୍ରାୟ ୩୦ବର୍ଷ ହେଲା ରାଜା କିଶୋରଚନ୍ଦ୍ରଙ୍କ ଦ୍ୱାରା ସ୍ଥାପିତ । ଏଥିରେ ବ୍ୟବସାୟଗତ ଶିକ୍ଷା ଦେବାର ଯଥେଷ୍ଟ ସୁଯୋଗ ରହିଥିବାରୁ ସୁନା, ରୂପା, କାଠ, ଲୁହା ଦ୍ରବ୍ୟାଦିର କାରିଗରମାନେ ଏବଂ ମୋଚି ଦରଜୀ ପିଲାମାନେ ପିଲାଦିନରୁ ସେମାନଙ୍କର ନିଜ ଅଭିଭାବକମାନଙ୍କ ଠାରୁ ସ୍ୱ ସ୍ୱ ଜୀବିକା ନିର୍ବାହୋପଯୋଗୀ ଶିକ୍ଷାଲାଭ କରୁଅଛନ୍ତି । ସର୍ବୋପରି ଏହି ବିଭାଗର ଗୋଟିଏ ପ୍ରଧାନ ବିଶେଷତ୍ୱ ଏହି ଯେ ରାଜା କିଶୋରଚନ୍ଦ୍ର ନିମ୍ନ ପ୍ରାଇମେରୀ ଶିକ୍ଷକମାନଙ୍କର କାର୍ଯ୍ୟକାଳ ଶେଷରେ ପେନ୍ସନଦେବାର ବ୍ୟବସ୍ଥା କରିଅଛନ୍ତି, ଯାହା ସୁସଭ୍ୟ ମୋଗଳବନ୍ଦୀ ପ୍ରଦେଶରେ ସୁଦ୍ଧାନାହିଁ ।

 

ତାଳଚେର ରାଜ୍ୟର ରାଜା କିଶୋରଚନ୍ଦ୍ରଙ୍କର ସ୍ଥାପିତ ଉକ୍ତ ଇଂରାଜୀ ବିଦ୍ୟାଳୟ ସମ୍ବନ୍ଧରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଏହି ବିଦ୍ୟାଳୟରୁ ୧୯୩୬ ମସିହାରେ ଯେତେଛାତ୍ର ମ୍ୟାଟ୍ରିକ୍ୟୁଲେଶନ ପରୀକ୍ଷାର୍ଥ ପ୍ରେରିତ ହୋଇଥିଲେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଅଛନ୍ତି ! ଏହି ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାୟଶଃ ପ୍ରତିବର୍ଷ ଏହି ରୀତିରେ ଫଳ ଦେଖାଇ ଆସୁଥିବାରୁ ତାଳଚେର ଶିକ୍ଷା ବିଭାଗ ଧନ୍ୟବାଦାର୍ହ । ଏହାର ପ୍ରଧାନ ଶିକ୍ଷକ ବାବୁ ଶଙ୍କରତ୍ରିପାଠୀ ବି, ଏ, ମହାଶୟ ତାହାଙ୍କର ନିଷ୍ଠାପର କାର୍ଯ୍ୟ କଳାପ ସକାଶେ ପ୍ରକୃତ ସାଧୁବାଦ ପ୍ରାପ୍ତିର ଅଧିକାରୀ ।

 

ତାଳଚେର ଶିକ୍ଷା ବିଭାଗଅଧୀନରେ ଏକଗୋଟି ଉଚ୍ଚ ଇଂରାଜୀ ବିଦ୍ୟାଳୟ (High school) ବ୍ୟତୀତ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ (Middle school) ୧୧ ଗୋଟି ଉଚ୍ଚ ପ୍ରାଇମେରୀ, ୬୨ ଗୋଟି ନିମ୍ନ ପ୍ରାଇମେରୀ ସ୍କୁଲ ରହିଅଛି, ଏତଦ୍‌ବ୍ୟତୀତ ଉଚ୍ଚପ୍ରାଇମେରୀ ପଠନୋପଯୋଗୀ ବାଳିକା ସ୍କୁଲ ଏକଗୋଟି; ମୁସଲମାନ ଛାତ୍ରଙ୍କ ସକାଶେ ଗୋଟିଏ ମକ୍ତାବ ଏବଂ, ପାଣମାନଙ୍କ ସକାଶେ ଗୋଟିଏ ସ୍କୁଲ ମଧ୍ୟ ରହିଅଛି । ପୁରୁଷାନୁକ୍ରମେ ସଂସ୍କୃତ ସାହିତ୍ୟରେ ସମାଜର ଏ ରାଜ୍ୟରେ ରହିଥିବାରୁ ସଂସ୍କୃତଟୋଲ ଗୋଟିଏ ମଧ୍ୟ ସୁପରିଚାଳିତ ହେଉଅଛି ।

 

ତାଳଚେର ରାଜ୍ୟର ଦେବୋତ୍ତର ବିଭାଗର ଆୟ ପ୍ରାୟ ୧୫୦୦୦ଟଙ୍କା; ସୁତରାଂ ଗୋଟିଏ ଜମିଦାରୀର ଆୟ ସଦୃଶ । ଦେବୋତ୍ତର ବିଭାଗର ଦେବୋଦ୍ଦେଶ୍ୟରେ ଦତ୍ତ ଗ୍ରାମସମୂହ ଯାହା ସାମୟିକ କୋର୍ଟଅର୍ଫ୍ ଓ୍ୟାର୍ଡ଼ସ ଶାସନ ସମୟରେ ଉଚ୍ଛେଦୋନ୍ମୁଖୀ ହୋଇଥିଲା । ତାହା ରାଜା କିଶୋରଚନ୍ଦ୍ରଙ୍କ ଫେରାଇଦେବା ହେତୁରୁ ଏହି ବିଭାଗ ଆତ୍ମନିର୍ଭରଶୀଳ ହୋଇଅଛି । ଏହି ବିଭାଗ ସ୍ୱର୍ଗୀୟ ପଣ୍ଡିତ ଘନଶ୍ୟାମ କବିଭୂଷଣଙ୍କ ଦ୍ୱାରା କିପରି ସୁପରିଚାଳିତ ହୋଇଥିଲା ଏବଂ ତାହାଙ୍କର ବିୟୋଗ ଉତ୍ତାରୁ ତଦୀୟ ଜ୍ୟେଷ୍ଠାତ୍ମଜ ବାବୁ ଜଗନ୍ମୋହନ ମିଶ୍ରଙ୍କ ଦ୍ୱାରା ସେହିପରି ଚାଳନ ଯଥାଯଥଭାବରେ ରକ୍ଷିତ ହେଉଅଛି, ତାହା ଏ ରାଜ୍ୟର ଅନେକ ନୂତନ ମନ୍ଦିର ନିର୍ମ୍ମାଣ ଓ ଅନେକ ପୁରାତନ ମନ୍ଦିର ମରାମତିରୁ ସୁସ୍ପଷ୍ଟରୂପେ ସୁଚିତ । ଏଥି ମଧ୍ୟରୁ ଧର୍ମପୁର, ଶିବରାମପୁର, ପଦ୍ମନାଭପୁର, କଙ୍କିଳ ପ୍ରଭୃତି ଗ୍ରାମରେ ନୂତନ ମନ୍ଦିର ସମୂହ ନିର୍ମ୍ମାଣ ଏବଂ ବଜ୍ରକୋଟ ଗ୍ରାମର ଭୃଙ୍ଗେଶ୍ୱର; ବଲାଙ୍ଗି ଗ୍ରାମର ବାଲୁଙ୍କେଶ୍ୱର, ତାଳଚେର ଗଡ଼ର ଚିତ୍ରକୁଟବିହାରୀ ରାମଚନ୍ଦ୍ରଙ୍କର ଏବଂ ଗଡ଼ର ଉପକଣ୍ଠବର୍ତ୍ତୀ ପଶ୍ଚିମେଶ୍ୱର ମନ୍ଦିର ପ୍ରଭୃତିର ଜୀର୍ଣ୍ଣ ସଂସ୍କାର ପ୍ରଭୃତି ଉଲ୍ଲେଖ ଯୋଗ୍ୟ-। ଏ ସମସ୍ତ କାର୍ଯ୍ୟ ଯେ କେବଳ ଦେବୋତ୍ତର ବିଭାଗର ବ୍ୟୟରୁ ହୋଇଅଛି, ଏହାନୁହେ, ରାଜା କିଶୋରଚନ୍ଦ୍ର, ରାଣୀସାହେବା ଓ ରାଜମାତା ସାହେବାଙ୍କର ଆନୁକୂଲ୍ୟ ଓ ପର୍ଯ୍ୟାପ୍ତପରିମାଣରେ ଅର୍ଥ ସାହାର୍ଯ୍ୟ ଏହାର ହେତୁ ।

 

ଏହି ବିଭାଗର ଅନ୍ୟତମ ଏବଂ ପ୍ରଧାନତମ ବିଶେଷତ୍ୱ ଦୁଃଖୀ କଙ୍ଗାଳିମାନଙ୍କ ପାଇଁ ଅନ୍ନ ସଂସ୍ଥାନ ଏବଂ ସାଧାରଣଙ୍କର ବ୍ୟବସାୟ ବୃଦ୍ଧି ସକାଶେ ଚେଷ୍ଟା । ଏହି ବିଭାଗ ଦ୍ୱାରା ଗୋଟିଏ ଅନାଥାଶ୍ରମ ତାଳଚେର ଗଡ଼ରେ ପରିଚାଳିତ ହେଉଅଛି ।

 

ତାଳଚେର ଛାପାଖାନା ୧୯୦୨ ସାଲରେ ରାଜା କିଶୋରଚନ୍ଦ୍ରଙ୍କର ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏଣୁ ଏହାର ନାମ କିଶୋର ପ୍ରେସ ହୋଇଅଛି । ଏହି ପ୍ରେସ ପ୍ରତିଷ୍ଠା ସମୟରେ ଅନୁଶୀଳ ହୋଇ ଲେଖକ ଅନେକ କାର୍ଯ୍ୟ ସମ୍ପନ୍ନ କରିଥିଲା । ସେତେବେଳେ ଲେଖକର ‘ରାୟ ପ୍ରେସ’ ନାମକ ଗୋଟିଏ ପ୍ରେମ ରହିଥିବାରୁ ପ୍ରେସ ପରିଚାଳନର ଯଥେଷ୍ଟ ଅଭିଜ୍ଞତା ଲେଖକ ଅର୍ଜ୍ଜନ କରିଥିଲା । ଏହି କିଶୋର ପ୍ରେସର ବର୍ତ୍ତମାନ ପ୍ରଭୃତ ଉନ୍ନତି ହୋଇଅଛି ଏବଂ ‘ଗଡ଼ଜାତ-ବାସୀନୀ’ ନାମକ ସାପ୍ତାହିକ ସମ୍ବାଦ ପତ୍ର ଯଥାନିୟମରେ ପରିଚାଳିତ ହେଉଅଛି ।

 

ରାଜ କର୍ମଚାରୀମାନେ ମଧ୍ୟରୁ କେତେକ ରାଜ ବଂଶୀୟଙ୍କ ଦ୍ୱାରା ରାଜକାର୍ଯ୍ୟ ପରିଚାଳନ ତାଳଚେର ଅନ୍ୟତମ ବିଶେଷତ୍ୱ । ଏଥି ମଧ୍ୟରୁ ସାମନ୍ତ କେଶବଚନ୍ଦ୍ର ଦେବ ହଜାରିବାଗ ପୋଲିଶ ଟ୍ରେନିଂ ସ୍କୁଲରେ ରୀତିମତ ଶିକ୍ଷାପ୍ରାପ୍ତ ହୋଇ କଲିକତା ସି, ଆଇ, ଡ଼ି, ବିଭାଗରେ ଜାମସେଦପୁରରେ ପୋଲିଶ ବିଭାଗରେ ଏବଂ ସର୍ବଶେଷରେ ସମ୍ବଲପୁରରେ ଅବୈତନିକ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ଭାବରେ ଶିକ୍ଷିତ ହୋଇ ବର୍ତ୍ତମାନ ତାଳଚେର ରାଜ୍ୟର ସର୍ବପ୍ରଧାନ ପୋଲିଶ କର୍ମଚାରୀରୂପେ ସୁପ୍ରତିଷ୍ଠିତ । (ତାଳଚେର କୋଇଲାଖଣିର କୁଲିମାନେ ନାନା ଦେଶରୁ ଆସିଅଛନ୍ତି । ଏମାନଙ୍କ ସହିତ କିପରି ବ୍ୟବହାର କର୍ତ୍ତବ୍ୟ ଏ ବିଷୟରେ ଉପଯୁକ୍ତ ଶିକ୍ଷା ଏ ମହାଶୟ ଜାମସେଦପୁରର କାର୍ଯ୍ୟ କରିବା ସମୟରେ ପାଇଥିଲେ । ସୁତରାଂ ସବୁ ବିଷୟରେ ପୋଲିସ ବିଭାଗର ଏ ମହାଶୟ ସୁଯୋଗ୍ୟ ବ୍ୟକ୍ତି ଏହା ନିଃସନ୍ଦେହ ।)

 

ସାମନ୍ତ ମହେଶଚନ୍ଦ୍ର ଦେବ ଟ୍ରେଜରୀଅଫିସର ଏବଂ ଦ୍ୱିତୀୟଶ୍ରେଣୀ ମ୍ୟାଜିଷ୍ଟ୍ରେଟରୂପେ, କୈଳାସଚନ୍ଦ୍ର ସାମନ୍ତ ତହସିଲଦାରରୂପେ, ଉମେଶଚନ୍ଦ୍ର ସାମନ୍ତ ନାଜିରରୂପେ ଏବଂ ସୁରେଶଚନ୍ଦ୍ର ସାମନ୍ତ ସହକାରୀ ଅବକାରୀ କର୍ମ୍ମଚାରୀ ରୂପେ କର୍ତ୍ତବ୍ୟ ସମ୍ପନ୍ନ କରୁଅଛନ୍ତି । ମାତ୍ର ପ୍ରତ୍ୟେକଙ୍କର ଯଥାଯୋଗ୍ୟ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ରୂପ ତତ୍ତ୍ୱାବଧାରଣ ରାଜା କିଶୋରଚନ୍ଦ୍ର ସ୍ୱସ୍ତହରେ ରଖିଥିବାରୁ ଆଦୌ ବିଶୃଙ୍ଖଳା ନାହିଁ ।

 

ରାଜ ସାହଚର୍ଯ୍ୟରେ ଲେଖକ ଅନେକଥର ଭ୍ରମଣ କରି ଦେଖିଅଛି ଦୁଃସ୍ଥ ବ୍ୟକ୍ତିଙ୍କର ଅଭାବ ମୋଚନରେ ରାଜା ମହୋଦ୍ୱୟଙ୍କର ପ୍ରତ୍ୟହ ୧୦।୧୫ ଟଙ୍କାରୁ ୩୦।୪୦ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହୋଇଥାଏ । ରାଜାଙ୍କର ପକେଟ୍‌ରେ ସବୁବେଳେ ଗୋଟିଏ ଚମଡ଼ାର ଥଳି, ସେଥିରେ ଟଙ୍କା, ଅଧୁଲି, ସୁଉକି ଓ ପଇସା ପର୍ଯ୍ୟାପ୍ତପରିମାଣରେ ରହିଥାଏ । କାହାରି କୌଣସି ଦୁଃଖ ଶୁଣିଲାମାତ୍ରେ ସଙ୍ଗ ସଙ୍ଗେ ସେଥିରୁ ବ୍ୟୟିତ ହୋଇଥାଏ । ରାଜା ମହୋଦୟ ରୋଗୀର ଚିକିତ୍ସା ଓ ପରିଚର୍ଯ୍ୟା ସକାଶେ ସୁବ୍ୟବସ୍ଥା କରିବାକୁ ସର୍ବଦା ତତ୍ପର । ରାଜ କର୍ମ୍ମଚାରୀବୃନ୍ଦଙ୍କର ଯେ କୌଣସି ଆତ୍ମୀୟ ଅସୁସ୍ଥହେଲେ ସଂବାଦ ରାଜ କର୍ଣ୍ଣରେ ପ୍ରବେଶମାତ୍ରେ ରାଜା ତାହାଙ୍କ ଘରକୁ ବିଜେହୋଇ ଚିକିତ୍ସା ଓ ପରଚର୍ଯ୍ୟାର ବ୍ୟବସ୍ଥା କରିଦେବାକୁ ସର୍ବଦା ଆଗ୍ରହାନ୍ୱିତ । ଲେଖକଥରେ ରାଜାଙ୍କ ସହିତ ମୋଟରରେ ଯାଉଥିବା ସମୟରେ ଦେଖିଲା ଗୋଟିଏ ୭୦ ବର୍ଷ ବୟସ୍କା କେଲୁଣିବୁଢ଼ୀ ଜ୍ୱରରେ ଅଜ୍ଞାନ ହୋଇ ମାର୍ଗପାର୍ଶ୍ୱରେ ପଡ଼ି ରହିଥିଲା । ରାଜା ତତକ୍ଷଣାତ୍ ଡାକ୍ତରଙ୍କୁ ସଂବାଦ ଦେଇ ସେଠାକୁ ଅଣାଇଲେ ଏବଂ ଚିକିତ୍ସା ଓ ପଥ୍ୟାଦିର ବ୍ୟବସ୍ଥା କରି ଅନତିଦୂରରେ ଥିବା ଗୋଟିଏ ଘରେ ତାହାର ରହିବାର ବ୍ୟବସ୍ଥା କରିଦେଲେ । ପରଦିନ ପୁନଶ୍ଚ ସେଠାକୁ ଆସି ସେହି ବୁଢ଼ୀର ତତ୍ତ୍ୱନେଲେ ଏବଂ ସେ ଜ୍ୱର ମୁକ୍ତ ହେବାକୁ ପ୍ରାୟ ଏକ ସପ୍ତାହ ଲାଗିଲା । ଏହି ଏକ ସପ୍ତାହ ପର୍ଯ୍ୟନ୍ତ ରାଜା ମହୋଦୟ ପ୍ରତ୍ୟହ ସେହି ମାର୍ଗରେ ମୋଟର ଚଳାଇ ତାହାର ତତ୍ତ୍ୱନେବାର ଦୃଶ୍ୟ ଲେଖକ ଦେଖି କୃତାର୍ଥ ହୋଇଗଲା । ମାର୍ଗରେ ମୋଟର ଯାଉଁ ଯାଉଁ ପ୍ରତ୍ୟେକ ସ୍ଥାନରେ ମୋଟର ଅଟକାଇ ପ୍ରତ୍ୟେକଙ୍କର ଗୁହାରି ଶୁଣି ତତ୍କାଳୀନ ପ୍ରତିକାର କରିବାରେ ରାଜା ମହୋଦୟ ସର୍ବଦା ଅଭ୍ୟସ୍ତ । ସଂସାରଯାହାକୁ ଦୁଶ୍ଚରିତ୍ରା ବୋଲି ଦୂରକୁ ତଡ଼ିଦିଏ ରାଜା ମହୋଦୟ ତାହାଙ୍କୁ ପୂନଶ୍ଚ ବିବାହ ଦେଇ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଯୁକ୍ତ କରି ସେମାନଙ୍କର ଭରଣ ପୋଷଣରେ ସାହାର୍ଯ୍ୟ କରିବା ରାଜା ମହୋଦୟଙ୍କର ନିତ୍ୟ ଅଭ୍ୟାସ । ଏଭଳି କାର୍ଯ୍ୟ ରାଜା ମହୋଦୟଙ୍କର ଶତ ଶତ । ଲେଖକ ଆଉ ଗୋଟିଏ କାର୍ଯ୍ୟ ଦେଖି ଚମକୃତ ହୋଇଅଛି। ଏଥି ମଧ୍ୟରେ ୬୨ ଜଣ ପିତୃମାତୃ ପରିତ୍ୟକ୍ତା ଅନାଥ ଶିଶୁ ପୁତ୍ର କନ୍ୟାଙ୍କୁ ଭିନ୍ନ ଭିନ୍ନ ସ୍ତ୍ରୀମାନଙ୍କ ଜିମାରେ ରଖାଇ ସେମାନଙ୍କର ଗ୍ରାସାଚ୍ଛ ଦିନର ବ୍ୟବସ୍ଥା କରାଇ ଦେଇଅଛନ୍ତି । ଲେଖକ ଏହି ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୧୦।୧୨ ଜଣଙ୍କୁ ସ୍ୱଚକ୍ଷୁରେ ଦେଖି ପୁଲକିତ ହୋଇଥିଲା । ଏତଦ୍‌ବ୍ୟତୀତ ଅନାଥ ବାଳିକାମାନଙ୍କର ବିବାହ ଦେଇ ସଂସାରୀ କରିବା ରାଜା ମହୋଦୟଙ୍କର ଗୋଟିଏ କର୍ତ୍ତବ୍ୟ ମଧ୍ୟରେ ପରିଗଣିତ । ଏହି କର୍ତ୍ତବ୍ୟରେ ଅନୁପ୍ରାଣିତ ହୋଇ ରାଜା ମହୋଦୟ ତାହାଙ୍କର ରାଜତ୍ୱ ସମୟ ମଧ୍ୟରେ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦୦ଜଣ ଅନାଥ ବାଳିକାର ବିବାହ ରାଜବାଟିରେ ସମ୍ପନ୍ନ କରିଅଛନ୍ତି ।

 

ଲେଖକ ଏହି ବିବାହ ସମ୍ବନ୍ଧୀୟ ଯୋଡ଼ିଏ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା । ଏଭଳି ଘଟଣା ଆମ୍ଭମାନଙ୍କ ଦେଶରେ କ୍ୱଚିତ୍‌ପ୍ରାୟ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ବିଲାତି ପ୍ରଭୃତି ଦେଶରେ ଏଭଳି ଘଟଣା ସମୟ ସମୟରେ ହେଉଥିବାର ସଂବାଦ ପତ୍ର ସମୂହ ଘୋଷଣା କରିଥାଆନ୍ତି । ଲେଖକ ଦେଖିଅଛି ଗୋଟିଏ ୯୨ବର୍ଷର ପାଣଜାତୀୟ ବିପନ୍ନାକ ବୃଦ୍ଧ ସହିତ ୭୪ ବର୍ଷୀୟପାଲୁଣୀ ବିଧବା ଏବଂ ସେହିପରି ଗୋଟିଏ ୭୦ ବର୍ଷର ବିପହ୍ନୀକ ଚଷା ସହିତ ୫୨ ବର୍ଷୀୟା ଚାଷୁଣୀ ବିବାହ ରାଜା କିଶୋରଚନ୍ଦ୍ର ଦେଇଅଛନ୍ତି, ଏବଂ ଏମାନେ ସୁଖ ସ୍ୱଚ୍ଛରେ ସଂସାର ଯାତ୍ରା ନିର୍ବାହ କରୁଅଛନ୍ତି । ବିଶେଷତଃ ୯୨ ବର୍ଷର ବୃଦ୍ଧଟି ସମ୍ପୂର୍ଣ୍ଣ ସବଳ ରହିଅହି ଏହା ଦେଖି ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବେ ଏହା ନିଃ ସନ୍ଦେହ । ଲେଖକ ଦେଖିଅଛି ଶତ ଶତ ବିବାହର ବ୍ୟୟ ସ୍ୱୟଂ ବହନ କରିସୁଦ୍ଧା ରାଜା କିଶୋରଚନ୍ଦ୍ର କୌଣସି ନୂତନ ବ୍ୟକ୍ତିକୁ ବିବାହର୍ଥୀରୂପେ ଦେଖିଲେ ତାହାର ବିବାହର ଅର୍ଦ୍ଧାଂଶ ବ୍ୟୟ ବହନ କରି ତାହାକୁ ରାଜ୍ୟର ପ୍ରଜାରୂପେ ରଖାଇବାର ସମସ୍ତ ବ୍ୟବସ୍ଥାକରନ୍ତି । ବିବାହ ଏବଂ ଘରଦ୍ୱାର ଗୁଷ ପ୍ରଭୃତିର ବ୍ୟବସ୍ଥା କରିଦେଲେ ସେ ଅନ୍ୟତ୍ର ଯିବିନାହିଁ, ଏହି କଥା ଭାଳି ରାଜା କିଶୋରଚନ୍ଦ୍ର ଯେ କୌଣସି ଲୋକକୁ ବିବାହ ଦେବାକୁ ସମତ୍ସୁକ-। ଏବଂ ବର୍ତ୍ତମାନ ସୁଦ୍ଧା ଅନେକ ବାଳିକାଙ୍କର ବିବାହରେ ଉଦ୍ୟୋଗୀ ରହିଅଛନ୍ତି ।

 

ରାଜା କିଶୋରଚନ୍ଦ୍ରଙ୍କଠାରେ ସ୍ନେହଶୀଳତା ମୂର୍ତ୍ତିମନ୍ତ ହୋଇ ସର୍ବଦା ଆତ୍ମପ୍ରକାଶ କରୁଅଛି । ଏହି ସ୍ନେହ ଶୀଳତା ଆତ୍ମୀୟ ସ୍ୱଜନଠାରୁ ଅନାତ୍ମୀୟ ପର ପର୍ଯ୍ୟନ୍ତ ସୁବିସ୍ତୃତ-ମନୁଷ୍ୟଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ଏହି ଅନାବିଳ ସ୍ନେହର ଅଧିକାରୀ । ରାଜବାଟିର ବ୍ୟବଧାନରେ ରାଜା ମହୋଦୟ ଆତ୍ମୀୟମାନଙ୍କ ସକାଶେ ଷାଠିଏ ସହସ୍ର ଟଙ୍କା ବ୍ୟୟରେ ‘ସାମନ୍ତ-ଆଶ୍ରମ’ ନିର୍ମ୍ମାଣ କରି ଦେଇଅଛନ୍ତି, ଏବଂ ଏହି ସାମନ୍ତମାନଙ୍କ ମଧ୍ୟରୁ ବର୍ତ୍ତମାନ କେତେଜଣଙ୍କୁ ଉଚ୍ଚ ଉଚ୍ଚ କର୍ମଚାରୀରୂପେ ନିଯୁକ୍ତ କରିଅଛନ୍ତି । ପ୍ରଜାସାଧାରଣ ତଥା ନାନା ଦେଶ ବିଦେଶରୁ ବ୍ୟକ୍ତିବର୍ଗ ରାଜା ମହୋଦୟଙ୍କ ସ୍ନେହଶୀଳତା ସବୁବେଳେ ଉପଭୋଗ କରିବାର ସୁବିଧା ପାଉଅଛନ୍ତି । ଲେଖକ ଏଠାରେ ଗୋଟିଏ ଦିଓଟି ଘଟଣାର ଉଲ୍ଲେଖ କରିବାକୁ ବାଧ୍ୟହେଲା ।

 

ଲେଖକର କଟକସ୍ଥ ଆବାସରେ ଥରେ ରାତ୍ରି ୪ଟା ସମୟରେ ଗୋଟିଏ ମୋଟର ଗାଡିର ଅତର୍କିତ ଆଗମନହେଲା । ସେତେବେଳେ ସମସ୍ତେ ନିଦ୍ରିତ । ଲେଖକ ମଧ୍ୟ ଶର୍ଯ୍ୟାରୁ ଉଠି ଦେଖିଲା ତାଳଚେରାଧୀଶ ରାଜା କିଶୋରଚନ୍ଦ୍ର ସ୍ୱୟଂ ବିଜେ ହୋଇଅଛନ୍ତି । ଏହି ଅସମୟରେ ଉପସ୍ଥିତ ହେବାର କାରଣ ଜିଜ୍ଞାସ କରିବାରୁ ରାଜା ମହୋଦୟ ଅମ୍ଳାନ ବଦନରେ କହିଲେ ‘‘କଲିକତାରୁ ଏକ୍ସପ୍ରେସ ଗାଡିରେ ଫେରିଲି, ଆଉ ଘଣ୍ଟାଏ ଦେଢ଼ଘଣ୍ଟା ଉତ୍ତାରୁ ତାଳଚେର ଗାଡିରେ ତାଳଚେର ଯିବି, ସୁତରାଂ ଏହି ଦେଢ଼ ଦୁଇଘଣ୍ଟା ଆପଣଙ୍କର ସଖ୍ୟତାରେ କଟାଇ ଦେବି । ଆପଣ ବାହାରନ୍ତୁ ରେଲଷ୍ଟେସନ ପର୍ଯ୍ୟନ୍ତ ଯାଇ ମୋତେ ତାଳଚେର ଗାଡିରେ ଚଢ଼ାଇ ଦେଇ ଫେରିବେ’’ । ଲେଖକର ନିଦ୍ରାରୁ ଉଠି ପ୍ରାତଃକୃତ୍ୟ ଓ ପ୍ରାତଃସ୍ନାନ ପ୍ରଭୃତି ସମ୍ପନ୍ନ କରିବାକୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଅତିବାହିତ ହେଲା । ଏହି ଏକଘଣ୍ଟା ସମୟ ରାଜା କିଶୋରଚନ୍ଦ୍ରଏହି ଦରିଦ୍ର ଲେଖକର ପ୍ରତୀକ୍ଷାରେ ବସିରହିଲେ । ଲେଖକର ସ୍ନାନ ପ୍ରଭୃତି ଶେଷ ହେବାରୁ ଲେଖକକୁ ଘେନି ରେଲଷ୍ଟେସନକୁଗଲେ, ଲେଖକ ତାହାଙ୍କୁ ସକାଳ ୬ଟା ବେଳେ ତାଳଚେର ଗାଡିରେ ଉଠାଇଦେଇ ଆସିଲା । ଦେଢ଼ଘଣ୍ଟା ସକାଶେ ଲେଖକ ସହିତ ଏହି ଅପୂର୍ବ ବ୍ୟବହାର ଲେଖକର ସ୍ମୃତିର ଚିର ସମ୍ପତ୍ତି ହୋଇ ରହିଥିବ ।

 

ଆଉ ଏକ ସମୟରେ ଲେଖକ ରାଜା କିଶୋରଚନ୍ଦ୍ରଙ୍କ ସଙ୍ଗରେ ମୋଟର ଗାଡିର କଟକରେ ଭ୍ରମଣ କରୁଥିବା ସମୟରେ କଟକର ଗାଡିରେ କଟକରେ ଭ୍ରମଣ କରୁଥିବା ସମୟରେ କଟକର ଚଉଧୁରୀବଜାରର ଏକସ୍ଥାନରେ ରାଜା ମୋଟର ଅଟକାଇଦେଲେ । କାରଣ ପଚାରିବାରୁ ରାଜା କହିଲେ ‘ମୁନ୍ସିପାଲିଟିର ଏହି ହାଡ଼ି ଯେ ବର୍ତ୍ତମାନ ରାସ୍ତା ପହଁରୁଅଛି ମୋହର କଟକରେ ପାଠ୍ୟାବସ୍ଥାରେ ମେହେନ୍ତର ସ୍ୱରୂପ କାର୍ଯ୍ୟ କରୁଥିଲା । ତାହା ୩୫ ବର୍ଷ ପୂର୍ବର କଥା । ଏହା କହି ସେ ହାଡ଼ିକୁ ଡାକିଲେ ଏବଂ କହିଲେ ‘‘ତୁ କନିକା କୋଠିକୁ ଯିବୁ ମୁଁ ସେହିଠାରେ ଅଛି ।’’ ବୋଲିବାର ବାହୁଲ୍ୟ ଯେ ସେ ମେହେନ୍ତର ସେହିଦିନ ଅପରାହ୍ଣରେ କନିକା କୋଠିକୁ ଯାଇ ନଗଦ ଚାରୋଟି ଟଙ୍କା ଏବଂ ଗୋଟିଏ ବସ୍ତ୍ର ଆଣିଥିଲା । ଏତେ ଦିନର କଥା ଏପରି ସ୍ମରଣ ରଖି ମାର୍ଗ ମଧ୍ୟରେ ଏଭଳି ଦୀନ ଓ ଦୁଃସ୍ଥପ୍ରତି ଏଭଳି ବ୍ୟବହାର କରିବାକୁ କେତେଜଣ ଏ ସଂସାରରେ କ୍ଷମ-?

 

ରାଜା କିଶୋରଚନ୍ଦ୍ର ପତ୍ୟୁଷରୁ ଶିକାର ବ୍ୟପଦେଶରେ ମୋଟରରେ ଯାଉଁ ଯାଉଁ ଗୋଟିଏ ଗ୍ରାମ ପ୍ରାନ୍ତରେ ବସ୍ତ୍ରାବୃତ୍ତ ଦ୍ରବ୍ୟ ପଡ଼ି ରହିଥିବାର ଦେଖିଲେ । ତାହାକୁ ଉଠାଇବାମାତ୍ରେ ଦେଖିଲେ ଗୋଟିଏ ସଦ୍ୟପ୍ରସୁତ ଶିଶୁ-ନାଭିଚ୍ଛେଦନ ପର୍ଯ୍ୟନ୍ତ ହୋଇନାହିଁ । ସେତେବେଳେ ତାହାଙ୍କର ଶିକାର ସ୍ପୃହା ଦୂରହେଲା ଏବଂ ତତ୍‌କ୍ଷଣାତ୍ ଶିଶୁକୁ ମୋଟରେ ଉଠାଇ ନେଇ ସ୍ୱୟଂ ନାଭି ଚ୍ଛେଦନ କରି ଗୋଟିଏ ସ୍ତ୍ରୀଜିମାରେ ପିଲାଟିର ରକ୍ଷଣାବେକ୍ଷଣର ଭାର ଅର୍ପଣକଲେ । ପିଲାଟି ଏପର୍ଯ୍ୟନ୍ତ ବେଶ ସବଳ ଓ ସୁସ୍ଥ ଥିବାର ଲେଖକ ଦେଖିଅଛି ।

 

‘ବିନୋଦ-ଉଦ୍ୟାନ’ ରେ ଥିବା ସର୍ବ ପ୍ରକାର ସମସ୍ତ ପଶୁ ଏବଂ ରାଜବାଟିର ଏକାଂଶରେ ଥିବା ପଶୁ ଓ ପକ୍ଷୀ ଗୁଡ଼ିକ ରାଜ ପ୍ରୀତି ଓ ରାଜ ସ୍ନେହରେ କିପରି ବଶବର୍ତ୍ତୀ ତାହା ଚକ୍ଷୁରେ ଉପଲବ୍ଧ ହେବ ଲେଖି ବର୍ଣ୍ଣନା କରିବାର ନୁହେ ।

 

ରାଜା କିଶୋଚନ୍ଦ୍ରଙ୍କର ବ୍ୟାଘ୍ର ପାଳନ ଗୋଟିଏ ଆଶ୍ଚର୍ଯ୍ୟଜନକ ବ୍ୟାପାର । ଯୋଡ଼ିଏ ବ୍ୟାଘ୍ରୀ ଶିଶୁକାଳରୁ ଗୋଟିଏ କୁକୁରର ସାହଚର୍ଯ୍ୟରେ ଦିବାରାତ୍ରି ରହିଅଛନ୍ତି । ବ୍ୟାଘ୍ରୀ ମାନେ ଟିକିଏ ଉତ୍ତେଜିତ ହେଲେ କୁକୁର ତାହାଙ୍କୁ କାମୋଡ଼ି ଦେଇ ଭୀତ ପ୍ରଦର୍ଶନରେ ସେମାନଙ୍କୁ ସ୍ୱବଶକୁ ଆଣିଅଛି । ରାଜା ମହୋଦୟ ପୁଣି ସ୍ୱୀୟ ମୋଟର ଗାଡ଼ୀର ପଶ୍ଚାତ୍ ଆସନରେ କୁକୁର ସହିତ ଉଭୟ ବ୍ୟାଘ୍ରୀଙ୍କୁ ଘେନି ପ୍ରାୟ ସର୍ବଦା ଭ୍ରମଣାର୍ଥ ବାହାରିଥାଆନ୍ତି ଏବଂ ସ୍ୱହସ୍ତରେ ବ୍ୟାଘ୍ରୀଦ୍ୱୟଙ୍କୁ ଆହାର୍ଯ୍ୟଦିଅନ୍ତି, ଏହା ଦେଖି ଲେଖକ ଅନେକ ସମୟରେ ଆଶ୍ଚର୍ଯ୍ୟ ହୋଇଅଛି ସତ୍ୟ, ମାତ୍ର ଏହି ବ୍ୟବହାର କ୍ରମଶଃ-ସଂଯତ ତଥା ସଙ୍କୋଚ କରିବା ଆବଶ୍ୟକ, ଏହା ଲେଖକର ବିଶ୍ୱାସ । ବ୍ୟାଘ୍ରୀମାନଙ୍କର ହିଂସ୍ର ସ୍ୱଭାବ କୁକୁରର ଭୀତି ପ୍ରଦର୍ଶନରେ କିପରି ନିୟନ୍ତ୍ରିତ ଏହାର ପ୍ରତ୍ୟକ୍ଷ ପ୍ରମାଣ ଏଠାରେ ସ୍ପଷ୍ଟ । ବ୍ୟାଘ୍ରୀଙ୍କର ଶୈଶବାବସ୍ଥାରୁ ଏହି ହିଂସ୍ର ସ୍ୱଭାବର ନିୟନ୍ତ୍ରଣ ଚାଲି ଆସିଅଛି ସୁତରାଂ ରାଜାସାହେବଙ୍କର ଆଶା ଓ ବିଶ୍ୱାସ ଯେ ବ୍ୟାଘ୍ରୀଙ୍କର ହିଂସ୍ର ସ୍ୱଭାବର କଥଞ୍ଚିତ ପରିବର୍ତ୍ତନ କ୍ରମଶଃ ହେଉଥିବ ।

 

ରାଜା କିଶୋରଚନ୍ଦ୍ର ଭଳି ପରିଶ୍ରମୀ ଏ ଯୁଗରେ ବିରଳ । ଆବାଲ୍ୟ ସୁଖ ସମ୍ପଦ ମଧ୍ୟରେ ପାଳିତ ହୋଇ ଦିବାରତ୍ରି ଅଜସ୍ର ପରିଶ୍ରମକୁ ବରଣକରି ନେବାର ଚିତ୍ର କେବଳ କିଶୋରଚନ୍ଦ୍ରଙ୍କ ନିକଟରେ ଲକ୍ଷିତ ହୋଇଥାଏ । ତାହାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀ ଏ ବିଷୟରେ ଉପଯୁକ୍ତ ସାକ୍ଷଦେବ । ପ୍ରତ୍ୟୁଷରୁ ରାତ୍ରି ୯ଟା ପର୍ଯ୍ୟନ୍ତ ବିଭିନ୍ନ ଅଜସ୍ର ପରିଶ୍ରମ କରି ତାଳଚେର ରାଜ୍ୟର ସମୃଦ୍ଧିବର୍ଦ୍ଧନ କରିବାକୁ ସେ ସବୁବେଳେ ତତ୍ପର । ଆଳସ୍ୟ ନାମକ ପଦାର୍ଥ ତାହାଙ୍କ ନିକଟରୁ ଚିରବିଦାୟ ଘେନିଅଛି ବୋଲି ବୋଧହୁଏ । ରାଜ୍ୟ ଶାସନର ବୃହତ୍ ଜଟିଳତା ଠାରୁ କ୍ଷୁଦ୍ରତମ ବିଷୟ ପର୍ଯ୍ୟନ୍ତ ସବୁର ସମସ୍ତ ପ୍ରକାର ତତ୍ତ୍ୱାବଧାନ ତାହାଙ୍କ ହାତରେ ସବୁବେଳେ ନ୍ୟସ୍ତ-। ବଳଦଗାଡ଼ୀ ଗୁଡ଼ିକର ତତ୍ତ୍ୱାବଧାନ ଓ ଇଟାପୋଡ଼ାର ସଂବାଦ ସଂଗ୍ରହଠାରୁ ହାତୀଘୋଡ଼ା ପ୍ରଭୃତିର ପରଚର୍ଯ୍ୟାରେ ବ୍ୟବସ୍ଥାଠାରୁ ସନ୍ଧି କିମ୍ବା ଐକ୍ୟ ବ୍ୟବସ୍ଥା ପ୍ରଣାଳୀର ବିଚାର (Federation) ପର୍ଯ୍ୟନ୍ତ ସମସ୍ତହିଁ ତାହାଙ୍କ ହସ୍ତରେ ନ୍ୟସ୍ତ । ତାଳଚେର ରାଜ୍ୟର ସମସ୍ତ ଅଂଶର ବାଳକ, ବାଳିକା, ବୃଦ୍ଧ, ବୃଦ୍ଧା ପର୍ଯ୍ୟନ୍ତ ସମସ୍ତହିଁ ତାହାଙ୍କୁ ଉତ୍ତମରୂପେ ଚିହ୍ନନ୍ତି, ସେ ମଧ୍ୟ ସମସ୍ତଙ୍କୁ ଚିହ୍ନି ରଖିଅଛନ୍ତି । ରାଜା କେଉଁଠାରେ କୌଣସି ଗ୍ରାମର ପ୍ରଜାବର୍ଗଙ୍କ ସଙ୍ଗରେ ମିଶି ମାର୍ଗ ରଚନା କରିବାରେ ବ୍ୟସ୍ତ, କେଉଁଠାରେ ଖମାରରେଥିବା ଛେଳିମେଣ୍ଡା ଗୁଡ଼ିକର ତତ୍ତ୍ୱାବଧାରଣରେ ବିବ୍ରତ, ଶିକାର ବ୍ୟପଦେଶରେ ନାନା ସ୍ଥାନକୁ ଯାଇ କାହାର କ୍ଷେତରେ ପାଣି ମଡ଼ାଇଲେ ଭଲହେବ ସେଥି ସମ୍ବନ୍ଧରେ ଉପଦେଶ ବିତରଣରେ ବ୍ୟଗ୍ର, ଅଥଚ ସେହି ରାଜା ନିଜର ବନ୍ଧୁରାଜବୃନ୍ଦ ତଥା ମାନନୀୟ ଗଭର୍ଣ୍ଣର ତଥା ବିଭାଗୀୟ ଉଚ୍ଚକର୍ମଚାରୀବୃନ୍ଦଙ୍କର ଅଜସ୍ର ଅଭ୍ୟର୍ଥନାରେ ଅସ୍ଥିର । ଶିକାରରେ ସେ ଏଭଳି ସିଦ୍ଧହସ୍ତ ଯେ ଅସଂଖ୍ୟ ହରିଣ, ଶମ୍ବର, ବରାହ, ଭଲ୍ଲୁକ, ଗଏଳ ପ୍ରଭୃତି ବଧକରି ଏପର୍ଯ୍ୟନ୍ତ ୧୧୩ ଗୋଟା ମହାବଳ ବ୍ୟାଘ୍ରର ଜୀବଲୀଳା ଶେଷକରି ଦେଇଅଛନ୍ତି । ଏଣିକି ପ୍ରଧାନ ପ୍ରଧାନ ଶିକାରର ଭାର ସେ ଉପଯୁକ୍ତ ପୁତ୍ର ଦ୍ୱୟଙ୍କ ଉପରେ ନ୍ୟସ୍ତକରି ଦେଇଅଛନ୍ତି । ଯୁବରାଜ ହୃଦୟଚନ୍ଦ୍ର ମଧ୍ୟ ବ୍ୟାଘ୍ର ଶିକାରରେ ପୂର୍ଣ୍ଣ ସଫଳତା ଲାଭକରି ଏପର୍ଯ୍ୟନ୍ତ ୮୩ ଗୋଟା ବ୍ୟାଘ୍ରବଧ କରିସାରିଲେଣି । ତାଳଚେର ରାଜ୍ୟ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟର ଯେଉଁଠାରେ ବ୍ୟାଘ୍ରର ଉପଦ୍ରବ ଓ ଉତ୍ପାତ ସମଧିକ ସେଠାକୁ ମଧ୍ୟ ଯୁବରାଜ ସାହେବ ଆହୁତ ହୋଇ ଅନାୟାସରେ ବ୍ୟାଘ୍ରବଧ କରୁଅଛନ୍ତି । ରାଜ୍ୟର ପ୍ରତ୍ୟେକ ବିଭାଗରେ ବହୁକର୍ମଚାରୀ ନିଯୁକ୍ତ ରହିଅଛନ୍ତି ସତ୍ୟ, ମାତ୍ର ସମସ୍ତ ବିଭାଗ ଉପରେ ରାଜାଙ୍କର ସତର୍କ ଦୃଷ୍ଟି ରହିଥିବାରୁ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ତତ୍ତ୍ୱାବଧାରଣ ରାଜା ନିଜ ହସ୍ତରେ ରଖିଅଛନ୍ତି। କେବଳ କାଗଜ କଲମରେ ପରିଦର୍ଶନ ଜନିତ ସ୍ମୃତିପତ୍ର (Inspection Note) ଲେଖିଦେଇ ସେ ନିଶ୍ଚିନ୍ତ ହୁଅନ୍ତି ନାହିଁ । ସ୍ଥୂଳ କଥାରେ ଏତିକି କହିଲେ ଯଥେଷ୍ଟ ହେବ ସେ ସମସ୍ତ ତାଳଚେର ରାଜ୍ୟର ସମସ୍ତ ବିଷୟକୁ ଯେପରି ନଖ ଦର୍ପଣରେ ରଖିଅଛନ୍ତି, ସେହିପରି ବନ୍ଧୁରାଜାମାନଙ୍କର ରାଜ୍ୟ ସମ୍ବନ୍ଧୀୟ ସମସ୍ତ ବୈଷୟିକ ସଂବାଦ ସଂଗ୍ରହରେ ସର୍ବଦା ସେ ତତ୍ପର ।

 

ରାଜା କିଶୋରଚନ୍ଦ୍ରଙ୍କର ବଣାଇ ଅଧୀଶ୍ୱର ରାଜା ଧରଣୀଧର ଇନ୍ଦ୍ରଦେବଙ୍କ ସହିତ ମଧୁର ସମ୍ପର୍କଥିବାରୁ ଅର୍ଥାତ ଦୁଇରାଜା ବାମଣ୍ଡାର ପୁଣ୍ୟଶ୍ଲୋକ ୰ ରାଜା ସାର୍‌ବାସୁଦେବ ସୁଢ଼ଳଦେଙ୍କର ଦୁଇଜେମାଙ୍କର ପରିଣୟ ସୂତ୍ରରେ ଆବଦ୍ଧ ହୋଇ ରହିଥିବାରୁ ଏହି ମଧୁର ସମ୍ପର୍କ ଅସୀମ ମିତ୍ରତାରେ ପରିଣତ ହୋଇଅଛି । ତାଳଚେରାଧୀଶ ରାଜା କିଶୋରଚନ୍ଦ୍ର ବଣାଇରାଜ୍ୟର ଲୁଙ୍ଗମହାରଣ୍ୟ ନିକଟସ୍ଥ ମହୁଲପଦାଗ୍ରାମ ନିକଟରେ ବର୍ଷରେ ଅନେକଥର ଗଯଳ ଧରି ଆଣିବାର ବ୍ୟବସ୍ଥା କରନ୍ତି ଏବଂ ଏଠାରେ ଉଭୟ ମିତ୍ରଙ୍କର ବହୁଦିନ ବ୍ୟାପୀ ଏକତ୍ରାବସ୍ଥାନ ସହିତ ନିର୍ଦୋଷ ଆମୋଦ ପ୍ରମୋଦର ଆୟୋଜନ ତଥା ସାହିତ୍ୟ ଚର୍ଚ୍ଚାର କେନ୍ଦ୍ରସ୍ୱରୂପ ପ୍ରତୀୟମାନ ହୋଇଥାଏ । ଏଠାରେ ଉଭୟଙ୍କର ଆମନ୍ତ୍ରଣରେ ଅନେକ କବି ପଣ୍ଡିତ ପ୍ରଭୃତି ରୁଣ୍ଡ ହୁଅନ୍ତି ଏବଂ ଅନେକ ଗୀତ ଓ କବିତା ଏଠାରେ ରଚିତ ହୋଇଥାଏ । ଉଭୟ ବନ୍ଧୁଙ୍କର ମିଳନ ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ବଣାଇ ରାଜ୍ୟର ଇତିବୃତ୍ତ ସହିତ ତାଳଚେରର ଇତିବୃତ୍ତ ସଂଯୁକ୍ତ ଥିବାରୁ ବହୁପୂର୍ବରୁ ତାଳଚେର ବଡ଼ଭାଇ ଓ ବଣାଇ ସାନଭାଇ ରୂପେ ପ୍ରତିଷ୍ଠିତ ହୋଇଥିବାରୁ ଏଯୁଗରେ ସୁଦ୍ଧା ରାଜା କିଶୋରଚନ୍ଦ୍ରଙ୍କ ସହିତ ରାଜା ଧରଣୀଧରଙ୍କର ସୌହାର୍ଦ୍ଦ୍ୟ ଅତ୍ୟନ୍ତ ସ୍ୱାଭାବିକ । ପୁଣି ବଣାଇ ଅଧୀଶ୍ୱର ସଦା ସ୍ନେହଶୀଳ, ଜ୍ଞାନବାନ ଓ ଗମ୍ଭୀର ଥିବାରୁ ଏହି ସୌହାର୍ଦ୍ଦ୍ୟ ପୂର୍ଣ୍ଣ ମିତ୍ରତାରେ ପରିଣତ ହୋଇଅଛି । ରାଜା ଧରଣୀଧରଙ୍କ ସମ୍ବନ୍ଧରେ ବାମଣ୍ଡାର କବି ପୂଙ୍ଗବ ୰ ବଡ଼କୁମାର ବଳଭଦ୍ର ଯେଉଁ ମନ୍ତବ୍ୟ ଦେଇଅଛନ୍ତି ତାହା ଏଠାରେ ପ୍ରକାଶ କରିବା ଲେଖକ ସଙ୍ଗତ ବୋଲି ମଣୁଅଛି ।

 

‘‘ବାନ୍ଧବ କୁଳର      ସହାନୁଭୁତିରେ

ତୁମ୍ଭପରି ନାହିଁ ଜଣେ,

ଉଚ୍ଚ ହୃଦୟରେ      ଯଶସ୍ୱୀ ତୁମ୍ଭଙ୍କୁ

ତୁମ୍ଭରି ସମାନ ମଣେ ।

ଦୁଇବର୍ଷ ମାତ୍ର      ରାଜଦଣ୍ଡ ଚାଳି

ଦେଖାଇଛ ଯେ ସାଧନା,

ଅନ୍ୟଲୋକ ପକ୍ଷେ      ପଞ୍ଚବିଂଶ ବର୍ଷ

ନୁହନ୍ତା ତାହା ଠିକଣା ।’’

 

ରାଜା କିଶୋରଚନ୍ଦ୍ରଙ୍କର ସମସ୍ତ ରାଜକାର୍ଯ୍ୟ ପ୍ରତ୍ୟହ ପ୍ରତ୍ୟୁଷରୁ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଅବିଶ୍ରାନ୍ତ ଭାବରେ ଚାଲିଥାଏ, କିନ୍ତୁ ରାତ୍ରି ୯ଟା ଉତ୍ତାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ସାହିତ୍ୟର ସର୍ବବିଧ ଚର୍ଚ୍ଚା ରୀତିମତ ହୁଏ । ଏହି ୩ ଘଣ୍ଟା ସେ ଓଡ଼ିଆ ଛାନ୍ଦ, ସଙ୍ଗୀତ, କବିତା, ଓ ଗଦ୍ୟ ପ୍ରବନ୍ଧମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଆକୃଷ୍ଟ ହୁଅନ୍ତି ଏବଂ ସ୍ୱୟଂମଧ୍ୟ କବିତା ଓ ଗୀତ ରଚନା କରିଯାଆନ୍ତି । ତାହାଙ୍କର ଭୁରିଭୁରି ଗୀତ ଓ କବିତା ଯାହା ସାଧାରଣଙ୍କର ଦୃଷ୍ଟିରୁ ବଞ୍ଚିତ ହୋଇରହିଅଛି ତଥା ଗୁପ୍ତଭାବରେ ପ୍ରକାଶିତ ହୋଇଅଛି ତହିଁରୁ ଚାରୋଟି ଧାଡ଼ି ମାତ୍ର ଏଠାରେ ପ୍ରକାଶ କରିବାକୁ ଲେଖକମନ ବଳାଇଲା ମାତ୍ର:-

 

‘‘ପୁରୁଷ ଅସତ ଥିବ ନାରୀ ସତୀ ହେବ

ଏ କ୍ରୂର ରୀତିକୁ କିଏ ପସନ୍ଦ କରିବ ?

ଉଭୟ ପାଇଁକି ସମପ୍ରଥା କିମ୍ପାନାହିଁ

ନିୟମରେ ଏତେଭିନ୍ନ ଦେଖିଛ କି କାହିଁ ?’’

 

ରାଜ କିଶୋରଚନ୍ଦ୍ରଙ୍କ ସହିତ ଲେଖକ ଦିନେ ଗୋପାଳପ୍ରସାଦ ନାମକୁ ଗ୍ରାମକୁ ଯାଇଥିଲା, ଏହା ଉତ୍କଳ ବିଖ୍ୟାତ୍ ହିଙ୍ଗୁଳା ଦେବୀଙ୍କର ପୀଠସ୍ଥାନ । ଏହା ଉତ୍କଳ ଚୈତ୍ରମାସରେ ଏଠାରେ ଯେଉଁ ‘‘ହିଙ୍ଗୁଳା ଯାତ୍ରା ’’ ନାମକ ପ୍ରସିଦ୍ଧ ମେଳାହୁଏ ତହିଁରେ ନାନା ଦେଶରୁ ପ୍ରାୟ ୪୦-୫୦ ସହସ୍ର ନରନାରୀ ସମବେତ ହୁଅନ୍ତି । ଗୋପାଳପ୍ରସାଦର ମାର୍ଗରେ ରାଜା କିଶୋରଚନ୍ଦ୍ରଙ୍କର ଗୋଟିଏ କୀର୍ତ୍ତି ଲେଖକ ଦେଖି ପୂଲକିତ ହେଲା । ବଙ୍ଗାରୁ ନାମକ ଗୋଟିଏ ଗିରି ନଦୀକୁ ବାନ୍ଧି ରାଜା ଗୋଟିଏ ପ୍ରକାଣ୍ଡ ସୃସ୍ପଷ୍ଟ । କିନ୍ତୁ ଏହା ସହିତ ଆଉ ଗୋଟିଏ ବିଭାଗ ରହିଅଛି ଯାହା ସବୁବେଳେ ସମସ୍ତ ବିଭାଗ ଉପରେ କର୍ତ୍ତୃତ୍ୱ ଦେଖାଉ ଅଛି, ତାହା ହୃଦୟର ବିଭାଗ ଅଥବା ହୃଦ୍ୟତା । ରାଜାକିଶୋରଚନ୍ଦ୍ରଙ୍କ ନିକଟରେ ହୃଦ୍ୟତା, ଏକାଗ୍ରତା, ଐକାନ୍ତିକତା ତତ୍ପରତା ଏବଂ ନିଷ୍ପତ୍ତଶୀଳତା ମୂର୍ତ୍ତିମନ୍ତ ହୋଇ ରହିଥିବାରୁ ସମସ୍ତ ବିଷୟର ପୁଙ୍ଖାନୁପୂଙ୍ଖ ରୂପ ନିଷ୍ପତ୍ତ ଅତି ସହଜରେ ହେଉଅଛି ସିନା ? ରାଜା ମହୋଦୟଙ୍କ କାର୍ଯ୍ୟ ପ୍ରଣାଳୀ ନିମ୍ନ ସଂସ୍କୃତ ଶ୍ଲୋକର ସର୍ବଦା ସ୍ମାରକ:-

 

‘‘ଆଦାନସ୍ୟ ପ୍ରଦାନସ୍ୟ କର୍ତ୍ତବ୍ୟଚ କର୍ସ୍ତୁଶି

କାଳକ୍ଷେପୋନ କର୍ତ୍ତବ୍ୟ କାଳୋହରତି ତଦ୍ରସଂ ।’’

 

ଏଠାରେ ପ୍ରସଙ୍ଗ କ୍ରମେ ଗୋଟିଏ ବିଷୟର ଅବତାରଣା କରିବାକୁ ଲେଖକ ବାଧ୍ୟ । କୋଇଲାଖଣିର ପଟ୍ଟାଦେବା ସମୟରେ ଗୋଟିଏ କୋମ୍ପାନୀ ତାଳଚେର ରାଜବାଟି ଏବଂ ଏହା ସହିତ ବିନୋଦ ଉଦ୍ୟାନକୁ ନେଇ ସର୍ବୋତ୍କୃଷ୍ଟ କୋଇଲା ଉତ୍ତୋଳନ ସକାଶେ କେବଳ ସଲାମି ସ୍ୱରୂପ ୬୪ ଲକ୍ଷଟଙ୍କା ଦେବେ ବୋଲି ଅଙ୍ଗୀକାର କରିଥିଲେ ।ମାତ୍ର ଏଥିରେ ରାଜା କିଶୋରଚନ୍ଦ୍ର ଅସମ୍ମତ ହେଲେ । ‘‘ There is as question for Money but for Sentiment ’’ (ଟଙ୍କା ସମ୍ବନ୍ଧୀୟ ପ୍ରଶ୍ନ ଏଠାରେ ନାହିଁ, କେବଳ ଅଭିପ୍ରାୟ ଯୁକ୍ତ ଜ୍ଞାନହିଁ ଏଠାରେ ବିଚାର୍ଯ୍ୟ ବସ୍ତୁ ।) । ବାସ୍ତବିକ ୬୪ ଲକ୍ଷ ଟଙ୍କାର ମାୟା ଛାଡ଼ିଦେବା କମ କଥାନୁହେ । ଏହି ୬୪ ଲକ୍ଷ ଟଙ୍କା ପାଇ ରାଜା ସ୍ୱୀୟ ରାଜବାଟି ତଥା ଅନ୍ୟ ପ୍ରତିଷ୍ଠାନ ସମୂହ ୧୦ । ୧୫ ଲକ୍ଷ ବ୍ୟୟରେ ଉପଯୁକ୍ତ ସ୍ଥାନକୁ ଉଠାଇ ନେଇଥାଆନ୍ତେ, ବାକୀ ଟଙ୍କା ତାହାଙ୍କର ଲାଭ ହୋଇଥାଆନ୍ତା-

 

ରାଜା କିଶୋରଚନ୍ଦ୍ରଙ୍କ ସମ୍ଭନ୍ଧରେ କବିପୁଙ୍ଗବ ବାମଣ୍ତାର ୰ ବଡ଼କୁମାର ବଳଭଦ୍ରଙ୍କର ନିମ୍ନ ମନ୍ତବ୍ୟରୁ ସମସ୍ତ ସ୍ପଷ୍ଟୀକୃତ :-

 

‘‘ ସରଳତା ପୂର୍ଣ୍ଣ            ଅତି ମନୋରମ

ଏହାଙ୍କର ବ୍ୟବହାର

ବିପଦେ ପତିତ             ଆର୍ତ୍ତୀ ଦୁଃଖୀପାଇଁ

ମୁକ୍ତ ସଦା ରାଜଦ୍ୱାର ।

ତନ୍ନ ତନ୍ନ ଭାବେ             ନ ବୁଝି କାର୍ଯ୍ୟର

ଯେତେକ ବାଧା ବିପତ୍ତି

ଖେଳପରି ତହିଁ             ପ୍ରବେଶିବା ପାଇଁ

କେବେ ନ ବଳାନ୍ତି ମତି ।

ଯେଣୁ ଏହି ଦୃଢ଼ -            ସଂକଳ୍ପି ନୃପତି

ଦିଅନ୍ତି ଯହିଁରେ ହାତ

ସେ କାର୍ଯ୍ୟର ଶେଷ-      ଫଳ ନ ପାଇବା -

ଯାଏ ନୁହନ୍ତି ନିବୃତ୍ତ ।

ଜଡ ପରି ନିଜ             ସଚିବଙ୍କ ହସ୍ତେ

ତିଳେ ନୋହି ଉଠବସ

ସର୍ବ ତଥ୍ୟବୁଝି            ବିଚାର କରିବା

ଏହାଙ୍କ ନୀତି ଆୟାସ ।

ସରଳ ଭାବରେ             ନିରତ ନିଷ୍ପକ୍ଷ-

ପାତ ଏହାଙ୍କ ବିଚାର

ଲୋକ ତଣ୍ଟିଚିପି             ଇଚ୍ଛନ୍ତି ନାହିଁତ

ଭରିବାକୁ ଧନାଗାର ।

ପ୍ରସନ୍ନ ବଦନ             ଅମାୟିକ ପୂର୍ଣ୍ଣ

ଶିଷ୍ଟ ବ୍ୟବହାର ଦେଖି

କେଉଁ ଶତ୍ରୁଅଛି             ପାଖେ ପ୍ରବେଶିଲେ

ତକ୍ଷଣେ ନୋହିବ ସୁଖୀ ?

 

ଲେଖକ ଜୀବନରେ ଅନେକଥର ଅନେକ ପ୍ରକାରରେ ଏହି ରାଜ ସାହଚର୍ଯ୍ୟ ଲାଭକରି କୃତାର୍ଥ ହୋଇଅଛି । ରାଜା କିଶୋରଚନ୍ଦ୍ରଙ୍କର ଏକମାତ୍ର ଜେମା ଶ୍ରୀମତୀସୁଚାରୁମାଳୀ ଭିଜିଗାପଟ୍ଟମ ଜିଲ୍ଲାର କୁରୁପମ ରାଜାଙ୍କୁ ବିବାହିତା ହୋଇଥିଲେ । ବିବାହର କେତେକ ବର୍ଷ ଉତ୍ତାରୁ ଦିଓଟି ପୁତ୍ର ସନ୍ତାନର ଜନନୀ ହୋଇ ବୈଧବ୍ୟ ଦଶା ପ୍ରାପ୍ତ ହୋଇଅଛନ୍ତି । ଉଭୟ ପୁତ୍ର ଏବଂ ତଦୀୟ ଜନନୀ ରାଜା କିଶୋର ଚନ୍ଦ୍ରଙ୍କ ଦ୍ୱାରା ୧୪ ବର୍ଷ ଲାଳିତ ହୋଇଅଛନ୍ତି । ବର୍ତ୍ତମାନ ଜ୍ୟେଷ୍ଠପୁତ୍ର କୁରୁପାମ ରାଜା - ଶ୍ରୀ ବୈରଶଲ୍ୟ ବୀରଭଦ୍ର ଦୁର୍ଗାପ୍ରସାଦ ଦେବ କୁରୁପାମ ରାଜ୍ୟାଧୀଶରୂପେ ଏବଂ ତାହାଙ୍କର କନିଷ୍ଠ ସହୋଦର-ଶ୍ରୀ ବୈରିଶଲ୍ୟ ଚନ୍ଦ୍ର ଚୁଡ଼ାମଣି ଦେବ ଉଭୟହିଁ ରାୟପୁର ରାଜକୁମାର କଲେଜର ଛାତ୍ର ।

 

ରାଜା କିଶୋରଚନ୍ଦ୍ରଙ୍କର ମହଧର୍ସିଣୀ ରାଣୀ ସାହେବା ତାଳଚେରର ରାଜ ଲକ୍ଷ୍ମୀରୂପେ ସୁପତିଷ୍ଠିତା । ଏ ମହୋଦୟା ବାମଣ୍ତାର ପୁଣ୍ୟଶ୍ଲୋକ ରାଜା ସାର ବାସୁଦେବ ସୁଢ଼କ ଦେବଙ୍କର ଦୁହିତାଅଟନ୍ତି । ତାହାଙ୍କର ଧର୍ମଭୀରୁତା, ବଦାନ୍ୟତା ଦୟା ଏବଂ ନ୍ୟାୟ ପରାୟଣଠାରେ ତାଳଚେର ରାଜ୍ୟର ପ୍ରଜାବୃନ୍ଦଙ୍କଠାରୁ ବନ୍ଧୁବାନ୍ଧବ ପ୍ରଭୃତି ସର୍ବଦା ମୃଗ୍ଧ ଓ ପୁଲକିତ । ଏହାଙ୍କର ସୀମନ୍ତସିନ୍ଦୁର ଅକ୍ଷୟ ହେଉ ଏହାହିଁ ଲେଖକର ଐକାନ୍ତିକୀ କାମନା ।

 

ରାଜା କିଶୋରଚନ୍ଦ୍ରଙ୍କ ସହିତ ଥରେ ସନ୍ଧ୍ୟା ଉତ୍ତାରୁ ମୋଟରରେ ତାଳଚେର ଗଡ଼କୁ ୫ ମାଇଲ ଦୁରବର୍ତ୍ତୀ ନନ୍ଦିର ଗିରିନଦୀ ପର୍ଯ୍ୟନ୍ତ ଲେଖକ ଯାଇଥିଲା । କୌମୁଦୀ ପରିପ୍ଲାବିତ ଦୃଶ୍ୟ ବୌଚିତ୍ର୍ୟମୟ ପ୍ରାନ୍ତରପଥରେ ଅଗ୍ରସର ହେବା ସମୟରେ ନୈଶଶୋଭା ଅତୃପ୍ତ ନୟନରେ ଲେଖକ ନିରୀକ୍ଷଣ କରୁଥିଲା । ତାଳଚେର ରାଜ୍ୟ ମଧ୍ୟରେ ବ୍ରାହ୍ମୀନଦୀ ବୋହି ଯାଉଅଛି, ମାତ୍ର ୪-। ୫ ଗୋଟି ଗିରିନଦୀ ଉପନଦୀରୂପେ ଏହି ବାହୀ ନଦୀକୁ ପାଣି ଯୋଗାଉଅଛି । ତାଳଚେର ରାଜ୍ୟର ବାଳଚରମାନଙ୍କ ଦ୍ୱାରା ବୋଲା ହେଉଥିବା ଗୀତରେ ଏହି ନଦୀ ଗୁଡ଼ିକର ସମ୍ୟକ୍‌ବର୍ଣ୍ଣନା ସୁଷ୍ପଷ୍ଟ:-

 

‘‘ରେଢ଼ାଖୋଲୁଁ ସ୍ୱଚ୍ଛନୀରା କେତେ ଦୂରରୁ ଟିକରା

ଖେଳି ଖେଳି ସ୍ନେହେ ବ୍ରାହ୍ମୀ ସଙ୍ଗତେ ଭେଟ

ସମାକୋଇ କେନ୍ଦୁଝରୁ ସିଂହଡ଼ା ଅନୁଗୋଳରୁ

ନନ୍ଦିରକୁ ଡାକେ ଆସ ନ କରିମଠ,

ଘନକୋଳେ ଯଥା ଚପଳା

ଖେଳିବା କୂଳକୁ କରି ଶସ୍ୟ ଶ୍ୟାମଳା ।’’

 

ଏହି ନନ୍ଦର ନଦୀକୂଳରେ ପ୍ରାୟ ଏକଘଣ୍ଟା ବିଶ୍ରମାଳାପରେ ରାଜା କିଶୋରଚନ୍ଦ୍ରଙ୍କ ସହିତ ଏ ଲେଖକର କଟି ଯାଇଥିଲା । ବହୁପ୍ରକାରରେ ରାଜା କିଶୋରଚନ୍ଦ୍ରଙ୍କୁ ଲେଖକ ଦେଖି ସାମାନ୍ୟ ପ୍ରକାର ମନ୍ତବ୍ୟ ତାହାଙ୍କ ସମ୍ବନ୍ଧରେ ଦେବାକୁ ବାଧ୍ୟ । ରାଜା କିଶୋରଚନ୍ଦ୍ରଙ୍କର ଏକ ଚକ୍ଷୁରେ ଅଗ୍ନିର ଦୀପ୍ତଶିଖା, ଅନ୍ୟ ଚକ୍ଷୁରେ ସ୍ନେହ-କରୁଣାର ପ୍ଲାବନ ସର୍ବଦା ଲକ୍ଷିତ ହେଉଥାଏ । ବଦନରେ କେତେବେଳେ ପ୍ରାବୃଟର ଘନ ଘୋରାନ୍ଧକାର ବିକାଶ, ପୁଣି ଅବା କେତେବେଳେ ହାସ୍ୟ-ଲସ୍ୟ ପ୍ରୀତିର ମହାନୃତ୍ୟଲୀଳା । ତାହାଙ୍କ କଣ୍ଠରେ କେତେବେଳେ ଗଭୀର କଳରୋଳ ପୁଣି କେତେବେଳେ ମଧୁର ବାଦ୍ୟ-କଲ୍ଲୋଳ ଶ୍ରୁତି ହେଉଥାଏ । କୋମଳ ଓ । କଠୋର, ସରଳ ଓ କୁଟୀଳ, ଦୀପ୍ତ ଓ ଶାନ୍ତ, ସୃଷ୍ଟି ଓ ଧ୍ୱଂସ, ଅନଳ ଓ ଅଭୟରେ ଗଠିତ ହୋଇ ସାଧାରଣ ମାନବର ଅନେକ ଉର୍ଦ୍ଧ୍ୱରେ ରାଜା କିଶୋରଚନ୍ଦ୍ର ଅବସ୍ଥିତ, ଏହା ସଂପୂର୍ଣ୍ଣ ସତ୍ୟ । ତାହାଙ୍କର କାର୍ଯ୍ୟକୁଶଳତା, ତତ୍ପରତା, ଓ ନିଷ୍ପତ୍ତଶୀଳତା ସବୁବେଳେ ଦେଖି ଲେଖିକ ଉତ୍କଳର ଗୋଟିଏ ପୁରାତନ ପ୍ରବାଦରେ ତାହାଙ୍କୁ ଆଖ୍ୟା ଦେବାକୁ ଇଚ୍ଛୁକ:-

 

‘‘ ନଅଶ ପାଇକ ଛଅଶ ଘୋଡ଼ା, ଏକା ଶ୍ରୀ ଚନ୍ଦନିଆ ବୁଢ଼ା ।’’

 

ବନ୍ୟ ପ୍ରକୃତିର ରମଣୀୟତା ସହିତ ଯାନ୍ତ୍ରିକ ଯୁଗର କଠୋରତା ତାଳଚେର ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଉପଭୋଗର ବିଷୟ । ମାତ୍ର ବନ୍ୟ ପ୍ରକୃତିର ସୁଷମା, ଶୈଳପର୍ବତର ଏବଂ ଉପତ୍ୟକା ଅଧିତ୍ୟକା, କିମ୍ବା ନିର୍ଝରିଣୀ, ପ୍ରପାତ ପ୍ରଭୃତିର ମାଧୁର୍ଯ୍ୟ ଏ ଯୁଗରେ ଏକ ପ୍ରକାର ଉପହାସର ବସ୍ତୁରୂପେ ପରିଗଣିତ । ବନ୍ୟ ପ୍ରକୃତି ସହିତ ଅତୀତ ଯୁଗରେ ହୃଦୟର ଯେଉଁ ସଂଯୋଗ ରହିଥିଲା ଏହି ଯାନ୍ତ୍ରିକ ଯୁଗରେ ସେହି ରମଣୀୟତା ମଧ୍ୟକୁ ଫେରିଯିବାର କୌଣସି ମାର୍ଗନାହିଁ ସର୍ବତ୍ରହିଁ ମନୁଷ୍ୟର ଗର୍ବତ ହସ୍ତରେ ସ୍ପର୍ଶ ଅନୁଭୂତ ହୋଇଥାଏ ।

 

ଏହି ହେତୁରୁ ପ୍ରାକୃତିର ଦୁର୍ଗମ ବନ ଭନରେ ବୋଧହୁଏ ପ୍ରକୃତି ଲକ୍ଷ୍ମୀଙ୍କର ସାକ୍ଷାତ୍‌ଲାଭ ମାନବ ପକ୍ଷରେ ଅସମ୍ଭବ ହୋଇଅଛି । କାଳ ଚାଲିଅଛି-ତାହାର ଗତିକୁ ନମସ୍କାର ଯାହା ଯାଇଅଛି ତାହା ସକାଶେ ଅଶ୍ରୁପାତ୍‌ନିରର୍ଥକ ସିନା ?

 

ମନୁଷ୍ୟର ଏହି ପ୍ରଚେଷ୍ଟା, ମନୁଷ୍ୟର ଏହି ବିଜୟ-ବାର୍ତ୍ତା ସମସ୍ତଙ୍କୁ ଭଲ ଲାଗୁ ନଲାଗୁ, ଅଭିନନ୍ଦନ କରିବାକୁ ହେବ ଏବଂ ସେହି କୋଳାହଳ ମାର୍ଗରେ ଧାଇବାକୁ ହେବ ।

 

ଯେଉଁମାନଙ୍କର ହୃଦୟ ଦୁର୍ବଳ ସେମାନେ ପଛକୁ ଅନାଇଥାଆନ୍ତି ଏବଂ କାନ୍ଦନ୍ତି କିନ୍ତୁ କାଳରରଥ କେବେହେଁ ଅଟକି ରହିବ ନାହିଁ । ସେ ତାହାର ଗତି- ପଥ ନଜାଣି ସୁଦ୍ଧା ନିର୍ମ୍ମମ ଭାବରେ ଚାଲିବାକୁ ଅଭ୍ୟସ୍ତ ସିନା ?

 

***